ଡିଏମ୍ଏଫ୍ ଯୋଗାଡ଼ରେ ଓଡ଼ିଶା ପ୍ରଥମ : ଦିଲ୍ଲୀରେ ପୁରସ୍କୃତ ହେଲେ ବିଭାଗୀୟ ଅତିରିକ୍ତ ସଚିବ

 ଭୁବନେଶ୍ୱର : ସାରା ଦେଶରେ ଡିଏମ୍ଏଫ୍ (ଜିଲ୍ଲା ଖଣିଜ ପାଣ୍ଠି) ପାଣ୍ଠି ଯୋଗାଡ଼ରେ ଓଡ଼ିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୫ ରାଜ୍ୟ ମଧ୍ୟରେ ପ୍ରଥମ ହୋଇଛି । ୨୫ ଏପ୍ରିଲ୍ ୨୦୨୫ ସୁଦ୍ଧା ସମଗ୍ର ଦେଶରେ ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ ସାମଗ୍ରିକ ଭାବେ ୧,୦୮,୨୧୨.୪୨ କୋଟି ହୋଇଥିବା ବେଳେ ଓଡ଼ିଶା ଏକାକୀ ୩୧,୩୨୪ କୋଟି ଟଙ୍କା ସଂଗ୍ରହ କରିଛି । ଆଜି ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଜାତୀୟସ୍ତରୀୟ କର୍ମଶାଳାରେ ଯୋଗ ଦେଇ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୁ୍ୟମ୍ନ ମହାକୁଡ଼ ଏହି ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି ।
କେନ୍ଦ୍ର ସରକାରଙ୍କ କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଜି.କିଶାନ ଯୋଗଦେଇ ଜିଲ୍ଲା ଖଣିଜ ପାଣ୍ଠି ସଂଗ୍ରହ ଓ କାର୍ଯ୍ୟକାରିତାରେ ଆଗୁଆ ଥିବା ଯୋଗୁଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏବଂ କେନ୍ଦ୍ର ଖଣି ସଚିବ ସଚିବ ଏଲ୍ କାନ୍ଥା ରାଓ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦୁଝର ଜିଲ୍ଲାପାଳଙ୍କ ସମେତ ଦେଶର ଅନ୍ୟ ବିଭିନ୍ନ ରାଜ୍ୟର ୪ ଜିଲ୍ଲାପାଳ ମିଳିତ ଭାବେ ଡିଏମଏଫ୍ ପାଣ୍ଠି ସଂଗ୍ରହ ଏବଂ ଏହାର ଉପଯୋଗିତାରେ କିପରି ସ୍ୱଚ୍ଛତା ବଜାୟ ରହିପାରୁଛି, ସେ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନୁଗୋଳ ଜିଲ୍ଲାପାଳଙ୍କ ଟିମ୍ର ସଦସ୍ୟମାନେ ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ ଓ ଏହାର କାର୍ଯ୍ୟକାରିତାରେ ରହୁଥିବା ଆହ୍ୱାନ ଓ ଏହାର ସମାଧାନ ସଂପର୍କରେ ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ କର୍ମଶାଳାରେ ଏକ କଫିଟେବୁଲ୍ ବୁକ୍ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପ୍ରକାଶ ଯୋଗ୍ୟ ଯେ, ଦେଶର ୨୩ ଟି ରାଜ୍ୟର ୬୪୬ ଟି ଜିଲ୍ଲାରେ ଡିଏମଏଫ୍ ପ୍ରତିଷ୍ଠା କରାଯାଇଛି । ଡିଏମଏଫ୍ ପାଣ୍ଠି ସ୍ଥାପନରେ ଏହା ଚଳିତ ବର୍ଷ ଏକ ଦଶନ୍ଧି ପୂରଣ କରିଛି ।