ଧରାପଡ଼ିଲା ଚୋରା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡ
ଭୁବନେଶ୍ବର: କଟକ ବୟାଳିଶ ମୌଜାରୁ ଠାବ ହୋଇଥିବା ଚୋରା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡ ଧରାପଡ଼ିଲା । ମାଷ୍ଟର ମାଇଣ୍ଡକୁ ଧରିବାରେ ସଫଳ ହୋଇଛି ଓଡ଼ିଶା କ୍ରାଇମବ୍ରାଞ୍ଚ ଏସଟିଏଫ୍। ଅଭିଯୁକ୍ତର ନାମ ମହମ୍ମଦ୍ ଅସଲମ୍ ବୋଲି ଜଣାପଡ଼ିଥିବା ବେଳେ ତାକୁ ବିହାରର ମୁଙ୍ଗେରରୁ ଓଡ଼ିଶା ପୁଲିସ ଧରିଛି । ଅଭିଯୁକ୍ତ ଓଡ଼ିଶାରୁ ବିହାର, ପଶ୍ଚିମବଙ୍ଗ ଓ ଝାରଖଣ୍ଡକୁ ଚୋରାବନ୍ଧୁକ ଚାଲାଣ କରୁଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସ ୧୩ ତାରିଖରେ କଟକ ବୟାଳିଶ ମୌଜାରୁ ଚୋରା ବନ୍ଧୁକ କାରଖାନା ଠାବ ହୋଇଥିଲା । ବେଣ୍ଟକର ଥାନା ଧୂଳେଶ୍ବର ଗାଁ ସିଢ଼ୁଆ ନଦୀ କୂଳରେ ଏକ ଚାଳ ଛପର ଗୁହାଳ ଘରେ ଏହି ମିନି ମାଉଜର୍ ଫ୍ୟାକ୍ଟ୍ରି ଚାଲିଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ କାରଖାନାରେ ନିୟୋଜିତ ଥିବା ବିହାରୀ କାରିଗରଙ୍କ ସମେତ ୪ଜଣଙ୍କୁ ଜେଲ୍ ପଠାଇଥିଲା। କିନ୍ତୁ ଏହି ଭୟଙ୍କର ଆଗ୍ନେୟାସ୍ତ୍ର ବେପାରର ମାଷ୍ଟର ମାଇଣ୍ଡ ଧରାପଡ଼ିନଥିଲା । ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଏହି କାରବାରର ନେଟୱାର୍କ ବିଛାଇଥିବା ଚାଲାଣକାରୀ ଚଗଲା ଖୁଣ୍ଟିଆକୁ ଠାବ କରିଥିଲା ଏସଟିଏଫ୍ । ତା’ ମୋବାଇଲ୍ରୁ ଏହି କାରବାର ବାବଦରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବା ପରେ ଏସଟିଏଫ୍ ଚୋରା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡ ମହମ୍ମଦ୍ ଅସଲମ୍କୁ ଧରିବା ପାଇଁ ସଫଳ ହୋଇଥିଲା ।
ରିପୋର୍ଟ - ହେନାମଞ୍ଜରୀ ସ୍ୱାଇଁ