"ଜଗନ୍ନାଥ' ଶବ୍ଦର ଉତ୍ପତ୍ତି ଓ ବିବର୍ତ୍ତନ
ସୌର ଚନ୍ଦ୍ର ମହାପାତ୍ର :
ଳନାତୀତ କାଳରୁ ଜଗନ୍ନାଥ ପୀଠରେ ପୂଜା ଉପାସନା ପ୍ରଚଳିତ ଥିଲେ ହେଁ, "ଜଗନ୍ନାଥ' ଶବ୍ଦର ଉତ୍ପତ୍ତି ଆଦିମ ଶବର ଜାତିର ଧର୍ମ ଓ ଭାଷାରୁ ନିଷ୍ଠନ୍ନ ବୋଲି ବହୁ ବିଦ୍ୱାନ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଡକ୍ଟର ବେଣୀମାଧବ ପାଢ଼ୀଙ୍କ ଭାଷାରେ "ଜଗନ୍ତ' ଶବ୍ଦର ସଂସ୍କୃତ ରୂପ ହେଉଛି "ଜଗନ୍ନାଥ' । ସତ୍ତାର ଭାଷାର ଅଭିଧାନରେ "କିତୁଙ୍ଗ' କହିଲେ ଦେବତା । କିନ୍ତୁ କିତୁଙ୍ଗ ବୋଲି କୌଣସି ନିର୍ଦ୍ଦିଷ୍ଟ ଦେବତାଙ୍କ ନାମ ନାହିଁ, ଏହା ଏକ ସାଧାରଣ ଅର୍ଥସୂଚକ ଶବ୍ଦ । କିତୁଙ୍ଗଙ୍କର ଦଶଟି ରୂପେ ବୋଲି ଶବରମାନେ ଗ୍ରହଣ କରିନେଇଛନ୍ତି । ଏହା ହେଉଛି ଜଗନ୍ତ, ତୋଡ଼, ତୁମନ, ଭୀମ, ରଂରଂ, ଗର୍ସିଦ, ରୋମନ୍, ଜୋଜେପଳ, ମତ୍ତ, ତିତି । ଏହି ଦଶଟି ନାମକୁ ଦଶ ଭାଇ ରୂପେ ମଧ୍ୟ ଗ୍ରହଣ କରାଯାଏ । "ଜଗନ୍ତ' ଶବ୍ଦରୁ "ଜଗନ୍ନାଥ' ଶବ୍ଦର ଉତ୍ପତ୍ତି ପୁରା ଯୁକ୍ତିଯୁକ୍ତ ମନେହୁଏ, କାରଣ ପଣ୍ଡିତମାନେ କଦଳୀ, ନାରୀକେଳ, କୁକୁଟ ପ୍ରଭୃତି ଅନେକ ଶବ୍ଦ ଅଷ୍ଟ୍ରିକ ଶବ୍ଦରୁ ଉତ୍ପନ୍ନ ବୋଲି ପ୍ରମାଣ କରିସାରିଛନ୍ତି ।
ଏହା ବ୍ୟତୀତ ଅଶ୍ୱତଥ ବା ପିପ୍ପଳ ବୃକ୍ଷ ପ୍ରାଚୀନ ପ୍ରୋଟୋ ଅଷ୍ଟ୍ରେଲଏଡ଼ ମାନଙ୍କର ଉପାସ୍ୟ ଥିଲା ଓ ସେମାନଙ୍କ ଧର୍ମ "ଅଶ୍ୱତ୍ଥ ଧର୍ମ' ନାମରେ ପରିଚିତ ଥିଲା । ପରବର୍ତ୍ତୀ କାଳରେ ବୈଷ୍ଣବ ଧର୍ମରେ ବିଷ୍ଣୁଙ୍କ ସହସ୍ରନାମାନ୍ତର୍ଗତ ଗୋଟିଏ ନାମ ମଧ୍ୟ "ନ୍ୟଗ୍ରୋଧୋଦୁମ୍ବରୋଦ୍ଧଶ୍ୱତ୍ଥ ।' ପୁନଶ୍ଚ ଓଡ଼ିଶାର କେତେକ ମାଳ ଅଞ୍ଚଳର ଶବର ବା ସତ୍ତାର ମାନେ "କାଠଗଣ୍ଡି ବା ମାଦଳା' ପୂଜା କରୁଥିଲେ । ମୁଖ ଓ ଚକ୍ଷୁବିଶିଷ୍ଟ କାଠର ଖଣ୍ଡର ପୂଜା ଅଦ୍ୟାପି ପ୍ରଚଳିତ ଅଛି । ଏହି ମାଦଳା ଶବ୍ଦରୁ ଜଗନ୍ନାଥ ମନ୍ଦିରର ପଞ୍ଜିକାର ନାମ ମାଦଳା ପାଞ୍ଜି ବୋଲି ଅଭିହିତ କରାଯାଇଥିବା ଯଥାର୍ଥ ମନେହୁଏ । କେବଳ ଓଡ଼ିଶାର ଶବର ଜାତି କାହିଁକି, ପୃଥିବୀର ବିଭିନ୍ନ ଜାତି ଉପଜାତି ମାନଙ୍କର କଥା ଉପକଥାରେ ମଧ୍ୟ ବୃକ୍ଷକୁ ଦେବତା ରୂପେ ପୂଜା କରିବାର ପରମ୍ପରା ଦୃଷ୍ଟିଗୋଚର ହୁଏ । ପ୍ରାଚୀନ ଗ୍ରୀସରେ "ଜୀୟସ୍' ନାମକ ଦେବତା ଓକ ବୃକ୍ଷର ଦେବତା ରୂପେ ଉପାସିତ ହେଉଥିଲେ । ଅତୀତ କାଳରେ ଜେରୁଜେଲମର ମନ୍ଦିରରେ କାଷ୍ଠ ଖୁଣ୍ଟକୁ ଦେବତା ଭାବେ ପୂଜା କରାଯାଉଥିଲା । ତିବ୍ଦତ ଓ ବ୍ରହ୍ମ ଦେଶରେ ମଧ୍ୟ ଦାରୁମୂର୍ତ୍ତି ଉପାସନା ବହୁ ପ୍ରାଚୀନ କାଳରୁ ପ୍ରଚଳିତ ଥିବାର ଅନେକ କିମ୍ବଦନ୍ତୀ ରହିଛି । ଏହି ଦୃଷ୍ଟିରୁ ପର୍ଯ୍ୟାଲୋଚନା କଲେ ଖ୍ରୀ.ର୍ପୂ ୧୮୦୦ ପୂର୍ବରୁ ଉକ୍ରଳରେ ତଥା ଶ୍ରୀକ୍ଷେତ୍ରରେ ଜଗନ୍ନାଥ ଦାରୁବିଗ୍ରହ ସ୍ଥାନରେ କୌଣସି ପବିତ୍ର ଅଶ୍ୱତ୍ଥ କିମ୍ବ ପିପ୍ପଳ ଦେବତା ରୂପେ ଉପାସିତ ହେଉଥିଲା ବୋଲି କହିଲେ ଐତିହାସିକ ତ୍ରୁଟି ହେବନାହିଁ ।
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଶକ୍ତିମାନ, ସର୍ବବ୍ୟାପୀ, ରହସ୍ୟମୟ, ନିରାକାର, ନିର୍ବିକଳ୍ପ, ଅବିନାଶୀ, ଅନ୍ତର୍ଯ୍ୟାମୀ ଇତ୍ୟାଦି । "ଶ୍ରୀ'ର ଅର୍ଥ ଲକ୍ଷ୍ମୀ, ଭକ୍ତି-ପ୍ରୀତି-ଶୋଭା ପ୍ରଦାୟିନୀ ଶକ୍ତି । "ଜ'ର ଅର୍ଥ ହେଉଛି ସୃଷ୍ଟିର ସ୍ଥଳ ଜଗନ୍ମୟ, ଜ୍ୟୋତିସ୍ୱରୂପ, ସର୍ବଦେବତା, ବେଦମନ୍ତ୍ର ଯୋଗ-ଜ୍ଞାନ ପ୍ରଭୃତିର ଜନ୍ମସ୍ଥଳ । "ଗ'ର ଅର୍ଥ ହେଉଛି ଗୁହ୍ୟ, ଅନନ୍ତ, ଗୋଲକ, କଷ୍ଟ ନିବାରକ । "ନ୍ନା' ବା "ନ'ର ଅର୍ଥ ହେଉଛି ନିର୍ବିକଳ୍ପ, ନିରାକାର, ମହାନିତ୍ୟ, ଅବିନାଶୀ, ନାମରୂପୀ ଇତ୍ୟାଦି । "ଥ'ର ଅର୍ଥ ସର୍ବଭୂତ ଆତ୍ମା, ସୁଦର୍ଶନ, ସ୍ଥିରବୁଦ୍ଧି, ଧର୍ମ-ଅର୍ଥ-କାମ-ମୋକ୍ଷର ଜନ୍ମସ୍ଥଳ ଏବଂ ସର୍ବପ୍ରାଣୀ ହିତକାରୀ ।
ଏହିଭଳି ଭାବରେ ଏକ ସାମୂହିକ ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ ଯେ, କାଳ ପ୍ରବାହର ବିଭିନ୍ନ ସ୍ତରରେ ଜଗନ୍ନାଥ ତଥା ଜଗନ୍ନାଥ ତତ୍ତ୍ୱ ନାନାରୂପରେ ପ୍ରକଟିତ ହୋଇଛି ଏବଂ ଜୈନ, ବୌଦ୍ଧ, ଶାକ୍ତ, ଶୈବ, ସୌର, ଗାଣପତ୍ୟ, ବାସୁଦେବୋପାସକ, ମାଧବୋପାସକ, ରାମୋପାସକ, ଲକ୍ଷ୍ମୀ ନୃସିଂହୋପାସକ, କୃଷ୍ଣୋପାସକ ପ୍ରମୁଖ ବିଭିନ୍ନ ମତବାଦୀ, ବିଭିନ୍ନ ଧର୍ମାବଲମ୍ବୀ ଗୋଷ୍ଠୀ ଜଗନ୍ନାଥ ତଥା ଜଗନ୍ନାଥ ଧର୍ମକୁ ପୃଥକ ପୃଥକ ଭାବରେ ଗ୍ରହଣ କରିବା ଫଳରେ ଏହା ଏକ ସ୍ୱତନ୍ତ୍ର ସାର୍ବଜନୀନ ଧର୍ମରେ ପରିଣତ ହୋଇ ପାରିଛି ।
ରଥଯାତ୍ରା ସମୟରେ ପୁରୀକୁ ଯେଉଁ ବିପୁଳ ଜନସମାଗମ ହୁଏ ତାହା ଅନେକ ଦିନରୁ ବିଦେଶୀମାନଙ୍କୁ ଆଶ୍ଚର୍ଯ୍ୟ କରି ଆସିଛି । ଇଂରେଜ ଶାସନ ସମୟରେ ଇଂରେଜ ପ୍ରଶାସନର ତତ୍ତ୍ୱାବଧାନରେ ରଥଯାତ୍ରା ହେଉଥିଲା । ସେତେବେଳେ ଅନେକ ୟୁରୋପୀୟ ଦର୍ଶକ ଓ ପର୍ଯ୍ୟଟକ ରଥଯାତ୍ରା ଦେଖିବାକୁ ପୁରୀ ଆସୁଥିଲେ । ଏକଥା ସତ୍ୟ ଯେ ସେମାନଙ୍କ ଭିତରୁ ଅଧିକାଂଶ ମନରେ ଏ ବିଶାଳ ଜନସମୁଦ୍ର ଭିତରେ ଜଗନ୍ନାଥଙ୍କୁ ନେଇ ଯେଉଁ ପ୍ରେମର ଭାବଟି ଲହଡ଼ି ଭାଙ୍ଗୁଥାଏ, ତାକୁ ବୁଝିବାର ମାନସିକତା ବା ପ୍ରସ୍ତୁତି ନଥିଲା । ତେଣୁ ରଥଯାତ୍ରା ସମୟରେ ଅତିରିକ୍ତ ଭିଡ଼ ଭିତରେ ଯେତେବେଳେ ତଳେ ପଡ଼ି କେହି ଯାତ୍ରୀ ପ୍ରାଣ ହରାଉଥିଲେ, ବିଦେଶୀମାନେ ତାକୁ ଗୋଟେ ଭୟଙ୍କର ଓ ଅମାନୁଷିକ ଘଟନା ବୋଲି ନିଜ ଦେଶରେ ପ୍ରଚାର କରୁଥିଲେ । ସେମାନେ କହୁଥିଲେ, ଜଗନ୍ନାଥଙ୍କ ରଥଘୋର ଗର୍ଜନ କରି କୌଣସି ବାଧାବିଘ୍ନ ନମାନି ତାର ଗନ୍ତବ୍ୟ ପଥରେ ଚାଲୁଥାଏ, ଯିଏ ତା ଚକ ତଳେ ପଡ଼େ ତାର ମରଣ ହୁଏ । ଓ କଥାଟି ସେତେବେଳେ ୟୁରୋପରେ ଏତେ ପ୍ରଚାରିତ ହେଲା ଯେ "ଜଗନ୍ନାଥ' ଶବ୍ଦଟି ଇଂରେଜୀ ଭାଷାରେ ବି ରହିଗଲା । ଏହାର ଅର୍ଥ କରାଗଲା, ଯିଏ କୌଣସି ବାଧାବିଘ୍ନ ନମାନି ନିର୍ମମ ଭାବରେ ସବୁ ମାଡ଼ି ମକଚି ଧ୍ୱଂସ କରି ଅବିରାମ ଗତି କରୁଥାଏ, ତାକୁ କୁହାଯାଏ "କ୍ସକ୍ଟକ୍ଷକ୍ଷସଦ୍ଭଶ କ୍ଷସଳର ଗ୍ଧଷର ମବକ୍ସ କ୍ଟଲ ଔଙ୍କଶଶରକ୍ସଦ୍ଭବଙ୍କଗ୍ଧ' ବା କେବଳ "ଔଙ୍କଶଶରକ୍ସଦ୍ଭବଙ୍କଗ୍ଧ' । ଏହି ଭୁଲ ଧାରଣାଟି ଇଂଲଣ୍ଡରୁ ଯାଇ ଆମେରିକାରେ ବି ପହଞ୍ଚô ଯାଇଥିଲା । ସେଠାରେ ବି ତାହା ଏତେ ପ୍ରସାର ଲାଭ କରିଥିଲା ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ରାଷ୍ଟ୍ରପତି ରୁଜଭେଲ୍ଟ ତାଙ୍କ ଦେଶର ଯୁଦ୍ଧ ସାମଗ୍ରୀ ତିଆରି ଯୋଜନା ଦ୍ରୁତଗତିରେ ବିନା ବାଧାରେ ଆଗେଇ ଚାଲିଛି ବୋଲି ବୁଝେଇବାକୁ ଯାଇ କହିଥିଲେ "ଙଙ୍କକ୍ସ ଜ୍ଞବମଷସଦ୍ଭରଗ୍ଦ କ୍ସକ୍ଟକ୍ଷକ୍ଷଗ୍ଦ କ୍ଷସଳର ଗ୍ଧଷର ମବକ୍ସ କ୍ଟଲ ଔଙ୍କଶଶରକ୍ସଦ୍ଭବଙ୍କଗ୍ଧ' ଆମର କାରଖାନାଗୁଡ଼ିକ ଜଗନ୍ନାଥଙ୍କ ରଥ ଭଳି ଦ୍ରୁତଗତିରେ ବିନା ବାଧାରେ କାମରେ ଲାଗିଛନ୍ତି । ଭାରତ ଓ ବିଦେଶରେ ଖବରକାଗଜ ମାନଙ୍କରେ ଏହାର ପ୍ରତିବାଦ ମଧ୍ୟ ପ୍ରକାଶିତ ହୋଇଥିଲା ।
ଇଂରେଜ ଶାସନ ସମୟରେ କିଛି ଇଂରେଜ ହାକିମ ରଥଯାତ୍ରାରେ ଲୋକଙ୍କ ମୃତୁ୍ୟ ଘଟୁଛି ବୋଲି ଦର୍ଶାଇ ତାହାକୁ ବନ୍ଦ କରିବା ପାଇଁ ମଧ୍ୟ ପ୍ରସ୍ତାବ ରଖିଥିଲେ । ତେବେ ଅନେକ ଇଂରେଜ ପ୍ରଶାସକ ବି କହିଥିଲେ ଯେ ରଥ ତଳେ ପଡ଼ି ମରିବା ଲୋକ ସଂଖ୍ୟା ବେଶି ନୁହେଁ, ଏହା ଆତ୍ମହତ୍ୟା ନୁହେଁ, କେବଳ ସାଧାରଣ ଦୁର୍ଘଟଣା, ତେଣୁ ଏହାକୁ ନେଇ ବିବ୍ରତ ହେବା ଦରକାର ନାହିଁ । ଖ୍ରୀ. ୧୮୭୩ ମସିହା ଜୁଲାଇ ୫ ତାରିଖରେ ଉକ୍ରଳ ଦୀପିକାରେ ପ୍ରକାଶିତ ନିମ୍ନ ଖବରଟି ତାର ପ୍ରମାଣ । (ପାଠକ ମାନଙ୍କୁ ଜଣାଥିବ ଯେ ଅଳ୍ପଦିନ ତଳେ ଆମ୍ଭମାନଙ୍କ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଶ୍ରୀଯୁକ୍ତ କାମ୍ବେଲ ସାହେବ ରଥଯାତ୍ରା ପ୍ରତିକୂଳରେ ମନ୍ତବ୍ୟ ଲେଖି ଗଭର୍ଣ୍ଣମେଣ୍ଟ ଇଣ୍ଡିଆଙ୍କ ପରାମର୍ଶ ପାଇଁ ପଠାଇଥିଲେ ଓ ତହିଁରେ ଲେଖିଥିଲେ ଯେ ରଥ ସବୁ ବୃହଦାକାର ଓ ବିଶୃଙ୍ଖଳ ରୂପେ ହେଉଥିବାରୁ ତଦ୍ୱାରା ଅନେକ ବିପଦ ଘଟିବାର ସମ୍ଭାବନା ଓ ତାହା ଉଠାଇଦେଲେ ଅନାୟାସରେ ହୋଇପାରେ, କାରଣ ଯେଉଁମାନେ ପ୍ରକୃତ ହିନ୍ଦୁ ସେମାନେ ଏଥିରେ ବିରକ୍ତ ହେବେ । ତାଙ୍କ ସଂଖ୍ୟା ଅତ୍ୟଳ୍ପ ଅଟଇ । ନିତାନ୍ତ ପକ୍ଷରେ ରଥ ସବୁ କ୍ଷୁଦ୍ର କ୍ଷୁଦ୍ର ନହେଲେ ଓ ତଦ୍ୱାରା ସଂକଟ ଘଟିବାର ଆଶଙ୍କା ନଥିଲେ ତାହା ଟଣାଯିବା ପାଇଁ ମାଜିଷ୍ଟ୍ରେଟଙ୍କୁ ଆଜ୍ଞା ଦିଆଯାଇପାରେ । ମହାମାନ୍ୟ ଲର୍ଡ଼ ନର୍ଥବ୍ରୁକ ସାହେବ, ଯିଏ କୌଣସି ଧର୍ମ ପ୍ରତି ତିଳାର୍ଧ ପକ୍ଷପାତୀ ନୁହନ୍ତି ଓ ସମସ୍ତ ସଂପ୍ରଦାୟର ଧର୍ମକୁ ସମାନ ରୂପେ ମାନ୍ୟ କରନ୍ତି, ଉକ୍ତ ପତ୍ରରେ ଲେଖିଅଛନ୍ତି "ରଥ ଦ୍ୱାରା ଅଧିକ ସଂକଟ ଘଟିବାର ପ୍ରମାଣ ନାହିଁ ଓ ତହିଁରେ ହସ୍ତକ୍ଷେପ କରିବା ଅନାବଶ୍ୟକ । ଯତକିଞ୍ଚôତ ଯେବେ ଦୁର୍ଘଟଣା ହୁଅଇ ତାହା ମାଜିଷ୍ଟ୍ରେଟ ଓ ପୁଲିସଙ୍କ ସାବଧାନତା ଦ୍ୱାରା ଯଥାର୍ଥ ରୂପେ ନିବାରିତ ହୋଇପାରେ ।' ମାନ୍ୟବର ପ୍ରତିନିଧି ସାହେବଙ୍କୁ ଏଥିପାଇଁ ଆମ୍ଭେମାନେ ସହସ୍ର ସହସ୍ର ଧନ୍ୟବାଦ ଦେଉଅଛୁ ।)
କଟକ
ମୋ : ୯୪୩୭୦୦୪୪୬୬