କାରଣ ଭିନ୍ନ, ଉଦେ୍ଦଶ୍ୟ ଭିନ୍ନ
ଗତ କିଛି ଦିନ ହେଲା ରାଜ୍ୟରେ ମହିଳାମାନଙ୍କ ଉପରେ ବଢୁଥିବା ଅତ୍ୟାଚାରକୁ ନେଇ ରାଜ୍ୟରେ ରାଜନୀତିକ ବାଦବିବାଦ ଦେଖା ଦେଇଛି । ମହିଳାମାନଙ୍କ ଉପରେ ଅତ୍ୟାଚାର ସମ୍ପର୍କିତ ଅଭିଯୋଗ କୌଣସି ଗୋଟିଏ ରାଜନୀତିକ ଦଳରେ ସୀମିତ ନୁହେଁ । ସବୁ ରାଜନୀତିକ ଦଳର ନେତାମାନଙ୍କ ନିର୍ଯ୍ୟାତନା ମାମଲାରେ ସମ୍ପୃକ୍ତି ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବରେ ରହିଛି । ତେଣୁ ପୁଲିସ୍ ରାଜନୀତିକ ଦୃଷ୍ଟିକୋଣରୁ ପଦକ୍ଷେପ ନେବା କ୍ଷେତ୍ରରେ ଚାପର ସମ୍ମୁଖୀନ ହେଉଛି । ତେବେ ଘଟି ଯାଇଥିବା ଅପରାଧଗୁଡ଼ିକର ବିଶ୍ଳେଷଣ କରିଲେ ଦେଖାଯାଉଛି ଯେ ଲୋକପ୍ରିୟ ପାରିବାରିକ ଧାରାବାହିକ ଭାବରେ ଟେଲି ସିରିଏଲ୍ରେ ମହିଳାମାନଙ୍କ ପ୍ରତି ଯେଉଁସବୁ ଉତ୍ପୀଡ଼ନ, ଷଡ଼ଯନ୍ତ୍ର ଓ ଆକ୍ରମଣର ପ୍ରଦର୍ଶନ କରାଯାଉଛି ଠିକ୍ ସେହି ଶୈଳୀରେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ୍ କଲେଜ୍ର ଛାତ୍ରୀମାନଙ୍କ ଉପରେ ଆକ୍ରମଣ, ଅପହରଣ, ନିଆଁ ଲଗାଇବା ଭଳି ଘଟଣା ଘଟୁଛି । ବର୍ତ୍ତମାନ ରାଜ୍ୟରେ ମହିଳାମାନଙ୍କ ପ୍ରତି କ୍ରମବର୍ଦ୍ଧିଷ୍ଣୁ ଅପରାଧର ଏକ କାରଣ ଭାବରେ ଟେଲି ସିରିଏଲ୍ଗୁଡ଼ିକୁ ଦାୟୀ କରାଯାଇପାରିବ । ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ମହିଳାମାନଙ୍କ ଉପରେ ଅପରାଧ, ହିଂସା, ଛୁରି, ବନ୍ଧୁକ, ବମ୍, ଅପହରଣ ଆଦିକୁ ବାଦ୍ ଦେଇ କଣ ପାରିବାରିକ ସମସ୍ୟା ସମ୍ପର୍କିତ ସିରିଏଲ୍ ହୋଇପାରିବ ନାହିଁ ।
ସମାଜରେ ପ୍ରତ୍ୟେକ ପରିବାରରେ କିଛି ନା କିଛି ସମସ୍ୟା ଲାଗି ରହିଛି ସତ; ମାତ୍ର ସମସ୍ତଙ୍କ ଘରେ ଗୁଳି, ବନ୍ଧୁକ, ବମ୍, ଅପହରଣ, ନିଆଁ ଲଗା ହେଉନାହିଁ । କେତେବେଳେ ପରିବାର ଭାଙ୍ଗିଯାଉଛି ତ ଆଉ କେତେବେଳେ ଯୋଡ଼ି ହୋଇଯାଉଛି । ଏସବୁ ଘଟଣା ଗୁଡ଼ିକୁ କାହାଣୀରୁ ଅଣଦେଖା କରି କେବଳ ହିଂସା, ବମ୍, ଗୁଳି, ଛୁରୀ, ମହିଳା ଅପହରଣ, ବିଷ ପ୍ରୟୋଗ, କିରୋସିନ୍, ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ଦେବା ଆଦି ଦୃଶ୍ୟଗୁଡ଼ିକ ଉପରେ ହିଁ ଗୁରୁତ୍ୱ ଦିଆଯାଉଛି । ମାର୍ପିଟ୍, ହତ୍ୟାକାଣ୍ଡ ଆଦି ନଥିଲେ ଟିଭି ସିରିଏଲ୍ଟିଏ ହୋଇପାରୁନାହିଁ । ସମାଜ ବିପଥଗାମୀ ହେବା ସମୟରେ ମନୋରଞ୍ଜନ ଜଗତ କେବଳ ତାକୁ ହିଁ ଦେଖାଇବା କ୍ଷୋଭର ବିଷୟ । ଟେଲି ଧାରାବାହିକଗୁଡ଼ିକରେ କୌଣସି ଅପରାଧୀ କେବେ ହେଲେ ଆଇନ୍ର ବ୍ୟବସ୍ଥା ଭିତରେ ଦଣ୍ଡିତ ହୁଅନ୍ତି ନାହିଁ; ବରଂ ବିଚାର ବିଭାଗ, ପୁଲିସ୍ ବିଭାଗ ଆଦିକୁ ଦୁର୍ନୀତିଗ୍ରସ୍ତ ଭାବରେ ପ୍ରର୍ଦଶନ କରାଯାଏ । ସତେ ଯେମିତି ଏ ଦୁଇଟି ବିଭାଗ କେବଳ ଧନୀମାନଙ୍କ ପକେଟ୍ ଭିତରେ ବନ୍ଧା ହୋଇଛନ୍ତି ଆଉ ଗରିବମାନଙ୍କୁ ଥାନା କିମ୍ବା ନ୍ୟାୟଳୟର ଦୁଆର ମଡ଼େଇ ଦିଅନ୍ତି ନାହିଁ । ଏ ପ୍ରକାରର ମନୋବୃତ୍ତିକୁ ଟେଲିଭିଜନ୍ର ମନୋରଞ୍ଜନ ଜଗତ ଦେଖୁଥିବାରୁ ପ୍ରାଧାନ୍ୟ ଦେଇ କ୍ରମାଗତ ଭାବରେ ଦେଖେଇ ଚାଲିଥିବାରୁ ଆଜି ରାଜ୍ୟରେ ଶିଶୁ, ମହିଳା, ସ୍କୁଲ୍ କଲେଜ୍ ପଢୁଆ ଛିଅମାନେ ନିରାପଦ ନୁହଁନ୍ତି । ଶିଶୁ, ମହିଳା, ଛାତ୍ରୀମାନଙ୍କ ଉପରେ କୌଣସି ଏକ ଅମାନୁଷିକ ଅତ୍ୟାଚାରି କିମ୍ବା ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇବା ଭଳି ଘଟଣାଟିଏ ଘଟିଲେ ଘଟଣା କିଭଳି ଭାବରେ ପ୍ରଭାବିତ ହେଲା ସେ ସମ୍ପର୍କରେ କାହାରି ତର୍ଜମା ନାହିଁ । କେବଳ ଦୋଷୀକୁ ଧରିବା ଏବଂ ଗିରଫ କରିବା-ଏହି ଦୁଇଟି ଦାବି ଉପରେ ବିରୋଧୀମାନେ ଅଡ଼ି ବସୁଛନ୍ତି । ଅନ୍ୟପକ୍ଷରେ ଗିରଫ ହେବା କିମ୍ବା ପୁଲିସ୍ ହେପାଜତ୍କୁ ଯିବା ଅର୍ଥ ଜଣେ ଦୋଷୀ ନୁହେଁ । ଆଇନ୍ ଅଦାଲତ ଓ ନାଲିଫିତାର ଚକ୍ରବୁ୍ୟହ ଭିତରେ ଏ ମାମଲାଗୁଡ଼ିକ କେତେ ବର୍ଷ ଯେ ଲାଗିଯାଏ ତାର ହିସାବ ନାହିଁ । ସେତେବେଳକୁ ଆଉ କୌଣସି ରାଜନୀତିକ ଦଳ ଦୃଶ୍ୟପଟ୍ଟରେ ଆଉ ଦେଖାଯାଆନ୍ତି ନାହିଁ । ଏଣେ କ୍ଷତିଗ୍ରସ୍ତ ପକ୍ଷ ଚିକିତ୍ସା ବାବଦର ଖର୍ଚ୍ଚ, ମାଲି ମୋକଦ୍ଦମାର ଖର୍ଚ୍ଚ ଆଦିରେ ଘାଣ୍ଟି ହୋଇ ସର୍ବସ୍ୱାନ୍ତ ହୁଅନ୍ତି ଏବଂ ତଥାକଥିତ ଅଭିଯୁକ୍ତ ନିଦେ୍ର୍ଦାଷ ସାବ୍ୟସ୍ତ ହୋଇଯାଆନ୍ତି । ଏହି କାରଣରୁ ରାଜନୀତିକ ଦଳଗୁଡ଼ିକ ଏ ପ୍ରକାରର ଘଟଣାକୁ ହଟଚମଟ ସୃଷ୍ଟିର ପ୍ରସଙ୍ଗ କରୁଥିବା ବେଳେ ସମାଜର ସଭ୍ୟ ନାଗରିକ ଏ ମାଲିମୋକଦ୍ଦମାରୁ ଦୁରେଇ ରହୁଛନ୍ତି । ଏନେଇ ଉପାୟ ବାହାର କରାଯିବା ଉଚିତ୍ ।