୨୬ଟି ରାଫେଲ୍ ଯୁଦ୍ଧ ବିମାନ ଆସୁଛି ଭାରତ

 ଭାରତର ଶକ୍ତି ବଢିବ । ଫ୍ରାନ୍ସରୁ ଭାରତ ଆସୁଛି ରାଫେଲ୍ ବିମାନ । ସମୁଦ୍ର ପଥରେ ଭାରତ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ଆଉ ୨୬ଟି ରାଫେଲ୍ ଯୁଦ୍ଧ ବିମାନ ଫ୍ରାନ୍ସଠାରୁ ଆଣୁଛି । ୬୩ ହଜାର କୋଟିର ଏହି ଡିଲରେ ଭାରତ, ଫ୍ରାନ୍ସଠାରୁ ୨୨ଟି ସିଙ୍ଗଲ୍ ସିଟର ରାଫେଲ୍ ଯୁଦ୍ଧ ବିମାନ ଆଉ ୪ଟି ଡବଲ୍ ସିଟର ଫାଇଟର ଯୁଦ୍ଧ ବିମାନ ଆଣିବାକୁ ଯାଉଛି ।ଭାରତ ଏହି ରାଫେଲ୍ ବିମାନ କିଣିବା ଦ୍ୱାରା ସମଗ୍ର ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଫେରିଆସିବ ବୋଲି କୁହାଯାଉଛି । କାହିଁକି ନା, ଏହାଦ୍ୱାରା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇବ । ଭାରତୀୟ ଏୟାରକ୍ରାଫ୍ଟ କ୍ୟାରିଅର INS ବିକ୍ରାନ୍ତ ଏବଂ INS ବିକ୍ରମାଦିତ୍ୟରେ ରାଫେଲ ଯୁଦ୍ଧ ବିମାନକୁ ନିୟୋଜିତ କରାଯିବ । ଯାହାକି କମ୍ ସମୟ ଭିତରେ ଉଡ଼ାଣ ଭରିବାକୁ ସକ୍ଷମ ଅଟେ ।ଜାଣିରଖିବା ଉଚିତ୍ ଯେ, ରାଫେଲ-ଏମ୍ ହେଉଛି ଏକ ମଲ୍ଟିରୋଲ ଫାଇଟର ଜେଟ୍ । ବର୍ତ୍ତମାନ ସମୟରେ ଭାରତ ଏବଂ ଚୀନ୍ ବ୍ୟତୀତ ଅନ୍ୟ କୌଣସି ଦକ୍ଷିଣ ଏସୀୟ ଦେଶରେ ଏୟାରକ୍ରାଫ୍ଟ କ୍ୟାରିଅର ନାହିଁ । ତେଣୁ ଭାରତ ଏହି ରାଫେଲ୍ ବିମାନକୁ ଆଣିଲେ, ଏହାଦ୍ୱାରା ଚୀନ୍ ଏବଂ ପାକିସ୍ତାନ ସମେତ ଭାରତ-ପ୍ରଶାନ୍ତ ମହାସାଗରର ପରିସ୍ଥିତିର ମୁକାବିଲା କରିବା ସହଜ ହୋଇଯିବ । 

ରାଫେଲ୍ ବିଷୟରେ କିଛି ଜାଣିବା କଥା?

ରାଫେଲ-ଏମ୍ ଯୁଦ୍ଧ ବିମାନର ଲମ୍ବ ୫୦.୧ ଫୁଟ ଅଟେ ।  ଏହାକୁ ଜଣେ କିମ୍ବା ଦୁଇ ଜଣ ପାଇଲଟ୍ ଉଡାଇଥାନ୍ତି । ରାଫେଲର ଓଜନ ମାତ୍ର ୧୫ ହଜାର କିଲୋଗ୍ରାମ । ଏହାର ଇନ୍ଧନ କ୍ଷମତା ପ୍ରାୟ ୧୧,୨୦୨ କିଲୋଗ୍ରାମ । ଯାହାଦ୍ୱାରା କି, ଏହା ଅଧିକ ସମୟ ପାଇଁ ଉଡିପାରିବ । ଏହାର ବେଗ ଘଣ୍ଟା ପ୍ରତି ୨୨୦୫ କିମି ଏବଂ ଲକ୍ଷ୍ୟଭେଦ କ୍ଷମତା ୩୭୦୦ କିଲୋମିଟର । 

ଦକ୍ଷିଣ ଏସୀୟ ଦେଶରେ, ଭାରତ ଏବଂ ଚୀନ ବ୍ୟତୀତ ଅନ୍ୟ କୌଣସି ଦେଶରେ ବିମାନ ବାହକ ଜାହାଜ ନାହିଁ । ଚୀନର ବିମାନ ବାହକ ଜାହାଜରେ ତିନି ପ୍ରକାରର ମଲ୍ଟିରୋଲ ଲଢ଼ୁଆ ବିମାନ ନିୟୋଜିତ ରହୁଛି । ପ୍ରଥମଟି ଔ-୧୦ ହେଇଥିବାବେଳେ, ଦ୍ୱିତୀୟଟି ହେଉଛି ଔ-୧୫ ଏବଂ ତୃତୀୟଟି ହେଉଛି ସୁଖୋଇ-୩୦ । ତେଣୁ ଭାରତୀୟ ଏୟାରକ୍ରାଫ୍ଟ କ୍ୟାରିଅରରେ ଯଦି ରାଫେଲ୍ ଭଳି ଯୁଦ୍ଧ ବିମାନ ନିୟୋଜିତ ହେବ, ତେବେ ଭାରତ ଶତ୍ରୁ ଦେଶକୁ ମାତ୍ ଦେବାରେ ସଫଳ ହେଇପାରିବ ।