ତାଣ୍ଡବ ରଚିପାରେ କାଳବୈଶାଖୀ
ଭୁବନେଶ୍ୱର : ଆସନ୍ତା ୫ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ତାଣ୍ଡବ ରଚିପାରେ । ଝଡ଼ବର୍ଷା ସହ ବଜ୍ରପାତ ହେବାର ବି ଆଶଙ୍କା ରହିଛି । ରାଜ୍ୟର ୨୧ ଜିଲ୍ଳାକୁ ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି । କାଳବୈଶାଖୀ ଯୋଗୁଁ ଘର, ଗଛ ଓ ଫସଲ କ୍ଷତି ହେବ । ଲୋକମାନଙ୍କୁ ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ମଧ୍ୟ ଏସଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନଗୁଳ, ଢେଙ୍କାନାଳ, ଭଦ୍ରକ, ଦେବଗଡ଼, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନାଗିରି ଭଳି ୨୧ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ପରିଲକ୍ଷିତ ହେବ । ୫୦ରୁ ୬୦ କମିି ବେଗରେ ପବନ ବହିବାର ଥିବାରୁ ଗଛ, କଚ୍ଚାଘର ଭାଙ୍ଗିଯିବାର ଆଶଙ୍କା ରହିଛି । ସେହିପରି ଫସଲ ମଧ୍ୟ ନଷ୍ଟ ହୋଇପାରେ । ଏଥିପ୍ରତି ସତର୍କ ରହିବାକୁ ପ୍ରଶାସନ ଓ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି । ଆସନ୍ତାକାଲି ପାଇଁ ୧୫ ଜିଲ୍ଲାକୁ କାଳବୈଶାଖୀ ନିମନ୍ତେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଅପ୍ରେଲ ୩ ଓ ୪ ନିମନ୍ତେ ଅନେକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି । ଅପ୍ରେଲ ୩ରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରକୁ ଏବଂ ଅପ୍ରେଲ ୪ରେ ମାଲକାନାଗିରି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନଗୁଳ, ରାୟଗଡ଼ା ଓ କୋରାପୁଟ ନିମନ୍ତେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅପରପକ୍ଷରେ ଆଜି ବୌଦ୍ଧ ଓ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକଡର଼୍ କରାଯାଇଛି । ସେହିପରି ସମ୍ବଲପୁରରେ ୩୯.୨, ସୁନ୍ଦରଗଡ଼ରେ ୩୯.୫, ହୀରାକୁଦରେ ୩୮.୬, ଭବାନୀପାଟଣାରେ ୩୯, ବଲାଙ୍ଗୀରରେ ୪୦.୪, ପାରଳାଖେମୁଣ୍ଡିରେ ୩୯.୨ ଓ ବରଗଡ଼ରେ ୩୯ ଡିଗ୍ରୀ ସେଲସିୟସ୍ ରହିଛି ।