ତାମିଲନାଡୁରୁ ୫୬ ଦାଦନ ଶ୍ରମିକ ଉଦ୍ଧାର 

 ଗୋଲାମୁଣ୍ଡା : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହୋଇ ଘରକୁ ଫେରିବାର ଅନେକ ଦୃଷ୍ଟାନ୍ତ ରହିଛି  । ତା ପରେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି  । ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି ଆଣିବା ଘଟଣା ସାମ୍ନାକୁ ଆସିଛି  । କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ଅନେକ ଦାଦନ ଶ୍ରମିକ ତାମିଲନାଡୁକୁ କାମ ପାଇ ଯାଇଥିଲେ  । କଣ୍ଟାବାଞ୍ଜିର ଜଣେ ଦାଦନ ସର୍ଦାର ଆକବର ଖାନଙ୍କ ଜରିଆରେ ଅଗ୍ରୀମ ଟଙ୍କା ନେଇ କାମ ପାଇଁ ଯାଇଥିଲେ  । ସେଠାରେ ଜଣେ ଇଟା ଭାଟି ମାଲିକଙ୍କ ପାଖରେ ଇଟା ଗଢୁଥିଲେ  । ଦିନକୁ ୧୫ରୁ ୧୬ ଘଣ୍ଟା କାମ କରୁଥିଲେ  । ତଥାପି ଇଟା ଭାଟି ମାଲିକ ଅନେକ ସମୟରେ ଏମାନଙ୍କୁ ମାରପିଟ କରୁଥିବା ଶ୍ରମିକ ଲକ୍ଷ୍ମଣ ବାଗ ପ୍ରକାଶ କରିଛନ୍ତି  । ଏଭଳି ଏକ ଘଟଣା ଗତକାଲି କେସିଙ୍ଗା ରେଳ ଷ୍ଟେସନରେ ଦେଖୁବାକୁ ମିଳିଛି   । ତାମିଲନାଡୁକୁ ଦାଦନ ଯାଇ ସେଠାରେ ନିର୍ଯାତିତ, ନିର୍ଯାତନା ଅସହ୍ୟ ହେବା ପରେ କେତେକ ଶ୍ରମିକ ୟୁଟୁ୍ୟବ ଜରିଆରେ ଶ୍ରମ ବିଭାଗର ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରି ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ  । ପରେ ଶ୍ରମ ବିଭାଗ ଅଧିକାରୀମାନେ ସେଠାରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରି ଓଡିଶା ପଠାଇଛନ୍ତି  । ଟ୍ରେନ ଯୋଗେ କେସିଙ୍ଗା ରେଳ ଷ୍ଟେସନରେ ୫୬ ଜଣ ଶ୍ରମିକ ପହଞ୍ଚିଥିଲେ  । ଷ୍ଟେସନରେ ଜିଲ୍ଲା ଶ୍ରମ ଅଧିକାରୀ ଜିତମ ମାଝୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ପ୍ରେମଚାନ୍ଦ ମାଳୀ, ରେଳ ସୁରକ୍ଷା ବଳୟର ରାହୁଲ ଯାଦବ, ଶ୍ରମ ବାହିନୀ ସଭାପତି ଝସକେତନ ବାଗ, ଅନ୍ନପୂର୍ଣା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଅନୀଲ ସାହୁ, ବିଡିଏସଡବ୍ଲୁ ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଷ୍ଟେସନରେ ଉପସ୍ଥିତ ଥିଲେ  । ସମସ୍ତଙ୍କୁ ଗାଡ଼ିରେ ନିଜ ନିଜ ଗାଁକୁ ପଠାଇ ଦିଆଯାଇଥିଲା  । ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ସମସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରମ ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି  । ଶ୍ରମ ବାହିନୀ ସଂଗଠନ ର ସଭାପତି ଝସକେତନ ବାଗ ନିଜର ଉଦବେଗ ପ୍ରକାଶ କରି କହିଥିଲେ ନିରୀହ ଶ୍ରମିକ ମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ, ଅଗ୍ରୀମ ଟଙ୍କା ର ପ୍ରଲୋଭନ ଦେଇ, ଭଲ ଖାଇବା, ଭଲ ରହିବା, ଉଚିତ୍ ମଜୁରୀ ଦେବା କହି ଲୋକଙ୍କୁ ଠକାମୀର ଶିକାର କରି ଅନ୍ୟ ରାଜ୍ୟକୁ ମାନବ ଚାଲାଣ  କରୁଥିବା ଦଲାଲଙ୍କୁ ଓ ଅନ୍ୟ ରାଜ୍ୟରେ ବନ୍ଧିତ ଶ୍ରମିକ ଭବରେ ଖଟାଉଥିବା ମାଲିକଙ୍କୁ, ସରକାରୀ ନିୟମକୁ ଉଲ୍ଲଂଘନ କରି ବିନା ଭୟରେ ଶ୍ରମିକ ଚାଲାଣ ଓ ବନ୍ଦିତ ଶ୍ରମିକରେ ଲିପ୍ତ ଥିବା ସର୍ଦାର, ଦଲାଲ ବା ମାଲିକ ମାନଙ୍କୁ ଦଣ୍ଡିତ କରାଯିବା ଦରକାର  । ବର୍ତ୍ତମାନ ଉଦ୍ଧାର ହେଇଥିବା ବନ୍ଦିତ ଶ୍ରମିକ ମାନଙ୍କୁ ସମ୍ପୂର୍ଣ୍ଣ ଥଇଥାନ କରିବା ପାଇଁ ସରକାରଙ୍କ ଠାରେ ଦାବି ରଖିଥିଲେ  ।