ପୁଲିସକୁ ଦୁର୍ବ୍ୟବହାର ଅଭିଯୋଗ ୩ ଗିରଫ

 ଝାରସୁଗୁଡା : ବିଜୁ ଏକ୍ସପ୍ରେସ ୱେରେ ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ସ୍କୁଟି ଆରୋହୀ ମୃତୁ୍ୟ ବରଣ କରିଥିଲେ  । ଏହାକୁ ନେଇ ଉତ୍ୟକ୍ତ ଲୋକମାନେ ରାସ୍ତା ରୋକ କରିବା ସହିତ ଦୁର୍ଘଟଣା ଘଟାଇଥିବା ପିକ ଅପ ଭ୍ୟାନକୁ ପୋଡ଼ି ଦେଇଥିଲେ  । ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଶାନ୍ତ କରେଇବା ପାଇଁ ଯାଇ ପୋଲିସ ଓ ଜନତା ମଧ୍ୟରେ ବଚସା ହେବା ସହିତ ଠେଲା ପେଲା ହୋଇଥିଲା  । ଉତ୍ୟକ୍ତ ଲୋକମାନେ ପିକ ଅପ ଡ୍ରାଇଭରକୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ  । ଉକ୍ତ ଡ୍ରାଇଭରକୁ ପୋଲିସ ରକ୍ଷା କରୁଥିବା ବେଳେ ଉତ୍ୟକ୍ତ ଲୋକମାନେ ପୁଲିସକୁ ଆକ୍ରମଣ କରିଥିଲେ  । ଶୁକ୍ରୁବାର ସେମାନଙ୍କ ମଧ୍ୟରୁ ମଞ୍ଜିତ ସିଂ, ଆଦିତ୍ୟ ସିଂ ଏବଂ ଏସକେ ଇମ୍ରାନକୁ ସଦର ଥାନା ପୁଲିସ କେଶ ନମ୍ବର ୨୧୫ ତାରିକ ୨୯.୦୫.୨୦୨୫ ୟୁ/ଏସ - ୧୮୯(୨)/୧୯୧(୨)/୧୨୬(୨)/୨୯୬/୨୮୫/୧୨୧(୧)/୧୩୨/୧୦୯/୩୨୪(୪)/୩୨୬(ବି)/୩୨୬(ଏଫ)/୭୪/୩୫୧(୨)(୩)/୧୯୧(୩)/୧୯୦ ବିଏନଏସରେ ଗିରଫ କରି କୋର୍ଟ ଚାଲାଣ କରିଛି  ।  ଅଭିଯୁକ୍ତ ମାନଙ୍କୁ ଝାରସୁଗୁଡା ଉପ-କାରାଗାରକୁ ପଠେଇ ଦିଆଯାଇଥିବା ସଦର ଥାନାଧିକାରୀ ସ୍ୱପ୍ନା ରାଣୀ ଗୋଛାୟତ କହିଛନ୍ତି  ।