ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନ : ପ୍ରତି ୩ ମାସରେ ଥରେ ହେବ ବୈଠକ
ଭୁବନେଶ୍ବର: ତୃତୀୟଲିଙ୍ଗୀଙ୍କ ପୁନର୍ବାସ ଓ କଲ୍ୟାଣ ପାଇଁ ରାଜ୍ୟ ସରକାର ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି । ଏଥିରେ ୧୬ଜଣ ସଦସ୍ୟ ରହିଥିବାବେଳେ ଆସନ୍ତା ୩ବର୍ଷ ପାଇଁ ଏହି ବୋର୍ଡ କାର୍ଯ୍ୟ କରିବ। ଏହାପରେ ରାଜ୍ୟ ସରକାର ପୁନର୍ବାର ଏହି ବୋର୍ଡ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରିବେ। ପ୍ରତି ୩ମାସରେ ଥରେ ବୋର୍ଡର ବୈଠକ ବସିବ ବୋଲି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଜି ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟ ସାମାଜିକ ସୁରକ୍ଷା ମନ୍ତ୍ରୀ ଏହି ବୋର୍ଡର ଅଧ୍ୟକ୍ଷ, ସଚିବ ଉପାଧ୍ୟକ୍ଷ ଓ ନିର୍ଦ୍ଦେଶକ ଏହି ବୋର୍ଡର ସଦସ୍ୟ ସଚିବ ରହିଛନ୍ତି । ଏହାସହ ସ୍ବାସ୍ଥ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରତିନିଧି, ପଞ୍ଚାୟତିରାଜ, ନଗର ଉନ୍ନୟନ, ବୈଷୟିକ ଶିକ୍ଷା, ଉଚ୍ଚଶିକ୍ଷା, ତୃତୀୟଲିଙ୍ଗୀଙ୍କ ୨ଜଣ ସଦସ୍ୟ, କ୍ରମାନ୍ବୟରେ ୩ ଜିଲ୍ଲାପାଳ ଓ ତୃତୀୟଲିଙ୍ଗୀଙ୍କ ପାଇଁ କାମ କରୁଥିବା ୨ଏନ୍ଜିଓ ପ୍ରତିନିଧି ଏହାର ସଦସ୍ୟଭାବେ ବୋର୍ଡରେ ସ୍ଥାନ ପାଇବେ। ରାଜ୍ୟ ସରକାର ଏହି ସଦସ୍ୟଙ୍କୁ ସମୟ ସମୟରେ ଚୟନ କରିବେ । ଏହି ବୋର୍ଡରେ ସାମିଲ ହେବାକୁ ଥିବା ଅଣତୃତୀୟଲିଙ୍ଗୀ ସଦସ୍ୟଙ୍କ କ’ଣ ଯୋଗ୍ୟତା ରହିବ ସେ ସଂପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଥିବାବେଳେ ବୋର୍ଡର କାର୍ଯ୍ୟ ସଂପର୍କରେ ମଧ୍ୟ ଏଥିରେ ସୂଚନା ଦିଆଯାଇଛି । ତୃତୀୟଲିଙ୍ଗୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ଓ ନିଯୁକ୍ତି ଯୋଜନାର ତଦାରଖ କରିବା ସହ ସେମାନଙ୍କ ସାମ୍ବିଧାନିକ ଓ ମାନବିକ ଅଧିକାରର ସୁରକ୍ଷା କରିବା ଦିଗରେ ବୋର୍ଡ କାର୍ଯ୍ୟ କରିବ। ତୃତୀୟଲିଙ୍ଗୀଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରିବା ଲାଗି ନିୟମିତ ବ୍ୟବଧାନରେ ସର୍ବେକ୍ଷଣ, ଗବେଷଣା ଓ ମୂଲ୍ୟାଙ୍କନ କରିବା ଓ ନୀତିକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଅର୍ଥକୁ ସୁନିଶ୍ଚିତ କରିବା ସହ ବିଭିନ୍ନ ପ୍ରକଳ୍ପର ଗୁଣାତ୍ମକ ବିକାଶକୁ ଗୁରୁତ୍ବ ପ୍ରଦାନ କରିବ । ସେହିପରି ଜିଲ୍ଲାସ୍ତରରେ ତୃତୀୟଲିଙ୍ଗୀଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତାର ଉପଯୁକ୍ତ ତଦାରଖ, କେନ୍ଦ୍ର-ରାଜ୍ୟ ସରକାରଙ୍କ ଭିତରେ ସମନ୍ବୟ ରକ୍ଷା, ତୃତୀୟଲିଙ୍ଗୀଙ୍କ ପାଇଁ ଥିବା ଯୋଜନା ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରିବା ଦିଗରେ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ। ତୃତୀୟଲିଙ୍ଗୀମାନେ ସମାଜରେ କିଭଳି ନିଜର ସମ୍ମାନ ଫେରି ପାଇବେ, ସେ ଦିଗରେ କାର୍ଯ୍ୟ କରିବା ସହ ଗଣମାଧ୍ୟମରେ ସେମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ସଂପର୍କରେ ସୂଚନା ପ୍ରଦାନ କରିବା ଲାଗି ବୋର୍ଡର କାର୍ଯ୍ୟ ତାଲିକାରେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ସଭାପତି ପ୍ରତାପ ସାହୁ କହିଛନ୍ତି, ୨୦ବର୍ଷ ହେବ ରାଜ୍ୟରେ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନ କରିବା ପାଇଁ ଦାବି ହୋଇ ଆସୁଥିଲା। ବୋର୍ଡକୁ ଠିକଣା ଢଙ୍ଗରେ ପରିଚାଳନା କରିଲେ ରାଜ୍ୟରେ ଥିବା ପ୍ରାୟ ୩୦ହଜାର ତୃତୀୟଲିଙ୍ଗୀ ଉପକୃତ ହେବେ।