ରାଜଧାନୀରେ ବଡ଼ଦିନରୁ ନୂଆବର୍ଷ ଯାଏଁ : ୩୨ କୋଟିର ମଦ ଢକଢକ 

ରାଜଧାନୀରେ ବଡ଼ଦିନରୁ ନୂଆବର୍ଷ ଯାଏଁ : ୩୨ କୋଟିର ମଦ ଢକଢକ 

ଭୁବନେଶ୍ୱର : ଡିସେମ୍ବର ୨୫ରୁ ରାଜଧାନୀରେ ବଢ଼ିଥିଲା ମଦର ଆସର । କିଏ ଘରେ ତ କିଏ ବାହାରେ, ଭୋଜିଭାତ ସହ ଦି ଚାରି ପେଗ୍‌ ମାରି ଝୁମିଥିଲେ। କିଏ ଅଫିସ ସହକର୍ମୀଙ୍କ ସହ ତ ଆଉ କିଏ ସାଙ୍ଗସାଥିଙ୍କ ସହ । କେହିକେହି ପକେଟରୁ ଟଙ୍କା ପୋଛିହେବା ଯାଏଁ ଢକଢକ କରିବାରେ ହେଳା କରିନଥିଲେ । ପୁଲିସର ଚେକିଂକୁ ବି ଫୁ’ କରିଦେଲେ । କାଉଣ୍ଟର ଖୋଲିବାରୁ ନେଇ ବନ୍ଦ ହେବା ପର୍ଯ୍ୟନ୍ତ ଧାଡ଼ି ଲମ୍ବିଥିଲା । ୭ ଦିନରେ କେବଳ ରାଜଧାନୀବାସୀ ୩୨ କୋଟିର ମଦ ପିଇ ଦେଇଛନ୍ତି । ଯଦି ରାଜଧାନୀରେ ଏତେ, ତେବେ ସାରା ଓଡ଼ିଶାରେ କେତେ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ।


   ଯୁବଗୋଷ୍ଠୀ ଏବେ ନିଶାକୁ ବେଶ୍‍ ଆପଣାଉଛନ୍ତି । ସରକାର ରାଜସ୍ୱ ବଢ଼ାଇବା ପାଇଁ ଚାରିଆଡେ ପୁଳା ପୁଳା ମଦଦୋକାନ ଖୋଲୁଛନ୍ତି । ମଦ ପିଇବାକୁ ଯୁବଗୋଷ୍ଠୀଙ୍କୁ କରାଯାଉଛି ଉତ୍ସାହିତ । ଆଉ ମଦ କିଣି ବାହାରକୁ ଆସିବା ମାତ୍ରେ ମାଡି ବସୁଛି ପୁଲିସ । ଅନ୍ୟ ପଟେ ନୂଆବର୍ଷରେ ରାଜଧାନୀବାସୀ ପିଇଦେଲେ ୩୨ କୋଟି ଟଙ୍କାର ବିଭିନ୍ନ ବ୍ରାଣ୍ଡର ମଦ। ଏହି ମଦ ପିଇ ମାତାଲ ହେଲେ, ଆଉ ରାଜଧାନୀର ବିଭିନ୍ନ ସ୍ଥାନରେ ପିଟାପିଟି ବି ହେଲେ ।


   ସୂଚନାଯୋଗ୍ୟ, ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇ ଦେଇଛନ୍ତି ରାଜଧାନୀ ବାସିନ୍ଦା । ଏଭଳି ସାଂଘାତିକ ତଥ୍ୟ ଦେଇଛି ଅବକାରୀ ବିଭାଗ । ତେବେ ବଡ଼ଦିନରୁ ଜିରୋ ନାଇଟ ଭିତରେ ମଦରେ ଉଡିଯାଇଛି କୋଟି କୋଟି ଟଙ୍କା । ଡିସେମ୍ବର ୨୫ ରୁ ୩୧ ତାରିଖ ଭିତରେ ୩୨ କୋଟି ଟଙ୍କା ମଦ ପିଇ ଉଡାଇ ଦେଇଛନ୍ତି ଲୋକେ । ପାଣି ପରି ମଦରେ ଉଡାଇଛନ୍ତି ମୋଟ ୩୨ କୋଟି ୫୫ ଲକ୍ଷ ୧୨ ହଜାର ୫୬୦ ଟଙ୍କା । ତେବେ ୩୨ କୋଟିରୁ ୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କାର ବିୟର ପିଇଛନ୍ତି ରାଜଧାନୀବାସୀ । ୨୮ କୋଟି ୪ ଲକ୍ଷ ୮୧ ହଜାର ଟଙ୍କାର ବିଦେଶୀ ମଦ ପିଇଛନ୍ତି । ୯୪ ଲକ୍ଷ ୨୦ ହଜାର ଟଙ୍କାର ଦେଶୀ ମଦ ପିଇଛନ୍ତି ଭୁବନେଶ୍ୱର ଲୋକେ । ଅଢେଇ ଲକ୍ଷ ଲିଟର ବିଦେଶୀ ମଦ, ଦେଢ ଲକ୍ଷ ଲିଟର ଦେଶୀ ମଦ ଏବଂ ୧ ଲକ୍ଷ ୭୮ ହଜାର ଲିଟର ବିୟର ପିଇଛନ୍ତି ରାଜଧାନୀବାସୀ । ଅବକାରୀ ବିଭାଗ ତରଫରୁ ଏହି ତଥ୍ୟ ଆସିଛି ।