ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟ ବିଲ-୨୦୨୫କୁ ସ୍ୱାଗତ
ପାରାଦୀପ : ମାର୍ଚ୍ଚ ୨୬ ରେ ଲୋକସଭା ରେ ଆଗତ ଓ ଗୃହୀତ ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟ ବିଲ-୨୦୨୫କୁ ବିଶ୍ୱର ଏକ ନମ୍ବର ସମବାୟ ସଂସ୍ଥା ଇଫକୋ ପକ୍ଷରୁ ସ୍ୱାଗତ କରାଯାଇଛି । ଏହି ଅବସରରେ କେନ୍ଦ୍ର ଗୃହ ଓ ସମବାୟ ବିଭାଗ ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ଦେଶ ତାର ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିପାରିଛି । ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଗ୍ରାମୀଣ ଅର୍ଥ ବ୍ୟବସ୍ଥା ସୁଦୃଢ଼ୀକରଣ, ଲଘୁ ଉଦ୍ୟୋଗର ବିକାଶ, ନିଯୁକ୍ତି ସୁଯୋଗ, ଗବେଷଣା ତଥା ଆନୁସଙ୍ଗିକ ବ୍ୟବସ୍ଥାର ନବୀକରଣ ସମେତ ସମଗ୍ର ଦେଶ ଏକ ନୂତନ ସମବାୟ ନେତୃତ୍ୱ ଓ ଆଧୁନିକ ଶିକ୍ଷା ନୀତି ପାଇପାରିବ ବୋଲି ଶାହା ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ ଇଫକୋ ପରିଚାଳନା ନିଦେ୍ର୍ଦଶକ ଡ଼ଃ. ଉଦୟ ଶଙ୍କର ଅୱସ୍ତି ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପଦକ୍ଷେପକୁ ପ୍ରଶଂସା କରି ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି । ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମବାୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ଏବଂ ଏହି ପଦକ୍ଷେପ ପାଇଁ ଡ଼ଃ. ଅୱସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କୁ ସ୍ୱାଗତ ଜଣାଇଛନ୍ତି । ଦେଶର କୃଷି, କୃଷକ ଓ ଗ୍ରାମୀଣ ବିକାଶ ପାଇଁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଏବଂ ଦେଶର ସାର ଉତ୍ପାଦନ ସଂସ୍ଥା ମୁଖ୍ୟତଃ ଇଫକୋ ସମବାୟ ସଂସ୍ଥା ପରିଚାଳନାକୁ ସଶକ୍ତିକରଣ କରିବ ।