ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ
ରଗଡ଼ି/କୋରେଇ: ପୁଣି ଚର୍ଚାକୁ ଆସିଛି କୋରେଇ ଥାନା ଅନ୍ତର୍ଗତ ପୂର୍ବକୋଟ ତେଲେଙ୍ଗା ବସ୍ତି । ଯେଉଁ ବସ୍ତି ଉପରେ ରାଜ୍ୟ ଏବଂ ରାଜ୍ୟ ବାହାରର ପୁଲିସ ବିଭିିନ୍ନ ସମୟରେ ଚଢାଉ କରିଥାଏ । କାରଣ ବସ୍ତିରେ ଆଡ୍ଡା ଜମାଇଥାନ୍ତି ଆନ୍ତଃରାଜ୍ୟ ଲୁଟେରା । ଲୁଟେରାଙ୍କ ସୁରକ୍ଷା କବଜ ପାଲଟିଥିବା ବସ୍ତିରେ ଆଜି କୋରେଇ ପୁଲିସ ଚୋରି ବାଇକ ଜବଦ କରିବାକୁ ଯାଇଥିବା ବେଳେ ଥାନା ଅଧିକାରୀଙ୍କୁ ଆକ୍ରମଣ କରାଯିବା ସହ ଭାଙ୍ଗିଦେଇଥିଲେ ପୁଲିସ ଗାଡ଼ି । ପୁଲିସ କବଳରୁ ଲୁଟେରାଙ୍କୁ ଛଡ଼ାଇ ନେଇଥିଲେ ବସ୍ତିର ମହିଳା ଏବଂ ପୁରୁଷ । ଯାହାକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ନିଆଯାଇଥିଲା କଠୋର କାର୍ଯ୍ୟାନୁଷ୍ଠାନ । ଦଳବଳ ଧରି ପୁଲିସ ଚଢାଉ କରିଥିଲା ଉକ୍ତ ବସ୍ତିରେ ୪ବାଇକ ସହ ୨୦ରୁ ଅଧିକ ଜଣଙ୍କୁ ଉଠାଇ ଆଣିଥିଲା ପୁଲିସ । ଖବର ମତେ କୁଆଖିଆ ଥାନାରେ ରୁଜ୍ଜୁ ହୋଇଥିବା ଏକ ବାଇକ୍ ଚୋରୀ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ କୋରେଇ ପୁଲିସ କନ୍ତୋର ପଂଚାୟତ ପୂର୍ବକୋଟ ହାଟ ଉପରେ ଚଢ଼ାଉ କରିବା ସମୟରେ ତେଲେଙ୍ଗା ବସ୍ତିର କିଛି ମହିଳା ଓ ପୁରୁଷ ସଂଘବଦ୍ଧ ଭାବେ ପୁଲିସ ଉପରକୁ ଅତର୍କିତ ଆକ୍ରମଣ କରି ଚୋରା ବାଇକ୍ ଓ ସମ୍ପୃକ୍ତ ଚୋରଙ୍କୁ ଛଡ଼ାଇ ନେଇଛନ୍ତି । ସୂଚନା ଅନୁଯାୟୀ କୁଆଖିଆ ଥାନା ଅଧିନ ଆମ୍ପର ଗ୍ରାମର ନରେନ୍ଦ୍ର ରଣା (୪୯)ଗତ ସପ୍ତାହରେ କୁଆଖିଆ ମେଲଣ ବୁଲୁଥିବା ସମୟରେ ତାଙ୍କ ଓଡ଼ି୦୪ଏଚ୍-୬୪୮୫ ନମ୍ବର ବିଶିଷ୍ଟ ହିରୋ ପାସିଅନ ପ୍ରୋ-ବାଇକ୍ଟି ଚୋରୀ ହୋଇଥିଲା । ଏନେଇ ସେ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଚୋରୀ ବାଇକ୍ଟି କୋରେଇ ଥାନା ଅଧିନ ପୂର୍ବକୋଟ ହାଟ ପଡ଼ିଆରେ ଥିବା କୌଣସି ଏକ ସୂତ୍ରରୁ ଖବର ପାଇ ଗାଡ଼ି ମାଲିକ ନରେନ୍ଦ୍ର ସେଠାରେ ପହଁଚିଥିଲେ । ହାଟ ପଡ଼ିଆରେ ତାଙ୍କ ବାଇକ୍ ଥିବା ଦେଖିବାକୁ ପାଇ କୋରେଇ ପୁଲିସକୁ ଖବର ଦେଇଥିଲେ । କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ଘଟଣା ସ୍ଥଳରେ ପହଁଚି ବାଇକ୍ ଜବତ କରିବା ସହିତ ସେଠାରେ ଉପସ୍ଥିତ ଥିବା ତେଲେଙ୍ଗା ବସ୍ତିର ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ପାଇଁ ଥାନାକୁ ନେବାକୁ ଗାଡ଼ିରେ ବସାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ତେଲେଙ୍ଗା ବସ୍ତିର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ସଂଘବଦ୍ଧ ଭାବେ ଥାନାଧିକାରୀ ଏବଂ ପୁଲିସ ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ କରି ଲୁଟେରାଙ୍କୁ ଛଡାଇ ନେଇଥିଲେ । ଏନେଇ ଥାନାଧିକାରୀ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ୨ପ୍ଲାଟୁନ ପୁଲିସ ଫୋର୍ସ ପହଁଚି ତେଲେଙ୍ଗା ବସ୍ତି ଉପରେ ଚଢ଼ାଉ କରିଥିଲେ । କନ୍ତୋର ସରପଂଚ ସାରଙ୍ଗ ପ୍ରଧାନଙ୍କ ସମେତ ଘଟଣାରେ ସମ୍ପୃକ୍ତ ଥିବା ୨୦ରୁ ଉର୍ଦ୍ଧ୍ୱ ଆକ୍ରମଣକାରୀଙ୍କୁ ପୁଲିସ ଉଠାଇ ନେଇ ଅଟକ ରଖିଛି । ଏଥିସହିତ ସେମାନଙ୍କ ନିକଟରୁ ୪ଟି ବାଇକ୍ ଏବଂ ୫ରୁ ଉର୍ଦ୍ଧ୍ୱ ମୋବାଇଲ ଜବତ ହୋଇଛି । ଯାହାକୁ ନେଇ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ଏନେଇ କୋରେଇ ଥାନାଧିକାରୀ ରାକେଶ ତ୍ରିପାଠୀଙ୍କୁ ପଚାରିବାରେ ୨୦ରୁ ଉର୍ଦ୍ଧ୍ୱ ଆକ୍ରମଣକାରୀ ଅଟକ ଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ।