ଶାଶୂବୋହୂଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତ ଯଡା କୋର୍ଟ ଚାଲାଣ

 ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ଦେଓପଦା(ମେଘା)ରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଶାଶୁବୋହୂଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଯଡା ଓରଫ ହେମନ୍ତ ସାହୁ(୨୫)କୁ ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ପ୍ରଥମେ ଅଟକ ଥିବା ୪ ଜଣଙ୍କ ମଧ୍ୟରୁ ଯଡା ଓ ତା’ ଭାଇ ବ୍ୟତୀତ ଅନ୍ୟ ୨ ଜଣକୁ ପୁଲିସ ଛାଡିଦେଇଥିଲା । ଟଡା ସହ ଅଟକ ଥିବା ତା’ ଭାଇକୁ ପୁଲିସ ଛାଡିଦେବା ସହ କେବଳ ଯଡାକୁ କୋର୍ଟ ଚାଲାଣ କରିଛି । ମାତ୍ର ହତ୍ୟାକାଣ୍ଡ ପଛର କାରଣ ଏବେବି ରହସ୍ୟାବୃତ୍ତ ହୋଇ ରହିଛି । ପୁଲିସ ଏ ସମ୍ପର୍କରେ କୌଣସି ସୂଚନା ଦେଇପାରି ନାହିଁ । ମୁଖ୍ୟ ଅଭିଯୁକ୍ତ ଯଡା ବାସ୍ତବରେ ମୁକ ହୋଇଥିବାରୁ ଘଟଣାର କାରଣ ଓ ସହଯୋଗୀ ସମ୍ପର୍କରେ ତା’ ନିକଟରୁ ସବିଶେଷ ଜାଣିବାକୁ ପୁଲିସ ୨ ଜଣ ମୁକ ବଧିର ଶିକ୍ଷକ (ବିଶେଷଜ୍ଞ)ଙ୍କ ସହାୟତା ନେଇଥିଲା । ପୁଲିସ ଅଭିଯୁକ୍ତ ଯଡାକୁ ଘଟଣାସ୍ଥଳକୁ ନେଇ ବିଶେଷଜ୍ଞଙ୍କ ସହାୟତାରେ ଅପରାଧ ଘଟାଇବା ସମ୍ପର୍କରେ ତଥ୍ୟ ଉନ୍ମୋଚନ କରିବା ପ୍ରୟସା କେତେକାଂଶରେ ସଫଳ ହୋଇଥିଲା । ଦେଓପଡାରୁ ମଞ୍ଜୁରୀରୋଡକୁ ସଂଯୋଗକାରୀ ପୁର୍ତ୍ତ ରାସ୍ତାର ମୋରଡା ଛଖ ପ୍ରେଟ୍ରେଲ ପମ୍ପ ଅନତି ଦୂରରେ ଥିବା ଆମ୍ବଗଛ ନିକଟ କଳମ ବୁଦାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଉଦ୍ଧାର କରିଥିଲା । ମାତ୍ର ଘଟଣା ପଛର କାରଣ ଓ ଅନ୍ୟ ୨ ଜଣ ସହଯୋଗୀ ସମ୍ପର୍କରେ ତଥ୍ୟ ଉନ୍ମୋଚିତ ହୋଇପାରି ନାହିଁ ବୋଲି ଜଣାଯାଇଛି । ଏଥିପାଇଁ ପୁଲିସ ଅଭିଯୁକ୍ତ ଯଡାକୁ ରିମାଣ୍ଡ ପାଇଁ ଆବେଦନ କରିବାକୁ ପ୍ରସ୍ତୁତି କରିଥିବା ଜଣାଯାଇଛି । ଅନ୍ୟପକ୍ଷରେ ପୁଲିସ ଯଡା ମୋବାଇଲ ଜବତ କରି ହାସଲ କରିଥିବା ତଥ୍ୟ ଓ ପୁଲିସ ପୀଡିତ ପରିବାର ମୋବାଇଲ ମଧ୍ୟ ଜବତ କରି ତଦନ୍ତ ଜାରି ରଖିଛି ।