ଦକ୍ଷତା ଅଭିବୃଦ୍ଧି କର୍ମଶାଳା

 କେନ୍ଦୁଝର : ଧନୁର୍ଜୟ ନାରାୟଣ ହାଇସ୍କୁଲ ସଭା ଗୃହରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, କେନ୍ଦୁଝର ଏବଂ ସେଣ୍ଟର ଫର ଏନଭାଇରନମେଣ୍ଟାଲ ଷ୍ଟଡିଜ, ଭୁବନେଶ୍ୱରର ମିଳିତ ଉଦ୍ୟମରେ ଜିଲାର ଆନନ୍ଦପୁର, ଘଷିପୁରା, ହାଟଡିହି, ଘଟଗାଁ, ହରିଚନ୍ଦନପୁର, ବାଂଶପାଳ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ଅଭିବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ସେଣ୍ଟର ଅଫ୍ ଏନଭାଇରନମେଣ୍ଟାଲ ଷ୍ଟଡିଜ, ଭୁବନେଶ୍ୱରର ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି ସଂରକ୍ଷଣର ଆବଶ୍ୟକତା, ଉପକାରିତା ଏବଂ ଭବିଷ୍ୟତରେ ଶକ୍ତି ସଙ୍କଟକୁ କିପରି ଦୂର କରି ହେବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ସମ୍ମାନିତଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଶକ୍ତି ସଞ୍ଚୟ ପାଇଁ ସମସ୍ତେ ସଚେତନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରୁଦ୍ରନାରାୟଣ ସାମଲ ସ୍କୁଲରେ ଶକ୍ତି ସଂରକ୍ଷଣ ପାଇଁ ଶକ୍ତି କ୍ଲବ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ଜିଲ୍ଲା ବିଜ୍ଞାନ ଶିକ୍ଷା ପରିଦର୍ଶକ ପରମେଶ୍ୱର ମହାନ୍ତ ୨୦୨୧ରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ, ଶକ୍ତି କ୍ଲବର କାର୍ଯ୍ୟାବଳୀ ସମ୍ବନ୍ଧରେ ସୂଚନା ଦେଇଥିଲେ । ଡିଏନ୍ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରବୀର ମହାନ୍ତି ସମ୍ବଳର ଧାରଣୀୟ ବିକାଶ ଓ ସଂରକ୍ଷଣ ପାଇଁ ପଦକ୍ଷେପ ନେବା ପାଇଁ ଆହ୍ୱାନ କରିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରାଙ୍କ ସଂଯୋଜନାରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଶକ୍ତି କ୍ଲବ କାର୍ଯ୍ୟକ୍ରମର ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ ପୁଙ୍ଖାନୁପୁଙ୍ଖ ଭାବେ ଶକ୍ତି କ୍ଲବର ଗଠନ ପ୍ରଣାଳୀ, ବାର୍ଷିକ କାର୍ଯ୍ୟାବଳୀ, ୟୁ.ସି ରିପୋର୍ଟ ପ୍ରଦାନ ଆଦି ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ । କର୍ମଶାଳାର ଦ୍ୱିତୀୟ ପର୍ଯ୍ୟାୟରେ ଏନ୍.ଏସ୍. ପୋଲିସ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିବେକାନନ୍ଦ ରାଉତ, ବାଉଁଶୁଳି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଆଦିତ୍ୟ ମହାପାତ୍ର, ଧବଳେଶ୍ୱର ହାଇସ୍କୁଲ, ଦେଓଝରର ବିଜ୍ଞାନ ଶିକ୍ଷକ ସୌମ୍ୟ ପ୍ରକାଶ ସାହୁ ରିସୋର୍ସ ପର୍ସନ ଭାବେ ଶକ୍ତି କ୍ଲବର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଫକୀର ମୋହନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।