ଦଳିତ ବସ୍ତିକୁ ନାହିଁ ରାସ୍ତା, ହିଡରେ ଚାଲୁଛନ୍ତି ଲୋକେ : ପାଣି ସମସ୍ୟା ବି ଜଟିଳ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଘନଶ୍ୟାମ

 ବୈରୀ : ଉନ୍ନତ ରାସ୍ତା ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର । ବିଭିନ୍ନ ସମୟରେ ଦେଶର ବିଭିନ୍ନ ଉଚ୍ଚ ନ୍ୟାୟାଳୟ ଏବଂ ସୁପ୍ରିମ୍କୋର୍ଟ ମଧ୍ୟ ସେମାନଙ୍କ ରାୟରେ ଏହା ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ଦେଶ ସ୍ୱାଧୀନ ହେବାର ୭୭ବର୍ଷ ଅତିକ୍ରାନ୍ତ ହୋଇସାରିଲାଣି । ପ୍ରଶାସନକୁ ବହୁ ଅଭିଯୋଗ କରିବା ପରେ ଏପରିକି ଦୁଇଥର ଭୋଟ ବର୍ଜନ ସତ୍ୱେ ଉପାନ୍ତ ନୁହେଁ ଉପକୂଳ ଅଂଚଳର ଏକ ଦଳିତ ବସ୍ତିକୁ ସବୁଦିନିଆ ରାସ୍ତା ନିର୍ମାଣ ହୋଇ ପାରିନାହିଁ । ଫଳରେ ଲୋକମାନେ ଏକ ହିଡରେ ଚାଲିଚାଲି ଯାଉଛନ୍ତି । ବଡଚଣା ବ୍ଲକ ଅନ୍ତର୍ଗତ ଚାରିନଙ୍ଗଳ ପଂଚାୟତ ଅଧୀନରେ ଥିବା ଗହରନଗର ଗାଁର ଜେନାସାହି (ୱାର୍ଡ ନଂ-୨୧)ରେ ପ୍ରାୟ ୨୫ଦଳିତ ପରିବାର ବାସ କରନ୍ତି । ଏହି ସାହିକୁ ଏପର୍ଯ୍ୟନ୍ତ ଏକ ସବୁଦିନିଆ ରାସ୍ତା ନାହିଁ । ମୁଖ୍ୟରାସ୍ତା ଠାରୁ ପ୍ରାୟ ୮୦୦ମିଟର ଦୂରରେ ଥିବା ଏହି ସାହି ଲୋକମାନେ ବିଲ ହିଡରେ ଯାତାୟାତ କରନ୍ତି । ବର୍ଷା ଦିନେ କାଦୁଅ ପଚର ପଚର ଏହି ହିଡରେ ଯିବା ଆସିବା ଏକ ରକମର ଅସମ୍ବବ କହିଲେ ଚଳେ । ପୁଣି ପଥର ପକାଇ ଏକ ପାଣି ନାଳୀକୁ ଅତିକ୍ରମ କରିବାକୁ ପଡେ । ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାରେ ବହୁ ଅସୁବିଧା ହୁଏ । ବର୍ଷା ଦିନେ ସାହିବାସୀ ମୋଟର ସାଇକେଲ୍କୁ ଗ୍ରାମର ଅନ୍ୟ ଲୋକଙ୍କ ଘରେ ରଖି ଯିବା ଆସିବା କରନ୍ତି । ଏଥିନେଇ ସାହିବାସୀ ବହୁଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଫଳ ଶୂନ । ଅନନ୍ୟୋପାୟ ହୋଇ ସେମାନେ ଦୁଇ ଦୁଇ ଥର ଭୋଟ ବର୍ଜନ ମଧ୍ୟ କରିଥିଲେ । ତତ୍କାଳୀନ ସାଂସଦ ମୋହନ ଜେନାଙ୍କୁ ମଧ୍ୟ ବାରମ୍ବାର ଅନୁରୋଧ କରିଥିଲେ । ଏହି ରାଜନେତାମାନେ ନିର୍ବାଚନ ସମୟରେ ହାତ ଗୋଡ ଧରି ଭୋଟ ଖଣ୍ଡକ ହାତେଇ ଦିଅନ୍ତି । କ୍ଷମତାକୁ ଆସିଲେ ତାଙ୍କର ସାମ୍ବିଧାନିକ କର୍ତବ୍ୟକୁ ଭୁଲି ଯାଆନ୍ତି । ସବୁଠାରୁ ନିରାଶ ହେବା ପରେ ପ୍ରାୟ ୨୦ଜଣ ଗ୍ରାମବାସୀ ତା୧୧ା୯ା୨୦୨୩ ରେ ବଡଚଣା ବ୍ଲକରେ ହେଉଥିବା ମିଳିତ ଜନ ଶୁଣାଣୀରେ ଉପସ୍ଥିତ ହୋଇ ତତ୍କାଳୀନ ଜିଲାପାଳ ଚକ୍ରବର୍ତୀ ସିଂହ ରାଠୋରଙ୍କୁ ଗୁହାରୀ କରିଥିଲେ । ଦୁର୍ନୀତିର ଗନ୍ତାଘର ପାଲଟିଥିବା ବିଜେଡି ସରକାରର କୁଜି ନେତାମାନେ ଏହାକୁ ଚାପି ଦେବାକୁ ସମର୍ଥ ହୋଇଥିଲେ । କେବଳ ରାସ୍ତାର ସମସ୍ୟା ନୁହେଁ, ଗ୍ରାମରେ ଥିବା ମେଗା ଜଳ ପ୍ରକଳ୍ପ ଓ ନଳକୂପରୁ ମଧ୍ୟ ଲୌହଯୁକ୍ତ ଲବଣାକ୍ତ ଜଳ ବାହାରୁଛି । ପାନୀୟ ଜଳ ପାଇଁ ଲୋକମାନେ ଏକ କିଲୋମିଟର ଦୂରରୁ ପାଣି ଆଣୁଛନ୍ତି । ଏହି ସବୁ ସମସ୍ୟା ନେଇ ଗତ ଡିସେମ୍ବର ୩୦ତାରିଖରେ ଗ୍ରାମବାସୀଙ୍କ ପକ୍ଷରୁ ଘନଶ୍ୟାମ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇଛନ୍ତି । କେବେ ଏହି ଦଳିତ ସାହି ଲୋକଙ୍କ ସମସ୍ୟା ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା ।