ଦାନଗଦୀରୁ ସିଙ୍ଗାଗାଡ଼ିଆ...କୁକୁଡ଼ାପକ୍ଷୀ ଓ ମାଛ କାତି ଗନ୍ଧରେ ଫାଟୁଛି ଅଞ୍ଚଳ
ଦାନଗଦୀ : ସରକାର ସ୍ୱଚ୍ଛ ଭାରତ ମିଶନ ନାଁରେ କୋଟି କୋଟି ଟଙ୍କା ଅର୍ଥ ଶ୍ରାଦ୍ଧ କରୁଛନ୍ତି । ସଚେତନ କରିବାକୁ ବଡ଼ବଡ଼ ବିଜ୍ଞାପନ ହୋଡ଼ିଂ ମାରୁଛନ୍ତି । କିନ୍ତୁ ସ୍ୱଚ୍ଛ ଭାରତ ମିଶନ କେବଳ ପ୍ରଚାରରେ ରହିଯାଇଛି । ସାଧାରଣ ଜନତା ହୁଅନ୍ତୁ କି ବ୍ୟବସାୟୀ ଏହାକୁ ମାନିବାକୁ ନାରାଜ । ଦାନଗଦୀ ବଜାର ଓ ତାର ଆଖପାଖ ଛକ ମାନଙ୍କର ପରିମଳ ବ୍ୟବସ୍ଥାକୁ ଦେଖିଲେ ଏଭଳି ପ୍ରଶ୍ନ ସଚେତନ ନାଗରିକଙ୍କ ମନକୁ ଆସୁଛି । ରାସ୍ତା କଡ଼ରେ ଯେଉଁଆଡେ ଦେଖିବ କୁଢ଼ କୁଢ଼ ଅଳିଆ ଆବର୍ଜନା । ଯାହା ପରିବେଶ ପ୍ରଦୂଷିତ କାରଣରୁ ଡ଼ାଇରିଆ ପରି ବିଭିନ୍ନ ରୋଗ ବ୍ୟାପିବାରେ ଲାଗିଛି । ଦାନଗଦୀ ବ୍ଲକ ଓ ସ୍ୱାସ୍ଥ୍ୟ କେନ୍ଦ୍ର ଚାରିପାଖରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଗଦା ହୋଇ ଦୁର୍ଗନ୍ଧ ହେଉଛିା ସବୁଠାରୁ ବେଶୀ ଅପରିଷ୍କାର ହେଉଛି ବ୍ଲକ ଅଫିସକୁ ଲାଗିରହିଥିବା ହାଣ୍ଡିଆ ହାଟ ଓ କୁକୁଡ଼ା, ମାଛ ଦୋକାନ । ବ୍ରଏଲର କୁକୁଡ଼ା ଓ ମାଛ ମାଂସ ଦୋକାନ ମିଲିଟାରୀ ଛକରୁ ସିଙ୍ଗାଗାଡ଼ିଆ ପର୍ଯ୍ୟନ୍ତ ଭତ୍ତି ହୋଇ ରାସ୍ତା ଉପରକୁ ମାଡି ଆସିଲେଣି । ଦୈନିକ ଶହ ଶହ କୁକୁଡ଼ା କାଟିଲା ପରେ ତାର ପକ୍ଷୀ, ପୁଣ୍ଟା, ଅନ୍ତନାଳୀ ଗୁଡିକୁ ସେଇ ରାଜ ରାସ୍ତା କଡରେ ଗଦା କରିଦେଉଛନ୍ତି । ଯାହା ଫଳରେ ସାମାନ୍ୟ ବର୍ଷା ହେଲେ ଏଗୁଡିକ ପଚି ଏପରି ଦୁର୍ଗନ୍ଧ ହେଉଛି । ଏହି ରାଜରାସ୍ତା ଦେଇ ଯାତାୟାତ କରୁଥିବା ହଜାର ହଜାର ଲୋକ ନାକରେ ରୁମାଲ ବାନ୍ଧି ଯାଉଛନ୍ତି । ସିଙ୍ଗାଗାଡ଼ିଆ ଛକରେ ଏସବୁ ଅପରିଷ୍କାର ବର୍ଜ୍ୟ ବେଶୀ ଦେଖିବାକୁ ମିଳୁଛି । ଫଳ ଦୋକାନୀ, ପରିବା ଦୋକାନୀ ଠାରୁ ଜଳଖିଆ ଦୋକାନୀ ସମସ୍ତେ ନିଜର ଅଦରକାରୀ ଜିନିଷ ଗୁଡିକୁ ରାସ୍ତା କଡ଼ରେ ଖୋଲାମେଲାରେ ନିର୍ଭୟରେ ଫିଙ୍ଗି ଦେଉଛନ୍ତି । ଏଗୁଡିକ ପଚି ଶଢ଼ି ପରିବେଶକୁ ପ୍ରଦୂଷିତ କରିବା ସହ ରୋଗ ଜୀବାଣୁ ସୃଷ୍ଟି ହେଉଛନ୍ତି । ଏହା ପ୍ରତି କାହାର ଦୃଷ୍ଟି ନାହିଁ । ଶିଳ୍ପାଞ୍ଚଳ ନିକଟସ୍ଥ ବଜାର ଏଗୁଡିକ ହୋଇ ଥିବାରୁ ବାହାର ଲୋକଙ୍କ ଭିଡ଼ ପ୍ରବଳ ହେଉଛି । ରାସ୍ତା ଉପରକୁ ଧୀରେ ଧୀରେ କବ୍ଜା କରି ମାଡି ଆସିଲେଣି ଦୋକାନୀ । ଦାନଗଦୀରୁ ସିଙ୍ଗାଗାଡ଼ିଆ ମୁକୁଳା ଡ୍ରେନରେ ନର୍ଦ୍ଦମା ଓ ଅପରିଷ୍କାର ପାଣି ଯାଇ ଦୁର୍ଗନ୍ଧ ହେଉଛି । ସେଇ ନର୍ଦମା ପାଣି କଡ଼ରେ ପରିବା ଓ ଫଳ, ଛତୁ ବେପାରୀ ବସି ବିକ୍ରି କରୁଛନ୍ତି । ସେଇ ସବୁ ଖୋଲା ମେଲା ଡ୍ରେନ ପାଖରେ ମାଛି ଭଣ ଭଣ ହେଉଛନ୍ତି । ଯଦି ବ୍ଲକ, ମେଡିକାଲ ଓ ଫାଣ୍ଡି ପାଖରେ ଏପରି ପରିସ୍ଥିତି ତାହେଲେ ଦୂର ଦୁରାନ୍ତରେ ଥିବା ଗାଁ ଗୁଡିକର ପରିମଳ ବ୍ୟବସ୍ଥା କେତେ ସ୍ୱଚ୍ଛ ଭାରତ ଥିବ ତାହା ଅନୁମାନ କରାଯାଇପାରେ । ତେଣୁ ମିଲିଟାରୀ ଛକରୁ ଦାନଗଦୀ ବଜାର ଦେଇ ସିଙ୍ଗାଗାଡ଼ିଆ ଓ ମାନପୁର ଓଭର ବ୍ରିଜ ପର୍ଯ୍ୟନ୍ତ ବେଆଇନ ଭାବେ ରାଜ ରାସ୍ତାକୁ ମାଡି ବସି ବେପାର କରୁଥିବା ଉଠା ଦୋକାନୀ ମାନଙ୍କୁ ପ୍ରଶାସନ ତାଗିଦ କରିବା ସହ ପରିିସ୍କାର ପରିଚ୍ଛନ୍ନତା ରଖିବାକୁ ପରାମର୍ଶ ଦେବାର ଆବଶ୍ୟକତା ରହିଛି । ନଚେତ ଡ଼ାଇରିଆ ଏ ଅଞ୍ଚଳରେ ଅଧିକ ମାତ୍ରାରେ ବ୍ୟାପିବାର ସମ୍ଭବନାକୁ ଏଡାଇ ଦେଇ ହେବନି ।