‘ଦାନା’ବଢାଇଲା ଚାଷୀଙ୍କ ଚିନ୍ତା
ରସୁଲପୁର : ବାତ୍ୟା ‘ଦାନା’ପରିବା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ବିଶେଷ କରି କୋବି ଚାଷ କରିଥିବା ଚାଷୀ ‘ଦାନା’ ପାଇଁ ବ୍ୟାପକ କ୍ଷତିଗସ୍ତ ହେବେ ବୋଲି କହୁଛନ୍ତି ରସୁଲପୁର ବ୍ଲକ ଅଞ୍ଚଳ ପରିବା ଚାଷୀ । ରସୁଲପୁର ବ୍ଲକ ସାରା ରାଜ୍ୟରେ ପରିବା ଉତ୍ପାଦନ ପାଇଁ ପରିଚିତ । ଏବେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଷୀମାନେ ହଜାର ହଜାର ହେକ୍ଟର ଜମିରେ କୋବି, ବିଲାତି, ବାଇଗଣ, ଜହିଁ, ଭେଣ୍ଡି, କାକୁଡି, କଲରା ଆଦି ବିଭିନ୍ନ ପନିପରିବା ଚାଷ କରିଛନ୍ତି । କିଛି ପରିବା ଫଳିଥିବା ବେଳେ ଆଉ କିଛିର ବେଉଷଣ କରୁଛନ୍ତି । କିନ୍ତୁ ‘ଦାନା’ ପାଇଁ ଚାଷୀମାନେ ଭୟଭୀତ ହୋଇପଡିଛନ୍ତି । ବର୍ଷା ପାଣି ଫସଲ କିଆରୀରେ ଜମି ରହିଲେ ଗଛ ଗୁଡିକର ମୂଳ ସଢ଼ି ଯିବା ସହ ଗଛ ମରିଯିବ । ଏଥି ସହିତ ପବନ ମାଡ଼ରେ କାକୁଡି, ଜହିଁ, ଝୁଡ଼ଙ୍ଗ, କଲରା ଆଦି ମଞ୍ଚାରେ ମାଡ଼ିଥିବା ଗଛ ଭୂଇଁରେ ଲୋଟି ନଷ୍ଟ ହୋଇଯିବ । ଏବେ ବ୍ଲକ ଅଞ୍ଚଳରେ ଚାଷୀମାନେ ଚିନାବାଦାମ ବୁଣା କାର୍ଯ୍ୟ ମଧ୍ୟ କିଛି ସ୍ଥାନରେ କରିଛନ୍ତି । ବର୍ଷା ପାଣି ଜମି ରହିଲେ ଉକ୍ତ ବାଦାମ ମଞ୍ଜିଗୁଡିକ ମାଟି ଭିତରେ ପଚି ନଷ୍ଟ ହୋଇଯିବ । ଏପରି ସ୍ଥିତିକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଚାଷ ହେଉଛି ଚାଷୀର ଆର୍ଥôକ ମେରୁଦଣ୍ଡ । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ହେଲେ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଯିବ । ସରକାରୀ ସ୍ତରରେ ସେମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ଚାଷୀମାନେ ନିବେଦନ କରିଛନ୍ତି ।