ବିକାଶର ବ୍ୟଥା ଗାଉଛି କୁଆଖିଆ-ଜେନାପୁର ରାସ୍ତା
କୁଆଖିଆ : ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ବିକାଶର ନକ୍ସା ଆଙ୍କୁଥିବା ବେଳେ ରସୁଲପୁର ବ୍ଲକର କୁଆଖିଆ-ଜେନାପୁର ରାସ୍ତା ପ୍ରତି ବୈମାତୃକ ମନୋଭାବ ପୋଷଣ ଯୋଗୁଁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି । ରସୁଲପୁର ବ୍ଲକର କୁଆଖିଆ-ଜେନାପୁର ପୂର୍ତ୍ତ ବିଭାଗ ରାସ୍ତାଟି ଜନବହୁଳ ଏବଂ ବ୍ୟସ୍ତ ବହୁଳ ରାସ୍ତା ଭାବେ ବିଦିତ । ପ୍ରତ୍ୟେକ ଦିନ ଏହି ରାସ୍ତାରେ ହଜାର ହଜାର ଯାନବାହନ, ସରକାରୀ, ବେସରକାରୀ ଗାଡି, ସ୍କୁଲ କଲେଜ୍ ଛାତ୍ରଛାତ୍ରୀ, ମାଲବାହୀ ଗାଡି ସହିତ ଅତ୍ୟାବଶ୍ୟକୀୟ ଗାଡି ଗୁଡିକର ଗହଳି ଲାଗି ରହୁଛି । ରାସ୍ତା ଶୋଚନୀୟ ଅବସ୍ଥା ପାଇଁ ବିଗତ ଦିନରେ ବହୁ ଦୁର୍ଘଟଣା ଘଟି ଲୋକଙ୍କ ଧନଜୀବନ ହାନୀ ହୋଇଛି । ଏହାର ସ୍ଥାୟୀ ସମାଧାନ ନିମନ୍ତେ ୨୦୨୩ ମସିହା ନଭେମ୍ବର ୮ତାରିଖରେ ୧୪.୧୪୭ କି.ମି ରାସ୍ତାର ସମ୍ପ୍ରସାରଣ ନିମନ୍ତେ ୧୮କୋଟି ୨୯ଲକ୍ଷ୍ୟଟଙ୍କା ବ୍ୟୟବରାଦ ହୋଇ ଭିତ୍ତିିପ୍ରସ୍ତର ହୋଇଥିଲା । ମାତ୍ର କାର୍ଯ୍ୟଟି ନୂଆ ସରକାର କ୍ଷମତାକୁ ଆସିବା ପରେ ଠିକାଦାରୀତାକୁ ନେଇ ବିରୋଧୀ ଏବଂ ଶାସକ ମଧ୍ୟରେ କନ୍ଦଳକୁ ନେଇ ଆଗେଇ ନ ପାରି ଦୀର୍ଘ ବର୍ଷ ବନ୍ଦ ରହିବା ପରେ ପୁନର୍ବାର କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଏହି ସମ୍ପ୍ରସାରଣ କାର୍ଯ୍ୟରେ ଥିବା ଅନେକ ତ୍ରୁଟି ବିଚୁ୍ୟତିକୁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେଇ ନିଜ ମନମାନିରେ କରୁଥିବା ଯୋଗୁଁ ରାସ୍ତାଟି ମଧୁବନହାଟ ପର୍ଯ୍ୟନ୍ତ ଢଳେଇ କାର୍ଯ୍ୟ ସରିଛି । କିନ୍ତୁ ମଧୁବନ ଠାରୁ ଯାବରା ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡିଛି । ରାସ୍ତାରେ ଶହଶହ ଖାଲ ସୃଷ୍ଟି ହୋଇ ସେଥିରେ ବର୍ଷା ପାଣି ଜମିବା ଯୋଗୁଁ ଯାତ୍ରୀ ବିପଦରେ ପଡୁଥିବା ଦେଖାଯାଉଛି । ଏଥିପାଇଁ ପାଣିକୋଇଲି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଯୋଗାଯୋଗ କଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ କୌଣସି ଉତ୍ତର ମିଳୁନି । ଅପରପକ୍ଷରେ ରାସ୍ତା ନିକଟରେ ଥିବା କିଛି ବ୍ୟବସାୟୀ ନିଜ ପଇସା ଖର୍ଚ୍ଚ କରି ରାସ୍ତାରେ ଡଷ୍ଟ ପକେଇ ଗମନାଗମନକୁ ସୁଧାରୁଥିବା ଦେଖାଯାଉଛି । ତେବେ ଏପରି ଏକ ପରିତ୍ୟକ୍ତ ରାସ୍ତାରେ ପ୍ରତ୍ୟେକ ଦିନ ଶାସକ ଦଳର ନେତା, ପ୍ରଶାସନ ଯାତାୟତ କରୁଥିବା ବେଳେ ରାସ୍ତାର ସମସ୍ୟା ପ୍ରତି ଉଦାସୀନତା ମନୋଭାବ ପୋଷଣ କରିବା ଏକ ଦୁର୍ଭାଗ୍ୟ ବୋଲି ଜନସାଧାରଣରେ ଆଲୋଚନା ହେବା ସାଙ୍ଗକୁ ଏଥିପାଇଁ ନେତା ଓ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେଇ ସମସ୍ୟାର ସମାଧାନ ନିମନ୍ତେ ଉଦ୍ୟମ କରିବାକୁ କୁଆଖିଆ ଅଂଚଳର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଜନସାଧାରଣ ମାନଙ୍କ ମଧ୍ୟରେ ଦାବି ହେଉଛି ।