‘ଦାନା’ ମୁକାବିଲା ପାଇଁ ଟିପିଏନଓଡିଏଲର ସ୍ୱତନ୍ତ୍ର ପ୍ରସ୍ତୁତି
ଯାଜପୁର : ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଉପଭୋକ୍ତାଙ୍କୁ ନିର୍ଭରଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ସହ ବିଦୁ୍ୟତ୍ ସରବରାହରେ ବାଧାବିଘ୍ନକୁ ହ୍ରାସ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଇଛି । ଟିପିଏନଓଡ଼ିଏଲ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଅଧିକ ଗୁରୁତ୍ୱ ଦେବା ପୂର୍ବକ ବିଦ୍ୟୁତ୍ ଟ୍ରାନ୍ସଫର୍ମରର ସ୍ଥିତି ଆକଳନ ଓ ସମସ୍ୟାର ମରାମତି କାର୍ଯ୍ୟ ତ୍ୱରିତ କରିବା ଉପରେ ଗୁରୁତ୍ୱ ଦେଇଛି । ଏଥି ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ କର୍ମଚାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ବିଭ୍ରାଟ ଜନିତ ରକ୍ଷଣାବେକ୍ଷଣ ଓ ଅଭିଯୋଗର ତ୍ୱରିତ ମୁକାବିଲା ପଦକ୍ଷେପ ଗ୍ରହଣ କରାଯାଇଛି । ୨୪ ଘଣ୍ଟିଆ ପିଏସ୍ସିସ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଭାବେ ପରିଚାଳନା ସାଙ୍ଗକୁ ଏକ ଉତ୍ସର୍ଗୀକୃତ ୨୪ ଘଣ୍ଟିଆ କଲ୍ ସେଣ୍ଟର ସ୍ଥାପନ କରାଯାଇଛି । ସ୍ଥାନୀୟ ଟିମ୍ ଓ ବାଲେଶ୍ୱର ପିଏସ୍ସିସିର ମୁଖ୍ୟ ନିୟନ୍ତ୍ରଣ କକ୍ଷ ସହ ସମନ୍ୱୟ ରକ୍ଷା କରିବା ପାଇଁ ସର୍କଲ୍ ଓ ଡିଭିଜନ ସ୍ତରୀୟ ନିୟନ୍ତ୍ରଣ କକ୍ଷ ସ୍ଥାପନ ମଧ୍ୟ କରାଯାଇଛି । ଜରୁରୀକାଳୀନ ସ୍ଥିତି ପାଇଁ ଡିଜି ସେଟ ବ୍ୟବସ୍ଥା ସାଙ୍ଗକୁ ଯେକୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଉପକରଣର ସ୍ୱତନ୍ତ୍ର ଭଣ୍ଡାର ବାଲେଶ୍ୱର, ବେତନଟୀ, ଯାଜପୁର ଓ କେନ୍ଦୁଝରରେ ସ୍ଥାପନ କରାଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜନସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଗ୍ରାଧିକାର ଭିତିରେ ବିଦୁ୍ୟତ୍ ଯୋଗାଣ ସ୍ୱାଭାବିକ କରିବା, ଜରୁରୀକାଳୀନ ସମୟରେ ଓସଡମା ସହ ସମ୍ପର୍କ ସ୍ଥାପନର ବ୍ୟବସ୍ଥା ସାଙ୍ଗକୁ ସୁରକ୍ଷା କ୍ଷେତ୍ରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି । ଏସମ୍ପର୍କରେ ସୂଚନା ଦେଇ ଟିପିଏନଓଡିଏଲ୍ ସିଇଓ ଦ୍ୱିଜଦାସ ବସାକ କହିଛନ୍ତି ଯେ, ବାତ୍ୟା ସମୟରେ ବିଜୁଳି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ଭାବ୍ୟ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ଟିମ୍ ସହ ମିଶି କାମ କରୁଛୁ । ଉପଭୋକ୍ତା ଯେମିତି ବିଶେଷ ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ତାହା ସୁନିଶ୍ଚିତ କରିବାକୁ ପ୍ରାଥମିକତା ଦିଆଯାଇଛି । ଅଘଟଣକୁ ରୋକିବା ପାଇଁ ସୁରକ୍ଷା ନିଦେ୍ର୍ଦଶାବଳୀ ପାଳନ କରିବାକୁ ସମସ୍ତ କର୍ମଚାରୀଙ୍କୁ ସତର୍କ କରାଯାଇଛି । ସମସ୍ତ ଫିଲ୍ଡ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିବା ଏବଂ ସମସ୍ତ ସୂଚନା ପାଇଁ ଏକ "ସୂଚନା ପୋର୍ଟାଲ’ ଖୋଲିଥିବା ସେ କହିଛନ୍ତି । ସେହିପରି ବାତ୍ୟା ସମୟରେ ବୈଦୁତିକ ସତର୍କତା ପ୍ରତି ଧ୍ୟାନ ଦେବା ପାଇଁ ମଧ୍ୟ ଟିପିଏନଓଡିଏଲ୍ ପରାମର୍ଶ ଦେଇଛି ।