ଦିନକ ପରେ ବିଧାନସଭା
- ଲମ୍ବା ଅବଧି, ହେଲେ ଅଧାରେ ଅଟକିବ
- ଗୃହ ଅଚଳ କରିଦେବେ ବିରୋଧୀ
ଭୁବନେଶ୍ୱର : ଆସନ୍ତା ୨୭ରୁ ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବେ । ଯାହାକୁ ନେଇ ବିଧାନସଭା ସଚିବାଳୟ ଚଳଚଞ୍ଚଳ ହୋଇଯାଇଛି । ଏଭଳି ଏକ ଐତିହାସିକ ମୁହୂର୍ତ୍ତକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି । ସେପଟେ ସରକାରଙ୍କୁ ଘେରିବା ପାଇଁ ରଣନୀତି କରୁଛନ୍ତି ବିରୋଧୀ ।
ଆସନ୍ତାକାଲି ବିରୋଧୀ ସେମାନଙ୍କର ରଣନୀତି କରିବେ । ବିରୋଧୀଙ୍କ ହାତରେ ରହିଛି ଗଦାଗଦା ପ୍ରସଙ୍ଗ । ନୂଆପଡ଼ା ଉପନିର୍ବାଚନ ତାତି ବି ଗୃହରେ ପରିଲକ୍ଷିତ ହେବ । ଦୁଇ ବିରୋଧୀ ବିଜେଡ଼ି ଓ କଂଗ୍ରେସ ବୁଥ୍ ରିଗିଂ ଓ ଭୋଟ୍ ଚୋରି କଥା ଉଠାଉଥିବାରୁ ଗୃହରେ ଏହି ପ୍ରସଙ୍ଗ ବେଶ୍ ସରଗରମ କରିଦେବ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଗୃହକୁ ଅଚଳ କରିଦେଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ବାଲିଘାଟ ଇ-ଲଟେରୀକୁ ନେଇ ବିରୋଧୀ ଏବେ ରୋଷ ଝାଡୁଥିବାବେଳେ ଗୃହରେ ବି କଥା ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏହାଛଡ଼ା ଆଇନଶୃଙ୍ଖଳା ସ୍ଥିତି, ଧାନକିଣା, ମଣ୍ଡି ଅନିୟମିତତା ପ୍ରସଙ୍ଗ ବି ଉଠିବ । ଏସଆଇ ନିଯୁକ୍ତି କେଳେଙ୍କାରୀ ଠାରୁ ନେଇ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା ପର୍ଯ୍ୟନ୍ତ ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବେ ବିରୋଧୀ । ଶୀତ ଅଧିବେଶନ ପାଇଁ ଲମ୍ବା ଅବଧି ଧାର୍ଯ୍ୟ କରାଯାଇଛି । ତେବେ ଅତୀତରେ ଶୀତ ଅଧିବେଶନ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବାର ନଜିର ନାହିଁ । ଅତିରିକ୍ତ ବଜେଟ୍ ପାରିତ ହେବା ପରେପରେ ଯେକୌଣସି ସମୟରେ ସତ୍ରାବସାନର ଉଦାହରଣ ରହିଛି ।