ପୂର୍ତ୍ତ ରାସ୍ତା ପାଶ୍ୱର୍ରେ ହେବ ବୃକ୍ଷରୋପଣ : ବ୍ୟୟ ହେବ ନିର୍ମାଣ ଖର୍ଚ୍ଚର ୧%
ଭୁବନେଶ୍ୱର : ପୂର୍ତ୍ତ ବିଭାଗ ଅଧିନରେ ନୂଆକରି ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ ରାଜପଥ, ଜିଲ୍ଲା ମୁଖ୍ୟ ସଡକ, ଅନ୍ୟାନ୍ୟ ସମସ୍ତ ସଡକ ନିର୍ମାଣ ସମୟରେ ବୃକ୍ଷରୋପଣକୁ ବାଧ୍ୟତାମୂଳକ କରାଯିବା ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସଂପ୍ରତି ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣ ବିଶ୍ୱରେ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଦ୍ରୁତ ସହରୀକରଣ ଓ ଜଙ୍ଗଲ ହ୍ରାସ ଯୋଗୁଁ ଏହାର କୁପ୍ରଭାବ ସାରା ମାନବ ସମାଜ ଓ ଜୀବଜଗତ ଉପରେ ପରିଲକ୍ଷିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନକୁ ଅନୁପାଳନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସାମଗ୍ରିକ ପ୍ରଗତି ପଥରେ ଅଗ୍ରସର ହେଉଛି ।
ଏନେଇ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ରାସ୍ତାର ଉଭୟ ପାଶ୍ୱର୍ ଏବଂ ଡିଭାଇଡର ମଝିରେ ଥିବା ଖାଲିସ୍ଥାନରେ ବ୍ୟାପକ ବୃକ୍ଷରୋପଣ କରାଯିବା ନେଇ ଇଆଇସି (ସିଭିଲ୍ ତଥା ରୋଡସ୍), ଇଆଇସି (ଏନ୍ଏଚ୍), ଏମ୍ଡି, ଓବିସିସିଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି । ଗ୍ରୀନ୍ କରିଡର ବିକାଶ ଓ ପରିଚାଳନା ଲକ୍ଷ୍ୟ ନେଇ ସବୁ ରାସ୍ତାକଡରେ ବୃକ୍ଷ ରୋପଣ କରାଯିବ । ଏହି କ୍ରମରେ ରାସ୍ତା ନିର୍ମାଣ ସମୟରେ ନିର୍ମାଣ ବ୍ୟୟର ଅତିରିକ୍ତ ୧% ଅର୍ଥରାଶି ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ କରିବା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି ।