ପନ୍ତଙ୍କ ପରେ କିଏ, ଦୌଡ଼ରେ ୩
ନୂଆଦିଲ୍ଲୀ : ଶୁକ୍ରବାର ଲକ୍ଷ୍ନୌ ମ୍ୟାଚ୍ ଜିତିଥିଲେ ହେଁ ଦଳର ଅଧିନାୟକ ତଥା ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ଋଷଭ ପନ୍ତ କୌଣସି ପ୍ରକାରର ପ୍ରଭାବ ଦେଖାଇ ପାରି ନାହାନ୍ତି । ଚଳିତ ଆଇପିଏଲରେ ପନ୍ତଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି । ପନ୍ତ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳିଥିବା ବେଳେ ତାଙ୍କ ବ୍ୟାଟରୁ କେବଳ ୧୯ ରନ ବାହାରିଛି । ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ମଧ୍ୟ ସେ ୨ ରନ କରି ପାଭିଲିୟନ ଫେରିଥିଲେ । ପନ୍ତ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍ରେ ଶୂନରେ ଆଉଟ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ୧୫, ତୃତୀୟ ମ୍ୟାଚ୍ରେ ୨ ଓ ୪ର୍ଥ ମ୍ୟାଚ୍ରେ ବି ୨ ରନ କରିଛନ୍ତି । ତାଙ୍କ ବ୍ୟାଟିଂ ଆଭରେଜ ୪.୭୫ ଥିବା ବେଳେ ଷ୍ଟ୍ରାଇକ ରେଟ ୫୯.୩୭ । ଏପରି ପରିସଂଖ୍ୟକ ପନ୍ତଙ୍କ ଦକ୍ଷତା ଠାରୁ ଯଥେଷ୍ଟ ନିମ୍ନମାନର । କାରଣ ପନ୍ତ ଜଣେ ବିସ୍ଫୋରକ ବ୍ୟାଟର ଭାବେ ପରିଚିତ । ଖାସ ଏହି କାରଣ ପାଇଁ ତାଙ୍କୁ ଲକ୍ଷ୍ନୌ ରେକର୍ଡ ୨୭ କୋଟି ଟଙ୍କାରେ କିଣିଥିଲା । ହେଲେ ପନ୍ତ ୪ଟି ଯାକ ମ୍ୟାଚ୍ରେ ସମସ୍ତଙ୍କୁ ନିରାଶ କରିଥିଲେ । ଯେଉଁ କାରଣରୁ ଚଳିତ ଆଇପିଏରେ ସମାଲୋଚନା ହେଉଛନ୍ତି । କ୍ରମାଗତ ଭାବେ ସେ ଖରାପ ପ୍ରଦର୍ଶନ କରିବାରୁ ତାଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ୍ନ ହେବାକୁ ପଢ଼ୁଛି ବୋଲି ଅନେକ ମତ ରଖିଛନ୍ତି । ପନ୍ତ ବଡ ଓ ନୂଆ ନୂଆ ଶଟ ଖେଳିବାରେ ମାହିରି । କିନ୍ତୁ ଲକ୍ଷ୍ନୌ ପକ୍ଷରୁ ଖେଳିବା ସମୟରେ ସେ ବେଶ ସତର୍କତା ଅବଲମ୍ବନ କରୁଛନ୍ତି । ତାଙ୍କ ବ୍ୟାଟରୁ ପନ୍ତଙ୍କ ଟ୍ରେଡ ମାର୍କ ଭାବେ ପରିଚିତ କୌଣସି ଶଟ ଦେଖିବାକୁ ମିଳୁନାହିଁ । ସେ ଟିମକୁ ସମ୍ଭାଳିବାକୁ ଚେଷ୍ଟା କରି ଖୋଲା ଶଟ ଖେଳିବାକୁ ଭୟ କରୁଛନ୍ତି । ଏଥିପାଇଁ ତାଙ୍କୁ ସଅଳ ଆଉଟ ହେବାକୁ ପଡୁଛି । ସେ ଅଧିକ କିଛି ଚିନ୍ତା କରି ବ୍ୟାଟିଂ କରିବା ତାଙ୍କୁ ମହଙ୍ଗା ପଡୁଛି । ୪ଟି ମ୍ୟାଚ୍ରେ ୧୯ ରନ କରିଥିବା ପନ୍ତଙ୍କୁ ଅବଶ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସର ମାଲିକ ସଞ୍ଜୀବ ଗୋଏଙ୍କା ସମର୍ଥନ କରିଛନ୍ତି । କିନ୍ତୁ ପ୍ରଶଂସକମାନେ ତାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ଯଦି ପନ୍ତ ଅଧିନାୟକ ପଦ ଛାଡିବେ କିମ୍ବା ତାଙ୍କୁ କ୍ୟାପ୍ଟେନ୍ସି ପଦରୁ ହଟା ଯିବ ତା’ହେଲେ ଦଳର କମାଣସମ୍ଭାଳିବା ପାଇଁ ଆହୁରି ୩ ଖେଳାଳି ରହିଛନ୍ତି । ଯେଉଁମାନେ କ୍ୟାପ୍ଟେନ୍ସି କରିବାର ଅଭିଜ୍ଞତା ରଖିଛନ୍ତି । ଏଡେନ୍ ମାର୍କରମ, ମିଚେଲ ମାର୍ଶ, ନିକୋଲସ ପୂରନ ।