ଦୁଇ ଥର ବିଲ୍ କରି ଅର୍ଥ ଆତ୍ମସାତ ଅଭିଯୋଗ
ନୂଆପଡା : ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଠିକପାଲି ପଞ୍ଚାୟତରେ ମନରେଗା ଦୁର୍ନୀତି ହୋଇଛି । ଏହି ପଞ୍ଚାୟତ ବାବୁପାଲି ଗାଁର ଗୋଟିଏ ପୋଖରୀ କାମରେ ଦୁଇଥର ବିଲ୍କରି ସରକାରୀ ଅନୁଦାନ ଆତ୍ମସାତ ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ ଏହାର ସରଜମିନ ତଦନ୍ତ କରିଛନ୍ତି । ଗତ ୨୦୨୩-୨୪ ଆର୍ଥିକବର୍ଷ ରେ ଠିକପାଲି ପଞ୍ଚାୟତ ବାବୁପାଲି ଗାଁରେ ମନରେଗା ଯୋଜନାରେ ଗୁନମତୀ ମାଝିଙ୍କ ପୋଖରୀ(ଫାର୍ମପଣ୍ଡ) ଖନନ ପାଇଁ ୨ଲକ୍ଷ ୧୧ହଜାର ଟଙ୍କା ମଞ୍ଜୁର ହୋଇଥିଲା । ଅନୁଦାନ ମଞ୍ଜୁର ପରେ ପୋଖରୀ ଖନନ ହେଲା । କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷ ଓ ନୂଆପଡ଼ା ଜଳବିଭାଜିକା ତଥା ମୃତିକା ସଂରକ୍ଷଣ ବିଭାଗ ଗୋଟିଏ ପୋଖରୀରେ ଦୁଇଥର ବିଲକରି ଅର୍ଥ ଆତ୍ମସାତ କରିଥିବା ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ଏକ ଉଚ୍ଚÿସ୍ତରୀୟ ପ୍ରଶାସନିକ ଟିମ ଏହାର ସରଜମିନ ତଦନ୍ତ କରିଛନ୍ତି । ବ୍ଳକ, ପଞ୍ଚାୟତ ଓ ଜିଲ୍ଲା ମୃତିକା ସଂରକ୍ଷଣ ତଥା ଜଳବିଭାଜିକା ବିଭାଗର ଅଧିକାରୀ ଓ କର୍ତ୍ତୃପକ୍ଷ ସମେତ ଠିକପାଲି ପଞ୍ଚାୟତବାସୀଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ ହୋଇଥିଲା । ପୋଖରୀ ଖନନକୁ ନେଇ ପଞ୍ଚାୟତ କର୍ତ୍ତୃପକ୍ଷ ଓ ଜଳବିଭାଜିକା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଥିଲା । ଅନ୍ୟପକ୍ଷେ, ଗ୍ରାମବାସୀ ମଧ୍ୟ ଦୁଇ ବିଭାଗ ଉପରେ ଚଢ଼ଉ କରି ହୋହାଲ୍ଲା କରିଥିଲେ । ଠିକପାଲି ପଞ୍ଚାୟତ ଆମେ ପୋଖରୀ ଖନନ କରିଛୁ ବୋଲି କହୁଥିବା ବେଳେ ଜଳ ବିଭାଜିକା କହୁଛି ଆମେ ପୋଖରୀ ଖନନ କରିଛୁ । କିନ୍ତୁ ପ୍ରକୃତରେ ପୋଖରୀ ଖନନ କରିଛି କିଏ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନିକ ଟିମ ଉଭୟ ପକ୍ଷକୁ ଆବଶ୍ୟକ କାଗଜପତ୍ର ଦେଖାଇବାକୁ କହିଥିଲେ । କିନ୍ତୁ କୌଣସି ପକ୍ଷ ସଠିକ କାଗଜପତ୍ର ଦେଖାଇ ପାରିନଥିଲୋ । ଏଠାରେ ପ୍ରଶ୍ନ ଉଠୁଛି, ପ୍ରଥମେ କିଏ କାମ ଆରମ୍ଭ କରିଥିଲା ଓ ବିଲ କରିଥିଲା । କିନ୍ତୁ ଦୁଇବିଭାଗ ନିଜ କାମ କରିଥିବା କହୁଛନ୍ତି । ଏହି ଦୁଇ ବିଭାଗର ଟଣାଓଟରାରେ ପ୍ରଶାସନିକ ଟିମ୍ ଅଡ଼ୁଆରେ ପଡିଥିଲା । ପ୍ରକୃତରେ କିଏ କାମ କରିଛି, ତାକୁ ନେଇ ପ୍ରଶାସନିକ ଟିମ ଜାଣିବା ମୁଣ୍ଡବ୍ୟଥାର କାରଣ ହୋଇଥିଲା । ଶେଷରେ ଦୁଇବିଭାଗକୁ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ସିଡ଼ିଓ ଶ୍ରୀ ଧରୁଆ ନିଦେ୍ର୍ଦଶ ଦେଇଛନ୍ତି । କୋମନା ବିଡିଓ ବିନୟ ଭୋଇ, ସହକାରୀ ଯନ୍ତ୍ରୀ ଦୁର୍ଗାଚରଣ ମେହେର, ଜେଇ ଗୁରୁଚରଣ କିଷାନ, ଅକ୍ଷୟ ମହାପାତ୍ର, ଏପିଓ ଜିତେନ୍ଦ୍ର ସାହୁ, ଠିକପାଲି ସରପଞ୍ଚ ସନ୍ତୋଷିନୀ ସୁନାନୀ, ଜଳବିଭାଜିକା ମନରେଗା ସହାୟକ ମହେନ୍ଦ୍ର ଭୋଇ, ଏସପି ଇଡବ୍ଲୁ ଏସଏଲ କଞ୍ଜରଭେସନ ଏକ୍ସଟେନ୍ସନ ୱାର୍କର ମେଘରାଜ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।