ଦୁଇ ବ୍ଲକ୍ ଅଧିକାରୀଙ୍କୁ ଅର୍ଥଦଣ୍ଡ
ନାଉଗାଁ : ଓଡ଼ିଶା ସୂଚନା କମିସନଙ୍କ ଦ୍ୱାରା ସୂଚନା ଅଧିକାର ଆଇନର ଧାରା ୨୦ ଆଧାରରେ ନାଉଗାଁ ବ୍ଲକର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରଧାନ ଓ ସହକାରୀ ଜନ ସୂଚନା ଅଧିକାରୀ ଜ୍ୟୋତିର୍ମୟ ନାୟକ ଦଶ ହଜାର ଲେଖାଏଁ ଜରିମାନାରେ ଦଣ୍ଡିତ ହୋଇଛନ୍ତି । ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟ, ଓଡ଼ିଶାର ସଂସ୍ଥାପକ ତଥା ରାଜ୍ୟ ସଂଯୋଜକ ଅନିଲ କୁମାର ମଲ୍ଲିକ ୨୦୨୧ ମସିହାରେ ନାଉଗାଁ ବ୍ଲକରେ ମନରେଗା ଦୁର୍ନୀତି ବିରୁଦ୍ଧରେ ୨୩ ଦିନ ଧାରଣାରେ ବସି ରହିଥିଲେ । ବ୍ଲକକୁ ମନରେଗା ସମ୍ପର୍କିତ ସୂଚନା ଏବଂ ମଷ୍ଟର ରୋଲ୍ର କପି ସୂଚନା ଅଧିକାର ଆଇନ ଆଧାରରେ ମାଗିଥିଲେ କିନ୍ତୁ ଜନ ସୂଚନା ଅଧିକାରୀ ଦେବେନ୍ଦ୍ର ପ୍ରଧାନ ସୂଚନା ପ୍ରଦାନ କରି ନ ଥିଲେ । ଏହାର ଅପିଲ୍ ଶ୍ରୀ ମଲ୍ଲିକ କରିଥିଲେ ମଧ୍ୟ ଦୁର୍ନୀତିର ଘଣ୍ଟ ଘୋଡାଇବା ପାଇଁ ତକôାଳୀନ ମଣ୍ଡଳ ଉନ୍ନୟନ ଅଧିକାରୀ ରଶ୍ମିରେଖା ମଲ୍ଲିକ ଅପିଲର ଶୁଣାଣୀ କରି ନ ଥିଲେ । ଏହା ବିରୁଦ୍ଧରେ ଶ୍ରୀ ମଲ୍ଲିକ ଦ୍ୱିତୀୟ ଅପିଲ୍ ସୂଚନା କମିସନଙ୍କ ନିକଟରେ ୨୦୨୨ ମସିହାରେ କରିଥିଲେ । ୧୮୮/୨୦୨୨ ନାମରେ କେସ୍ ରୁଜୁ ହୋଇଥିଲା । ୨୭ଫେବୃଆରୀ ୨୦୨୫ ରେ ସୂଚନା କମିସନ ଏହି କେସ୍ର ଶୁଣାଣି କରି ସମସ୍ତ ତଥ୍ୟ ସହ ମଷ୍ଟର ରୋଲ୍ କପି ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେଲେ । କିନ୍ତୁ ଅସମ୍ପୂର୍ଣ୍ଣ ତଥ୍ୟ ସହ ତଥ୍ୟ ପ୍ରଦାନ କରି ସୂଚନା ଅଧିକାର ଆଇନର ଉଲ୍ଲଂଘନ କରିଥିବାରୁ ସୂଚନା ଅଧିକାର ଆଇନର ଧାରା ୨୦ ଆଧାରରେ ସୂଚନା କମିସନ ଦେବେନ୍ଦ୍ର ପ୍ରଧାନ ଓ ଜ୍ୟୋତିର୍ମୟ ନାୟକଙ୍କୁ ଦଶ ହଜାର ଲେଖାଏଁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି ।