ବିଭ୍ରାନ୍ତି କରୁଛି ପଞ୍ଚାୟତିରାଜ୍ ବିଭାଗ ୱେବସାଇଟ୍ : ୯ଟି ବ୍ଲକର ବିଡ଼ିଓଙ୍କ ନାଁ ଦର୍ଶାଯାଇଛି ଭୁଲ୍
କେନ୍ଦ୍ରାପଡାରୁ ସ୍ୱତନ୍ତ୍ର ପ୍ରତିନିଧି
ଉକôଳ କେଶରୀ ପାହାଡସିଂ
ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ୱେବସାଇଟରେ ଦର୍ଶାଯାଇଛି କେନ୍ଦ୍ରାପଡ଼ା ସଦର ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ନାମ ହେଉଛି ବନ୍ଦନା ଖଟୁଆ ଏବଂ ବ୍ଲକ କାର୍ଯ୍ୟାଳୟର ଲ୍ୟାଣ୍ଡ ଲାଇନ ନମ୍ବର ହେଉଛି ୯୫୬୭୨୭-୨୩୨୨୬୫ । କିନ୍ତୁ ଏହି ନମ୍ବରରେ ଯୋଗାଯୋଗ କଲେ ଉତ୍ତର ଆସୁଛି ଏହି ନମ୍ବରଟି ଅମାନ୍ୟ ଅଟେ, ଦୟାକରି ନମ୍ବର ଯାଞ୍ଚ କରି ନିଅନ୍ତୁ । ସେହିପରି ବ୍ଲକ କାର୍ଯ୍ୟାଳୟକୁ ଗଲେ ବିଡ଼ିଓଙ୍କ ଲାଗି ଉର୍ଦ୍ଦିଷ୍ଟ ଦପ୍ତର ଫାଟକରେ ଅଭିଷେକ ସ୍ୱାଇଁଙ୍କ ନାମ ଲେଖାଯାଇ ବୋର୍ଡ ଝୁଲୁଥିବା ଦେଖିବାକୁ ମିଳୁଛି । ଅର୍ଥାତ୍ ବିଡ଼ିଓଙ୍କ ନାମ ହେଉଛି ଅଭିଷେକ ସ୍ୱାଇଁ । ବିଡ଼ମ୍ବନାର ବିଷୟ ବିଭାଗର ୱେବସାଇଟ୍ରେ ଏବେବି କେନ୍ଦ୍ରାପଡ଼ା ବିଡ଼ିଓଙ୍କ ନାମ ହେଉଛି ବନ୍ଦନା ଖଟୁଆ । ଯିଏକି ପାଖାପାଖି ବର୍ଷେ ହେଲାଣି ଏଠାରୁ ବଦଳି ହୋଇଗଲେଣି ।
ସବୁଠାରୁ ସାଂଘାତିକ ତଥ୍ୟ ହେଉଛି କେବଳ ଯେ ଜିଲ୍ଲାର ଏହି ଗୋଟିଏ ବ୍ଲକର ବିଡିଓଙ୍କ ନାମ ବିଭାଗୀୟ ୱେବସାଇଟରେ ଭୁଲ୍ ଦର୍ଶାଯାଇଛି ତାହା ନୁହେଁ, ବରଂ ଜିଲ୍ଲାର ସମସ୍ତ ନଅ ଗୋଟି ବ୍ଲକର ବିଡିଓଙ୍କ ନାମ ଓ ନମ୍ବର ୱେବସାଇଟରେ ଭୁଲ୍ ଦର୍ଶାଯାଇଛି । ବିଭାଗର ୱେବସାଇଟ ତଥ୍ୟ ଅନୁଯାୟୀ ଡେରାବିଶ ବିଡିଓଙ୍କ ନାମ ଗୋପବନ୍ଧୁ ଭୋସାଗର ଓ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବର ହେଉଛି ୯୫୬୭୨୭-୨୨୦୨୬୭ । ଏହି ନମ୍ବରରେ ମଧ୍ୟ ଯୋଗାଯୋଗ କଲେ ଟେଲିକମ କମ୍ପାନୀ ପକ୍ଷରୁ ଉତ୍ତର ଆସୁଛି, ଏହି ନମ୍ବରଟି ଅମାନ୍ୟ ଅଟେ ଦୟାକରି ନମ୍ବର ଯାଞ୍ଚ କରି ନିଅନ୍ତୁ । ଏବଂ ଶ୍ରୀ ଭୋସାଗରଙ୍କ ବଦଳି ହୋଇ ଦାଶରଥି ଜେନା ନାମକ ବିଡ଼ିଓ ଆସିଥିଲେ, ତାଙ୍କର ମଧ୍ୟ ବଦଳି ହୋଇସାରିଛି ଏବଂ ବର୍ତ୍ତମାନର ଡେରାବିଶ ବିଡ଼ିଓ ଭାବେ କାର୍ଯ୍ୟରତ ନମିତା ବାରିକ । ତେବେ ଶ୍ରୀ ଭୋସାଗରଙ୍କ ନାମ ଉଠି ଶ୍ରୀମତୀ ବାରିକଙ୍କ ନାମ କେବେ ୱେବସାଇଟରେ ଚଢ଼ିବ ତାହାର ଉତ୍ତର ହୁଏତ କାହା ପାଖରେ ନଥିବ । ସେହିପରି ବିଭାଗର ୱେବସାଇଟରେ ଗରଦପୁର ବିଡିଓଙ୍କ ନାମ ଅଛି ରଞ୍ଜିତ କୁମାର ମଲ୍ଲିକ ଓ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବର ହେଉଛି ୯୫୬୭୨୭-୨୬୦୭୨୫ । କିନ୍ତୁ ବାସ୍ତବରେ ଡେରାବିଶ ବ୍ଲକର ବର୍ତ୍ତମାନ ବିଡ଼ିଓ ଅଛନ୍ତି ଆଲୋକ ସେଠୀ ଏବଂ ଅନୁରୂପ ଭାବେ ଦିଆଯାଇଥିବା ଏହି ନମ୍ବରରେ ଯୋଗାଯୋଗର ସୁବିଧା ଉପଲବ୍ଧ ନାହିଁ ବୋଲି ଟେଲିକମ୍ ସଂସ୍ଥା ପକ୍ଷରୁ ଉତ୍ତର ଆସୁଛି । ଆହୁରି ମଧ୍ୟ ବିଭାଗର ୱେବସାଇଟରେ ଦର୍ଶାଯାଇଛି ରାଜନଗର ବ୍ଲକର ବିଡ଼ିଓ ଅଛନ୍ତି ରବୀନ୍ଦ୍ର କୁମାର ପ୍ରଧାନ କିନ୍ତୁ ବାସ୍ତବରେ ରାଜନଗର ବ୍ଲକର ବର୍ତ୍ତମାନର ବିଡ଼ିଓ ଅଛନ୍ତି ଅନିରୁଦ୍ଧ ବେହେରା । ସେହିପରି ବିଭାଗୀୟ ୱେବସାଇଟରେ ଉଲ୍ଲେଖ ରହିଛି ପଟ୍ଟାମୁଣ୍ଡାଇର ବିଡ଼ିଓ ହେଉଛନ୍ତି ଭରତ ଚନ୍ଦ୍ର ପରିଡ଼ା ଓ ରାଜକନିକାର ବିଡ଼ିଓ ହେଉଛନ୍ତି ରବିନାରାୟଣ ଆଚାର୍ଯ୍ୟ କିନ୍ତୁ ବାସ୍ତବରେ ପଟ୍ଟାମୁଣ୍ଡାଇ ବିଡ଼ିଓ ବଦଳି ହେବା ପରେ ସେଠାକାର ସବରେଜିଷ୍ଟ୍ରାର ଅଶୋକ ମହାନ୍ତିଙ୍କୁ ବ୍ଲକ ବିଡ଼ିଓ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଥିବାବେଳେ ରାଜକନିକା ବିଡ଼ିଓ କୈଳାଶ ବେହେରା ଟ୍ରେନିଂରେ ଥିବାରୁ ରାଜକନିକା ତହସିଲଦାର ଅତିରିକ୍ତ ଦାୟିତ୍ୱ ଭାବେ ବିଡିଓଙ୍କ କାର୍ଯ୍ୟ ତୁଲାଉଛନ୍ତି । ସେହିପରି ମହାକାଳପଡ଼ା ବ୍ଲକର ବର୍ତ୍ତମାନ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କାର୍ଯ୍ୟରତ ଥିବାବେଳେ ବିଭାଗୀୟ ୱେବସାଇଟରେ କିନ୍ତୁ ଦର୍ଶାଯାଇଛି ଦେବାଶିଷ ରାଉତ । ଏତକ କେବଳ ଉଦାହରଣ ମାତ୍ର । ବାସ୍ତବରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ନଅ ଗୋଟି ବ୍ଲକର ବିଡିଓଙ୍କ ନାମ ଓ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବର ବିଭାଗୀୟ ୱେବ୍ସାଇଟରେ ସଂପୂର୍ଣ୍ଣ ବିଭ୍ରାନ୍ତିକର ଭାବେ ଭୁଲ୍ ଦିଆଯାଇଛି । ଫଳରେ ସାଧାରଣ ଜନତାମାନେ ୱେବସାଇଟ ଦେଖି ଦ୍ୱନ୍ଦର ପଡୁଛନ୍ତି ।
୫ଜି ଯୁଗରେ ଡିଜିଟାଲ ସ୍ୱପ୍ନ ଦେଖାଇ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି ପ୍ରଶାସନକୁ ଲୋକଙ୍କ ହାତ ପାହାନ୍ତାରେ ପହଞ୍ଚାଇବା ପାଇଁ ପ୍ରଯୁକ୍ତିବିଦ୍ୟାର ପଯ୍ୟାପ୍ତ ଉପଯୋଗ କରାଯାଉଛି । ସଂସଦ ଭବନ ଠାରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁକିଛି ଡିଜିଟାଲାଇଜେଶନ କରାଯାଉଛି । କିନ୍ତୁ ତୃଣମୂଳସ୍ତରର ଲୋକଙ୍କ ନିକଟରେ ସରକାରୀ ଯୋଜନାମାନ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବ୍ଲକ କାର୍ଯ୍ୟାଳୟର ଯୋଗାଯୋଗ ନମ୍ବର ଏବଂ ଏହାର ମୁଖ୍ୟଙ୍କ ନାମ ବିଭାଗୀୟ ୱେବସାଇଟରେ ନିର୍ଭୁଲ ଭାବେ ଉଲ୍ଲେଖ ନ ରହିବ ସଚେତନ ମହଲାରେ ନିହାତି ପ୍ରଶ୍ନ ଛିଡା କରୁଛି । ଏହି ତମାମ ତଥ୍ୟରୁ ସହଜେ ବୁଝା ପଡୁଛି ଦାୟିତ୍ୱରେ ଥିବା ଅଧିକାରୀମାନେ ସରକାରୀ ୱେବସାଇଟକୁ ଚଳାଇବା ଦିଗରେ ଆଦୌ ଯନôବାନ ନୁହନ୍ତି । ଏ ଦିଗରେ ବିଭାଗ ତୁରନ୍ତ ଧ୍ୟାନଦେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ତାଗିଦ୍ କଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ବିଭିନ୍ନ ମହଲରୁ ଦାବି ହେଉଛି ।