ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟର ଆତ୍ମସମର୍ପଣ
ଭୁବନେଶ୍ୱର/ମାଲକାନଗିରି : ବଂଶଧାରା- ଘୁମୁସର- ନାଗାବଳି ଡିଭିଜନର ଘୁମସର ଏରିଆ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ ଆଜି ରାୟଗଡା ଜିଲ୍ଲା ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ଛତିଶଗଡ଼ର ବିଜାପୁର ଜିଲ୍ଲା ହୁସୁର ଥାନା ଅଞ୍ଚଳର ନିବାସୀ ବିଜୟ ଗୋଟିଏ ପିସ୍ତଲ୍ ଓ ୮ ରାଉଣ୍ଡ ଗୁଳି ସହିତ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାମରେ ଓଡିଶା ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ସେ କନ୍ଧମାଳ ଜିଲ୍ଲା ଓ ଛତିଶଗଡର ବିଭିନ୍ନ ସ୍ଥାନରେ ଏକାଧିକ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଘଟିଥିବା ଗୁଳି ବିନିମୟ ଘଟଣାରେ ଜଡିତ ଥିଲେ ଓ ତାଙ୍କ ବିରୁଦ୍ଧରେ ୭ରୁ ଅଧିକ ମାମଲା ରହିଛି । କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ରାଇକିଆ, ଗୋଛାପଡା, କୋଠଗଡ଼ ଏବଂ ଛତିଶଗଡର ଗରିଆବନ୍ଧ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ସହିତ ଗୁଳି ବିନିମୟ ଘଟଣାରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିଲା । ବିଜୟ ୨୦୦୯ରେ ସିପିଆଇ (ମାଓବାଦୀ)ରେ ଯୋଗ ଦେଇଥିଲେ । ପ୍ରାରମ୍ଭିକ ତାଲିମ୍ ଗ୍ରହଣ କରିବା ପରେ ସେ ମୋଡେମ ବାଲକ୍ରିଷ୍ଣା ଓରଫ ମନୋଜଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ୨୦୧୪ରେ ପାର୍ଟି ମେମ୍ବରରୁ ଏସିଏମକୁ ପଦୋନ୍ନତି ପାଇ ବିଜିଏନ ଡିଭିଜନ ପାଇଁ କାର୍ଯ୍ୟ କରୁଥିଲେ । ପରେ ସେ ୨୦୨୪ରେ ଓଡ଼ିଶାକୁ ଆସି ବିଜିଏନ ଡିଭିଜନର ଘୁମସର ଏରିଆ କମିଟି ପାଇଁ ନେତୃତ୍ୱ ନେଉଥିଲେ । ଦଳର ବରିଷ୍ଠ କ୍ୟାଡରମାନଙ୍କ ପାଖରୁ ନିଜ କ୍ୟାଡରମାନଙ୍କ ଉପରେ ହେଉଥିବା ମାନସିକ ନିର୍ଯାତନା, ଖାଦ୍ୟ ପାନୀୟର ଅଭାବ, ସୁରକ୍ଷା କର୍ମୀଙ୍କ ଦ୍ୱାରା ନିୟମିତ ଅପେରସନ, ମାଓବାଦୀ ଶିବିରରେ ଭେଦଭାବ, ଭାଷା ଗତ ସମସ୍ୟା ଆଦି ବିଭିନ୍ନ ଅସୁବିଧା ନିମନ୍ତେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଓଡିଶା ସରକାରଙ୍କ ଆତ୍ମ ସମର୍ପଣ ଏବଂ ପୁନର୍ବାସ ଥଇଥାନ ନୀତି ଦେଶରେ ସର୍ବୋତ୍ତମ । ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କୁ ଆର୍ଥିକ ସହାୟତା ସମେତ ଗୃହ ନିର୍ମାଣ, ପାଠ ପଢା, ନିଜ ପସନ୍ଦର ବୃତ୍ତିକୁ ଆପଣାଇ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯାଉଛି । ସେହିପରି ଛତିଶଗଡ ସୁକୁମା ଜିଲ୍ଲା ଏସପିଙ୍କ ନିକଟରେ ୧୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣ ହାର୍ଡକୋର ମାଓ କମାଣ୍ଡର ରହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମରେ ପୂର୍ବରୁ ଛତିଶଗଡ ସରକାର ୩୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଏମାନେ ସମସ୍ତେ ଦୀର୍ଘ ଦିନ ଧରି ମାଓ ନେତା ହିଡ଼ମା ନେତୃତ୍ୱରେ ସୁକୁମା ସହ ବିଜାପୁର ଓ ଦନ୍ତେୱାଡା ଜିଲ୍ଲାରେ ଅନେକ ହିଂସାକାଣ୍ଡ ଘଟାଇଛନ୍ତି । ତେବେ ବର୍ତ୍ତମାନ ସରକାରଙ୍କ ନୀତି କଠୋର ହେବା ଦେଖି ନିଜ ଜୀବନ ବଞ୍ଚାଇବା ଲାଗି ଆତ୍ମସମର୍ପଣ କରିଥିବା ପୋଲିସ ନିକଟରେ କହିଛନ୍ତି । ବିଶେଷ କରି ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ସରେଣ୍ଡର କରିଛନ୍ତି ଏହି ମାଓବାଦୀମାନେ । ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆତ୍ମସମର୍ପଣ ମାଓବାଦୀଙ୍କୁ ପୁନର୍ବାସ ନୀତି ଓ ନିୟମ ନେଲ୍ଲା ଯୋଜନା ଅନୁଯାୟୀ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସୁକୁମା ଏସପି କିରଣ ଚଭନ ।.