ବିସ୍ଫୋରକ ଲୁଟିନେଲେ ମାଓବାଦୀ
ଭୁବନେଶ୍ୱର: ଗୋଟିଏ ପଟେ ସର୍ଚ୍ଚ ଅପରେସନ୍ରେ ଜଣଙ୍କ ପରେ ଜଣେ ମାଓନେତା ଯବାନଙ୍କ ଗୁଳିମାଡ଼ରେ ଟଳି ପଡୁଛନ୍ତି । ଅପରପକ୍ଷରେ ଜୀବନ ରକ୍ଷା ପାଇଁ ଅନେକ ମାଓନେତା ଆତ୍ମସମର୍ପଣ ବି କରୁଛନ୍ତି । ମାଓଦମନ ଅଭିଯାନ ଜୋରଦାର ଚାଲିଥିବାବେଳେ ଆଜି ଏକ ବଡ଼ ଘଟଣା ସମସ୍ତଙ୍କୁ ଚମକାଇଦେଇଛି । ଏକ ଟ୍ରକ୍ ଭର୍ତ୍ତି ବିସ୍ଫୋରକକୁ ମାଓବାଦୀମାନେ ଲୁଟି ନେଇଥିବା ଜାଣିବାକୁ ମିଳିଛି । ଏହି ଲୁଟ୍ ପଛରେ ମାଓନେତା ସମରଜୀର ହାତ ଥିବା କୁହାଯାଉଛି । ତେବେ ପୁଲିସ୍ ଓ ସିଆରପିଏଫ ଯବାନମାନେ ତନାଘନା ଜାରି ରଖିଥିବାବେଳେ ଏନେଇ ବିଶେଷ କିଛି ସୂଚନା ମିଳିପାରିନାହିଁ ।
ପ୍ରାପ୍ତ ସୂଚନା ଅନୁଯାୟୀ, ବଡ଼ଗାଁର ଇତମା ଅଞ୍ଚଳରୁ ଏକ ୪୦୭ରେ ପାଖାପାଖି ୪୦ରୁ ୫୦ ପେଟି ବିସ୍ଫୋରକ ଯାଉଥିଲା । ପଥରବ୍ଳାଷ୍ଟିଂ ପାଇଁ ଏହି ବିସ୍ଫୋରକ ବ୍ୟବହାର କରାଯାଇଥାଏ । ବଣାଇ ସବଡ଼ିଭିଜନର ରେଳହାଟୁ ବାଙ୍କୋ ଏରିଆ ଏକ ମାଓ ଅଧ୍ୟୁଷିତ ଅଞ୍ଚଳ । କେ ବଲାଙ୍ଗ ପୁଲିସ୍ ଥାନା ଅଧିନରେ ଥିବା ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ । ଆଜି ପ୍ରାୟ ଦିନ ୧୧ଟାରୁ ୧୨ଟା ମଧ୍ୟରେ ରେଳହାଟୁ ବାଙ୍କୋ ରାସ୍ତାରେ ହଠାତ୍ ୩୦ରୁ ୪୦ ଜଣ ସଶସ୍ତ୍ର ମୁଖାପିନ୍ଧା ଲୋକ ଗାଡ଼ିକୁ ଅଟକାଇଥିଲେ । ଡ୍ରାଇଭର ଓ ହେଲପରକୁ ଗାଡ଼ିରୁ ବାହାର କରିଦେଇଥିଲେ । ୪ ଜଣ ବନ୍ଧୁକ ଧରି ଜଗିକି ରହିଲେ । ଅନ୍ୟମାନେ ଛୋଟ ଛୋଟ ଗାଡ଼ିରେ ସେହିସବୁ ବିସ୍ଫୋରକ ଲୁଟ୍ କରି ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଗଲେ । ସେମାନେ ସବୁ ହିନ୍ଦୀରେ କଥା ହେଉଥିଲେ । ଘନଘନ କୁମ୍ବିଂ ଅପରେସନ୍ ଯୋଗୁଁ ଏହି ଅଞ୍ଚଳରେ ଛତିଶଗଡ଼ ମାଓବାଦୀମାନେ ଲୁଚିଥିବା କୁହାଯାଉଛି । ଯାହାର ଏରିଆ କମାଣ୍ଡର ହେଉଛି ସମରଜୀ । ଅନମୋଲ ହେମ୍ବ୍ରମ୍ ନାମରେ ବି ସେ ପରିଚିତ । ଏହି ଲୁଟ୍ରେ ତା’ର ହାତ ଥିବା ସନେ୍ଦହ କରାଯାଉଛି । ୨୦୦୯ରେ ଚାନ୍ଦିପୋଷ୍ଟ ଥାନା ଅଞ୍ଚଳର ଚମ୍ପାଝରନ୍ରେ ଏକ ବଡ଼ ଧରଣର ବିସ୍ଫୋରକ ଲୁଟ୍ ହୋଇଥିଲା । ସେତେବେଳେ ସେମାନେ ବିସ୍ଫୋରକ ଲୁଟ୍ କରି ଅଜିତ୍ ବର୍ଦ୍ଧନକୁ ହତ୍ୟା କରିଥିଲେ । ଏହି ଘଟଣା ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ଡିଆଇଜି ବି୍ରଜେଶ ରାୟ, କେ ବଲାଙ୍ଗୀ ପୁଲିସ, ମହୁଲପଦା ପୁଲିସ, ଟିକାୟତପାଲ୍ଲୀ ପୁଲିସ, କୋଇଡ଼ା ପୋଲିସ, ଲହୁଣୀପଡ଼ା ପୋଲିସ୍ ଓ ସିଆରପିଏଫ ଯବାନମାନେ ତଲାସୀ ଅଭିଯାନ କରୁଛନ୍ତି ।