ଦୂରେଇବା ପ୍ଲାଷ୍ଟିକ ଓ ମୂର୍ତ୍ତି ରଙ୍ଗ
ସଂପ୍ରତି ମୂର୍ତ୍ତିକାରିଗରୀରେ କେବଳ ବିଷାକ୍ତ ରଙ୍ଗ ନୁହେଁ ମୂର୍ତ୍ତି ତିଆରି ପ୍ରସ୍ତୁତିରେ ବ୍ୟାପକ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ହେଉଛି । ଏହା ଆମ ସମସ୍ତଙ୍କ ପାଇଁ ଘାତକ । ସଚେତନତାକୁ ବ୍ୟାପକ କରିବା ସହ ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଲୋଡ଼ା । ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ସହ, ଗଛ ଲଗାଇବା ଓ ଟ୍ରାଫିକ ନିୟମ ମାନିବା ସହ ହଜାର ବର୍ଷର ପରିଚୟର ସମୃଦ୍ଧ କଟକ ସହରର ପାର୍ବଣରେ ଡିଜେମୁକ୍ତ ରୋଶଣି, ନିଶାମୁକ୍ତ ଭସାଣି ଓ ପ୍ଲାଷ୍ଟିକ ମୁକ୍ତ ପୂଜା ପାଇଁ ନିକଟରେ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ନିବେଦନ କରାଯାଇଛି ।
ଖୁଦୁରୁକୁଣୀ, ଗଣେଶ ପୂଜା, ବିଶ୍ୱକର୍ମ ପୂଜା, ସରସ୍ୱତୀ ପୂଜା, ଦଶହରା, ଦୀପାବଳୀ ପଛକୁ ପଛ ବାଲିଯାତ୍ରାରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି ହୋଇଥାଏ । ଆଉ ଏହି ମୂର୍ତ୍ତିରେ ବ୍ୟବହାର କରାଯାଉଥିବା ରାସାୟନିକ ରଙ୍ଗ ବ୍ୟାପକ ଜଳ ସମ୍ପଦକୁ ପ୍ରଦୂଷିତ କରିବା ସହ ଏହାର ପ୍ରତ୍ୟକ୍ଷ ବା ପରୋକ୍ଷରେ ଆସୁଥିବା ବ୍ୟକ୍ତିବିଶେଷଙ୍କ ଚର୍ମ ଓ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ସଂକ୍ରମିତ କରି ରୋଗାକ୍ରାନ୍ତର ସମ୍ଭାବନା ଦେଖାଯାଇଥାଏ । ବଡ଼ଦୁଃଖର କଥା ହେଉଛି ଆମେ ସମସ୍ତେ ଏହାକୁ ଜାଣି ବି ବ୍ୟାପକ ଭାବରେ ସଚେତନ ନ ହେବାରୁ ଏହାକୁ ନେଇ ଚାରିଆଡ଼େ ଏକ ପ୍ରକାର ନୀରବତାର ହୋ ହଲ୍ଲା !! ସାଧାରଣତଃ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରିରେ ପ୍ରଥମେ ପ୍ରାଇମର ଓ ପରେ ୱାଟର ସଲୁ୍ୟବଲ ରଙ୍ଗ ଏବଂ ଶେଷରେ ସେଡ଼ିଂ ଦେବା ପାଇଁ ବିଭିନ୍ନ ରାସାୟନିକ ରଙ୍ଗ ବ୍ୟବହାର କରାଯାଇଥାଏ । ପରବର୍ତ୍ତୀ ସମୟରେ ଏହା ଯେଉଁ ଉଦ୍ବେଗଜନକ ସମସ୍ୟା ସୃଷ୍ଟି କରିଥାଏ ତାହା ଶିଳ୍ପୀମାନେ ବୁଝୁଥିଲେ ବି ପେଟପାଟଣାକୁ ନେଇ ସେମାନେ ବି ନାଚାର । ଦ୍ୱିତୀୟ କଥା ଏହି ବ୍ୟବହୃତ ରଙ୍ଗରେ ମାଗ୍ନେସିୟମ, ମୋଲିବଡ଼େନମ୍ ଏବଂ ସିଲିକନ୍ ଭଳି ଭାଗ ରହୁଛି, ଯାହା ନଦୀ, ପୋଖରୀରେ ମିଶି ଜଳକୁ ପ୍ରଦୂଷିତ କରୁଛି । ମାଗ୍ନେସିୟମ୍ ଜଳର ଶୁଦ୍ଧତାରେ ପ୍ରଭାବ ପକାଉଥିବା ବେଳେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ପାଣିରେ ଲୁଣି ପରିମାଣ ବୃଦ୍ଧି କରିଥାଏ । ରଙ୍ଗରେ ମର୍କୁ୍ୟରି' ରାସାୟନିକ ଭାଗ ରହିଲେ ଏହା ଅନେକ ଅଜଣା ରୋଗକୁ ଡାକି ଆଣିଥାଏ । ଯାହା ଜାପାନ୍ରେ ଅନେକ ଲୋକଙ୍କ ମୃତୁ୍ୟର କାରଣ ପାଲଟିଥିଲା । ଜାପାନର "ମିନମାତା' ଅଞ୍ଚଳରେ ପାଣିରେ କୌଣସି କାରଣରୁ ମର୍କୁ୍ୟରି ଭାଗ ରହିଯାଇଥିବାରୁ ଏଭଳି ଅଘଟଣ ଘଟିଥିଲା । ସେହିପରି ଉକ୍ତ ରାସାୟନିକ ରଙ୍ଗ ମାଛ ତଥା ଜଳଜୀବଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ରଙ୍ଗରେ ରହୁଥିବା ଆର୍ସେନିକ୍ ଏବଂ ଲିଡ଼୍ ଭଳି ରାସାୟନିକ ପଦାର୍ଥ ମଧ୍ୟ ବିପଦର କାରଣ ହୋଇପାରେ । ସୂଚନାଯୋଗ୍ୟ ଅହମ୍ମଦାବାଦରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବ୍ୟବହୃତ ମୂର୍ତ୍ତି ଉପରେ କଟକଣା ଲଗାଯାଇଥିବାବେଳେ ଉକ୍ରୃଷ୍ଟ କଳାର ରାଜ୍ୟ ଭାବେ ବେଶ୍ ନାଁ ଥିବା ଓଡ଼ିଶାରେ ଏହା ଉପରେ ଲଗାମ ନାହିଁ । ମୂର୍ତ୍ତି କାରିଗରମାନେ ସେମାନଙ୍କ ମନମୁତାବକ ନିଜ ଲାଭକୁ ଦେଖି ଶସ୍ତା ଓ ନିମ୍ନ ମାନର ରଙ୍ଗ ବ୍ୟବହାର କରୁଛନ୍ତି । କିନ୍ତୁ ଦିନ ଥିଲା ମୂର୍ତ୍ତି ତିଆରିରେ ପ୍ରାଚୀନ ପଦ୍ଧତିର ପ୍ରାକୃତିକ ରଙ୍ଗର ବହୁଳ ବ୍ୟବହାର କରାଯାଉଥିଲା । ଗାଁ ଗଣ୍ଡାର କଇଁଆ ଅଠା, ବିଭିନ୍ନ ପ୍ରକାର ବଣଜ ଓ ଗ୍ରାମ୍ୟ ଅଞ୍ଚଳର ଫୁଲ, ଶଙ୍ଖଚିହ୍ନ, ଶିଠା ଫଳ ଆଦି ବ୍ୟବହାର କରାଯାଉଥିଲା । କିନ୍ତୁ ବର୍ତ୍ତମାନ ପ୍ରଥମତଃ ସେହି ଜିନିଷ ଗୁଡ଼ିକ ଆଉ ବଜାରରେ ଉପଲବ୍ଧ ହେଉନି, ଦ୍ୱିତୀୟତଃ ତାକୁ ଖୋଜିବା ଅପେକ୍ଷା ଟଙ୍କା ଧରି ବଜାରରୁ ଲୋକଙ୍କୁ ଆଖି ଖୋସିହେଲା ଭଳି ରଙ୍ଗ କିଣି କାରିଗରମାନେ ଏହି ପ୍ରଦୂଷଣ ବିପର୍ଯ୍ୟୟ କରିବାକୁ ପଛାଉ ନାହାଁନ୍ତି ।
ସବୁଜ ବିପ୍ଳବ ନାମରେ ବର୍ତ୍ତମାନ ପ୍ରଗତି ପଥରେ ସମସ୍ତେ ଆଗେଇ ଚାଲିଥିଲେ ବି ବାସ୍ତବରେ କିନ୍ତୁ ଗୋଦରା କୋଡେ ଯେତେ ମାଡ଼େ ସେତେ ନ୍ୟାୟରେ କିନ୍ତୁ ଏହି ପ୍ରଦୂଷଣକୁ କେହି ଗୁରୁତ୍ୱ ଦେଉନାହାଁନ୍ତି । ସବୁଠାରୁ ବଡ଼ କଥା ହେଉଛି ଜଳ ଆମ ଜୀବନର ପ୍ରମୁଖ ଉତ୍ସ ହେଉଥିବା ବେଳେ ଏହାର ସୁରକ୍ଷା ଦାୟିତ୍ୱ ଆମ ସମସ୍ତଙ୍କର ପ୍ରଧାନ ଓ ସର୍ବୋତ୍ତମ ଶ୍ରେଷ୍ଠ କର୍ତ୍ତବ୍ୟ । ରାଜ୍ୟର ଅନେକ ସ୍ଥାନରେ ନଦୀ, ନାଳ ଜଳକୁ ଲୋକମାନେ ନିଜର ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ଠାରୁ ଜୀବନ ରକ୍ଷକ ପିଇବା ପାଣି, ଗାଈ ଗୋରୁମାନଙ୍କ ବ୍ୟବହାର କରିଥାନ୍ତି । ଏହି ରାସାୟନିକ ପ୍ରଦୂଷଣ ଭୟାନକ ଭାବେ ନଦୀ ନାଳକୁ ସଂକ୍ରମିତ କରିଚାଲୁଥିବାବେଳେ ଏହାକୁ ଯେଉଁମାନେ ପିଇଥାନ୍ତି, ଗାଧୋଇଥାନ୍ତି ସେମାନେ ସିଧାସଳଖ ପ୍ରତ୍ୟକ୍ଷ ଭାବେ ଏହାର ସଂସ୍ପର୍ଶରେ ଆସି ରୋଗାକ୍ରାନ୍ତ ହୋଇଥାନ୍ତି । ସେହିପରି ଗାଈଗୋରୁମାନେ ଏହାକୁ ପିଇବା ଦ୍ୱାରା ସେମାନଙ୍କ ଶରୀର ସ୍ୱାଭାବିକ ଭାବେ ଅସୁସ୍ଥ ହୋଇଥାଏ । କେବଳ ସେତିକି ନୁହେଁ ଚାଷ କ୍ଷେତକୁ ମଧ୍ୟ ଏହି ରାସାୟନିକ ରଙ୍ଗର ପାଣି ଅନେକାଂଶ ଭାବରେ ଯେଉଁ ଗୁରୁତର ଭାବେ ପ୍ରଭାବ ପକାଇଥାଏ ଏହାଦ୍ୱାରା ଚାଷବାସ ମଧ୍ୟ ପ୍ରଭାବିତ ହୋଇଥାଏ ବୋଲି କୃଷିବିଜ୍ଞାନୀ ମାନେ ମତ ଦିଅନ୍ତି । ଏସବୁ ଜାଣି ମଧ୍ୟ ଆମ୍ଭେମାନେ ରାସାୟନିକ ପ୍ରଦୂଷଣକୁ ନେଇ ସାମାନ୍ୟତମ ଚିନ୍ତା କରୁନାହୁଁ । ଆଉ ଗୋଟିଏ କଥା ହେଉଛି ଯେଉଁ ମୂର୍ତ୍ତି କାରିଗରମାନେ ସ୍ପ୍ରେ ଦ୍ୱାରା ଏହି ଭୟାନକ ରାସାୟନିକ ରଙ୍ଗ ମୂର୍ତ୍ତିରେ ଦେଇଥାନ୍ତି ସେମାନେ ଏହାର ପାଶ୍ୱର୍ପ୍ରତିକ୍ରିୟାର ସମ୍ମୁଖୀନ ହୋଇ ସେମାନଙ୍କ ଚର୍ମରେ ଏକ ପ୍ରକାର ବିକିରଣର ପ୍ରଭାବ ପକାଇ ଏହା ସେମାନଙ୍କ ଶରୀରକୁ ରୋଗାକ୍ରାନ୍ତ କରିଥାଏ । ମୂର୍ତ୍ତି ବିସର୍ଜନ ବେଳେ ଯେଉଁ ପ୍ରକାର ପ୍ରଦୂଷଣ ହେଉଛି ଓ ମୂର୍ତ୍ତିରେ ବ୍ୟବହୃତ ରଙ୍ଗର ମାନକୁ ନେଇ ଅନେକ ସମୟରେ ମାନ୍ୟବର ଅଦାଲତ ନିଦେ୍ର୍ଦଶାବଳୀ ଦେଉଥିଲେ ବି ଏହାକୁ କେହି ଖାତିର କରୁନାହାଁନ୍ତି କିମ୍ବା ଏହାର ପ୍ରଚାର ପ୍ରସାର ପାଇଁ ସେପରି କୌଣସି ସଚେତନତା ସୃଷ୍ଟି ନ ହେଉଥିବାରୁ ଦିନକୁ ଦିନ ଏହି ପ୍ରଦୂଷଣ ବୃଦ୍ଧି ପାଉଥିଲେ ବି ଏହାକୁ ନେଇ ସାଧାରଣରେ ଲୋକମାନଙ୍କ ଭିତରେ ସଚେତନତାର ବାର୍ତ୍ତା ପ୍ରଚାର ପ୍ରସାର ହେଉନାହିଁ । ଦଶହରାର ପାର୍ବଣ ଆନନ୍ଦ ମା'ଦୁର୍ଗତୀ ନାଶିନୀ ଦୁର୍ଗାଙ୍କ ଆଶୀର୍ବାଦରୁ ଆରମ୍ଭ ହୋଇଥାଏ । ଧରାପୃଷ୍ଠରେ ମାଆଙ୍କ ଆଗମନୀ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଚଳିତ ବର୍ଷ ପାର୍ବଣରୁ ପ୍ଲାଷ୍ଟିକ ବର୍ଜନ କରିବା ସହ ମୂର୍ତ୍ତି ପ୍ରସ୍ତୁତିରେ ରଙ୍ଗର ଯେଉଁପରି ବ୍ୟାପକ ପ୍ରୟୋଗ ହେଉଛି ଏହାକୁ ସଚେତନ କରିବା ସହ ସମସ୍ତଙ୍କୁ ଏକ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦେଲେ ପାର୍ବଣ ଆନନ୍ଦମୟ ହେବ ।
ଅଭୟ କୁମାର ଦାସ
ଗୋତରା, ମାହାଙ୍ଗା, କଟକ
ମୋ : ୯୪୩୭୧୪୨୭୧୭