ଏକୁଟିଆପଣ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା, ବୁଝିବା ଜୀବନର ଏକୁଟିଆପଣ ବାବଦରେ । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷର ଜନ୍ମରୁ ପ୍ରାଣବାୟୁ ଉଠିବା ପର୍ଯ୍ୟନ୍ତ ନିଜ ପାଇଁ ନିଜେ ଅହରହ ଜୁଝୁଥାଏ । ଏ ଜୁଝିବା ଭିତରେ କିଏ ଟିକେ ସାହାଯ୍ୟ କରିଦିଏ ତ କିଏ କେବଳ ତୁଚ୍ଛା ଆଶ୍ୱାସନା ହିଁ ଦିଏ । ରୋଗଶଯ୍ୟାରେ ପଡିଥିବା ମଣିଷ ପାଇଁ ପରିବାର, ବନ୍ଧୁବାନ୍ଧବ ଯେତେ ଆସି ପାଖରେ ଠିଆ ହେଲେ ବି କଷ୍ଟକୁ କେହି ନେଇପାରନ୍ତି ନାହିଁ । ଖାଲି 'ଆହା' ବୋଲି ପଦୁଟେ କହି ସମସ୍ତେ ଚାଲିଯାଆନ୍ତି । ସେତିକି ବେଳେ ମଣିଷକୁ ଏକୁଟିଆପଣ ଗ୍ରାସ କରେ । ସମୁଦାୟ ଜୀବନପୃଷ୍ଠାର ଅନେକ ଅଧ୍ୟାୟ ଖାଲି ଏକୁଟିଆପଣରେ ହିଁ ଭର୍ତ୍ତି । ଆଜିର ଦୁନିଆରେ ସମସ୍ତଙ୍କ ଜୀବନ ଏମିତି ହିଁ । ସତେ ଯେପରି ଏଇଥିରୁ କାହାରି ମୁକ୍ତି ନାହିଁ ।
ଅନ୍ୟ ଠେଇଁ ଯାହା ଦେଖି ଆମେ ଭାବୁଛେ 'ମୋର କିଛି ହେବ ନାହିଁ' ବୋଲି, ତାହା ଆମକୁ ମଧ୍ୟ କେତେବଳେ ନା କେଉଁ ରୂପରେ ଗିଳିବ ନିଶ୍ଚୟ । ପ୍ରକୃତିର ନିୟମ ଅନ୍ୟ ପାଇଁ ଯେମିତି, ଆମ ପାଇଁ ମଧ୍ୟ ଠିକ୍ ସେମିତି । ପ୍ରକୃତିର ନିୟମକୁ ଉଲଙ୍ଘନ କରିବା ଅସମ୍ଭବ । ଆମକୁ ଏଇ ସତ୍ୟ ନିକଟରେ ମୁଣ୍ଡ ନୁଆଁଇବାକୁ ପଡିବ ହିଁ ପଡିବ । ମୁଣ୍ଡ ନ ନୁଆଁଇ ଗତି ସତେ ନାହିଁ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।