ବାଇଶି ପାହାଚ ମାହାତ୍ମ୍ୟ

ବାଇଶି ପାହାଚ ମାହାତ୍ମ୍ୟ

ପୁଷ୍ପମିତ୍ର ମହାପାତ୍ର : ଶ୍ରୀ ଜଗନ୍ନାଥଙ୍କ ଭକ୍ତମାନସରେ ପୁରୀ ମନ୍ଦିରରେ ଥିବା ବାଇଶି ପାହାଚ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କିଛି । ସେଇ ପଥର ପାହାଚଗୁଡ଼ାକ ଚଢ଼ି ମନ୍ଦିରକୁ ଯିବାବେଳେ ଠାକୁରଙ୍କ ପ୍ରତି ସତେ ଅବା ଆର୍ଦ୍ର ହେବାକୁ ଆରମ୍ଭ କରେ ଭକ୍ତମାନଙ୍କ ମନ । ମନ୍ଦିର ଯାତ୍ରାବେଳେ ଭକ୍ତମାନେ ବାଇଶି ପାହାଚ ହାତରେ ସ୍ପର୍ଶକରି ମଥାରେ ଲଗାନ୍ତି । ଲାଗେ ହୃଦୟ ଭିତରେ ଥିବା ଅନେକ କଷ୍ଟ, ଅନେକ କୋହ, ଅନେକ ଯନ୍ତ୍ରଣା, ଅଭାବ, ନୈରାଶ୍ୟ, ହା ହୁତାଶ, ଆତ୍ମଗ୍ଲାନି ସବୁକିଛି ଯେପରି ସେଇଠି ହିଁ ଓଜାଡ଼ି ଦେବା ମହାପ୍ରଭୁଙ୍କୁ ପ୍ରାର୍ଥନା ପୂର୍ବକ । ସିଂହଦ୍ୱାର ସଂଲଗ୍ନରେ ଥିବା ମୁଖଶାଳା ଅତିକ୍ରମ କଲେ ଆଗରେ ପଡ଼େ ଗୋଟାଏ ସୋପାନ ଶ୍ରେଣୀ - ଲମ୍ବା, ଅନୁଜ, କିନ୍ତୁ ମସୃଣ । ଏଗୁଡ଼ିକ ମୁଖଶାଳାର ପଶ୍ଚାତରୁ ଆରମ୍ଭ ହୋଇ ଉପରକୁ ଉପରକୁ ଉଠି ସ୍ପର୍ଶ କରିଛି କୁର୍ମବେଢ଼ା ଦ୍ୱାର । ମୁଖଶାଳା ଓ କୁର୍ମବେଢ଼ା ମଧ୍ୟରେ ରହିଛି ମାତ୍ର ୨୦ଟି ପାହାଚ; ତେବେ ସୋପାନ ଶ୍ରେଣୀର ଶେଷ ଆଡ଼କୁ ଡାହାଣ ପଟେ ଉତ୍ତର ଦିଗରେ ଆନନ୍ଦବଜାର ପ୍ରବେଶ ପଥରେ ରହିଛି ଆଉ ଦୁଇଟି ପାହାଚ । ଏ ଦୁଇଟି ପାହାଚ ଆରମ୍ଭ ହୋଇଛି ଅଷ୍ଟାଦଶ ସୋପାନରୁ ଏବଂ ପ୍ରସରିଛି ଉତ୍ତରକୁ ଆନନ୍ଦବଜାରର ଦ୍ୱାର ଯାଏଁ । ଏଇ ଦ୍ୱାରର ଦୁଇ ପାଶ୍ୱର୍ରେ ଶୋଭାପାଉଛି ଖୁବ୍ ପ୍ରକାଣ୍ଡକାୟ ଦୁଇଟି ସିଂହ ଭାସ୍କର୍ଯ୍ୟ ପ୍ରାୟ ୧୦ଫୁଟ ଲମ୍ବା ଓ ୮ଫୁଟ ଉଚ୍ଚତା ବିଶିଷ୍ଟ ।
ଶ୍ରୀକ୍ଷେତ୍ରର ଐତିହ୍ୟ, ଧର୍ମଚେତନା ଓ ପରମ୍ପରା ସହିତ ଏହି ବାଇଶି ପାହାଚର ଭୂମିକା ଅତୀବ ଭାବପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱାସ ରହିଛି ଏଇଟି ହିଁ ଅଷ୍ଟବୈକୁଣ୍ଠ, ପିତୃଲୋକ, ବ୍ରହ୍ମଲୋକ ଓ ଧ୍ରୁବଲୋକ, ଅନ୍ନଦାନ, ପିଣ୍ଡଦାନ ଓ ବସ୍ତ୍ରଦାନର ମହାପୁଣ୍ୟ କ୍ଷେତ୍ର ହେଉଛି ଏହି ବାଇଶି ପାହାଚ । ଏହା କେବଳ ପଥରରେ ତିଆରି ସାଧାରଣ ପାହାଚ ନୁହଁ ବରଂ ଏଥିରେ ରହିଛି ଅନେକ ଗୂଢ଼ ତତ୍ତ୍ୱ । ଏହି ଅଷ୍ଟବୈକୁଣ୍ଠର ଲୋକ ମହାତ୍ମ୍ୟ ଏହିପରି ଯେ ନିତ୍ୟସ୍ଥଳୀ ଏହି ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁ ନିତ୍ୟଲୋକରୁ ଭୂଲୋକକୁ ଓହ୍ଲାଇ ଆସନ୍ତି ଏହି ବାଇଶି ପାହାଚ ଦେଇ । 
ବାଇଶିଟି ଯାକ ପାହାଚର ଆୟତନ ଏକା ପ୍ରକାରର ନୁହେଁ । ସମସ୍ତ ସୋପାନ ଅବଶ୍ୟ ବଉଳମାଳ ବା କୁଣ୍ଡାପଥରରେ ନିର୍ମିତ ଏବଂ ଅଧିକାଂଶର ପ୍ରସ୍ଥ ପାଞ୍ଚ ଫୁଟ । ପାହାଚଗୁଡ଼ିକର ଉଚ୍ଚତା ମାତ୍ର ଛଅରୁ ସାତ ଇଞ୍ଚ ଏବଂ ଲମ୍ବା ପ୍ରାୟ ୪୦ଫୁଟ । ସୋପାନ ଶ୍ରେଣୀର ଉତ୍ତର ଓ ଦକ୍ଷିଣ ପଟେ ମଧ୍ୟ ରହିଛି ପାଚେରୀ । ତେବେ ଦୁଇ ପଟର ଏହି ପାଚେରୀ ଠିକ୍ ପାଚେରୀ ପରି ପ୍ରତୀୟମାନ ହେଉନି କାରଣ ମନ୍ଦିର ଚଟାଣର ସମତଳ ସହ ଏହା ମିଶି ଯାଇଛି । ଉପରେ ରହିଛି ଦୁଇଧାଡ଼ି ମିଷ୍ଟାନ୍ନ ତିଆରି ସରଘର । ସୋପାନ ଶ୍ରେଣୀର ଅଷ୍ଟାଦଶ ପାହାଚଟି ସବୁଠାରୁ ଓସାରିଆ; ୟାର ପ୍ରସ୍ଥ ପ୍ରାୟ ୧୫ଫୁଟ । ୧୯ ଓ ୨୦ ତମ ପାହାଚ ଦୁଇଟି ଅର୍ଦ୍ଧ ଗୋଲାକୃତି । ଏ ଦ୍ୱୟ କାରୁକାର୍ଯ୍ୟ ମଣ୍ଡିତ କୁର୍ମବେଢ଼ା ଦ୍ୱାରକୁ ସ୍ପର୍ଶ କରି ରହିଛି । ଆନନ୍ଦବଜାରର ପ୍ରବେଶ ପଥରେ ଥିବା ପାହାଚ ଦୁଇଟି ମଧ୍ୟ ପ୍ରସ୍ଥରେ ପ୍ରାୟ ୧୦ଫୁଟ । ବାଇଶି ପାହାଚ ଦେଇ ମନ୍ଦିରକୁ ଉଠିଲାବେଳେ ତୃତୀୟ ପାହାଚର ଦକ୍ଷିଣ ପାଶ୍ୱର୍ରେ ରହିଛି ଗୋଟିଏ ଅନୁଚ୍ଚ ମନ୍ଦିର ଯାହା କାଶୀ ବିଶ୍ୱନାଥ ଦେବାଳୟ ରୂପେ ପରିଚିତ । ଏଇ ଉପାସନା ପୀଠକୁ ଲାଗି ଅନ୍ୟ ଏକ ଅନୁଚ୍ଚ ମନ୍ଦିର ରହିଛି ଏଠାରେ ରାମ ଓ ସୀତା ପୂଜା ପାଆନ୍ତି । କେତେକ ବିଦ୍ୱାନ ବାଇଶି ପାହାଚର ମହତ୍ତ୍ୱ ପ୍ରତିବାଦିତ କରିବାକୁ ଯାଇ କିଛି ତତ୍ତ୍ୱ ବଖାଣନ୍ତି । ସେମାନଙ୍କ ମତରେ ଦେବତାଙ୍କୁ ପାଇବା ପଥରେ ମାନବ ୨୨ ପ୍ରକାରର ଦୋଷ ଦୁର୍ବଳତା ଅତିକ୍ରମ କରିବାକୁ ହୁଏ; ଏଣୁ ଶ୍ରୀମନ୍ଦିରରେ ରହିଛି ଏଇ ୨୨ ଗୋଟି ପାହାଚ । ବାଇଶି ପାହାଚର ପ୍ରଥମ ପାହାଚର ବାମପାଶ୍ୱର୍ରେ ପଶ୍ଚିମାଭିମୁଖୀ କାଶୀବିଶ୍ୱନାଥ ମନ୍ଦିର ଅବସ୍ଥିତ । କାଶୀବିଶ୍ୱନାଥ ହେଉଛନ୍ତି ବାଇଶି ପାହାଚର ପ୍ରଥମ ଦେବତା । ଶ୍ରୀଜଗନ୍ନାଥଙ୍କୁ ଭକ୍ତଜନ ଦର୍ଶନ କରିବା ପରେ ବାଇଶି ପାହାଚରେ କିଛି ସମୟ ବସନ୍ତି । ପଞ୍ଚଦଶ ଅଷ୍ଟତାତ୍ତ୍ୱିକ ଭାବ ତ୍ରିବୀଜ, ତ୍ରିଶକ୍ତି, ତ୍ରିଗୁଣର ସମାହାର ବାଇଶି ଯାହା କି ବାଇଶି ପାହାଚରେ ପ୍ରତିଫଳିତ । ବିଶ୍ୱାସ ରହିଛି ମହାପ୍ରଭୁଙ୍କ କରୁଣା ନହେଲେ କେହି ବି ବାଇଶି ପାହାଚ ଅତିକ୍ରମ କରିପାରିବ ନାହିଁ କି ଠାକୁରଙ୍କୁ ଦର୍ଶନ ମଧ୍ୟ କରିପାରିବ ନାହିଁ । ପହଣ୍ଡି ସମୟରେ ମହାପ୍ରଭୁ ଏହି ପାହାଚ ଅତିକ୍ରମ କରି ହାତୀ ପରି ଝୁଲି ଝୁଲି ଟାହିଆ ହଲାଇ ଦୁଇ ହାତ ପ୍ରସାରିତ କରି ବଡ଼ଦାଣ୍ଡର ଜନସମୁଦ୍ରକୁ ଓହ୍ଲାଇ ଆସନ୍ତି । ଏହି ବାଇଶି ପାହାଚରେ ଅସଂଖ୍ୟ ଭକ୍ତ, ଶ୍ରଦ୍ଧାଳୁ, ସାଧୁସନ୍ଥଙ୍କ ପବିତ୍ର ଚରଣ ରଜ୍ଜ ରଞ୍ଜିତ । ପତିତପାବନ ଯାତ୍ରା ସମୟରେ ଏହି ବାଇଶି ପାହାଚରେ ଶ୍ରୀଜୀଉଙ୍କ ଦେବୋପମ ପହଣ୍ଡି ହେଲାବେଳେ ଏଠାରେ ଅବସ୍ଥିତ ପିତୃଶିଳା ନିକଟରେ ପିତୃପୁରୁଷଗଣ, ଯମଶିଳା ନିକଟରେ ଚିତ୍ରଗୁପ୍ତ ଓ ଜମଦୂତ ଗଣ, ତେତିଶ କୋଟି ଦେବଗଣ, ଗନ୍ଧର୍ବ, କିନ୍ନର, ଦେବ ନର୍ତ୍ତକୀ ସମସ୍ତେ ଉପସ୍ଥିତ ଥାଆନ୍ତି ଦର୍ଶନ ପାଇଁ । ବାଇଶି ପାହାଚ ହେଉଛି ଚତୁର୍ଦ୍ଦଶ ଭୁବନ । ଭୂଃ, ଭୂବଃ, ସ୍ୱଃ, ମହଃ ଜନ, ତପ, ସତ୍ୟ, ଅତ, ସୁତଳ, ବିତଳ, ମହୀତଳ, ରସାତଳ ତଥା ପାତାଳ ଏବଂ ଅଷ୍ଟ ବୈକୁଣ୍ଠ ।  ତେବେ ତତ୍ତ୍ୱର ତାତ୍ପର୍ଯ୍ୟ ଯାହା ହେଉ ନା କାହିଁକି ବାଇଶି ପାହାଚର ପବିତ୍ରତାକୁ କେହି ଅସ୍ୱୀକାର କରନ୍ତି ନାହିଁ । ବାପା ମା'ମାନେ ମାନସିକ କରି ନିଜ ଶିଶୁ ସନ୍ତାନମାନଙ୍କୁ ଏହି ସୋପାନର ଉପରୁ ତଳ ଯାଏଁ ଗଡ଼ାନ୍ତି । ଏଇ ବାଇଶି ପାହାଚକୁ ମଧ୍ୟ ପିତୃଲୋକର କ୍ଷେତ୍ର ବୋଲି ଗ୍ରହଣ କରାଯାଏ । ଏଣୁ ଆଶ୍ୱିନ ମାସ ପ୍ରଥମାର୍ଦ୍ଧାରେ ଏଠାରେ ଯାତ୍ରୀମାନେ ମହାଳୟା ଶ୍ରାଦ୍ଧ କରନ୍ତି । ଶ୍ରାଦ୍ଧ ସାରି ଦଶମ ପାହାଚର ଏକ ଚତୁଷ୍କୋଣୀ କ୍ଷେତ୍ରରେ ପିଣ୍ଡ ଅର୍ପଣ କରାଯାଏ । ଏ ଦିନେ ବାଇଶି ପାହାଚରେ ବହୁ ପୁରୋହିତ ଓ ଯଜମାନ ଶ୍ରାଦ୍ଧରେ ବସିଥିବା ଦେଖାଯାଏ ।  ଶ୍ରଦ୍ଧାଳୁ ହୁଅନ୍ତୁ ବା ଭକ୍ତ ମହାପ୍ରଭୁଙ୍କୁ ଦେଖିବା ପାଇଁ ଶ୍ରୀ ମନ୍ଦିରକୁ ପ୍ରବେଶ ପରେ ଏହି ବାଇଶ ପାହାଚ ନିକଟରେ ପହଞ୍ଚô ପାଦ ଦେବା ପୂର୍ବରୁ ଭକ୍ତିପୂତ ମୁଣ୍ଡିଆଟିମାରି ଆଗକୁ ଯାଇଥାଏ । 

ମୋ: ୯୪୩୭୨୨୫୬୮୯