ଯୋଜନା କେବେ ମାଗଣା କି?
ଯେକୌଣସି ଏକ ସରକାରର କାମ ହେଉଛି ବିଭିନ୍ନ ପ୍ରକାରର କର ମାଧ୍ୟମରେ ରାଜସ୍ୱ ସଂଗ୍ରହ କରିବା ଏବଂ ସେହି ରାଜସ୍ୱକୁ ଲୋକମାନଙ୍କ ପାଇଁ ମଙ୍ଗଳକର ଏବଂ ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ କରିବା । ବିଭିନ୍ନ କର ମଧ୍ୟରେ ଆୟକର ମଧ୍ୟ ଗୋଟିଏ । ଧନୀ ଲୋକଙ୍କ ଠାରୁ ଆୟର ପରିମାଣକୁ ନେଇ ଆୟକର ସଂଗ୍ରହ କରିବା ବିଶ୍ୱବ୍ୟାପୀ ସବୁ ସରକାରର କାମ । କେବଳ ସେତିକି ନୁହେଁ, ଜନମଙ୍ଗଳକର ଖାଦ୍ୟ ଭାବରେ ଦରିଦ୍ର ଲୋକଙ୍କ ପାଇଁ ସେମାନଙ୍କର ଅର୍ଥନୀତିକ ଏବଂ ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ଦିଗରେ ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରିବା ମଧ୍ୟ ସରକାରର କର୍ତ୍ତବ୍ୟ । ସଡ଼କ ନଥିବା ସ୍ଥାନରେ ସଡ଼କଟିଏ ନିର୍ମାଣ କରିବା କିମ୍ବା ପୋଲ ନଥିବା ସ୍ଥାନରେ ପୋଲଟିଏ ନିର୍ମାଣ କରିବା ସରକାରଙ୍କର ମୌଳିକ କର୍ତ୍ତବ୍ୟ । ଏହି ସଡ଼କକୁ ବ୍ୟବହାର କରିବା କ୍ଷେତ୍ରରେ କିମ୍ବା ପୋଲ ଉପର ଦେଇ ଯିବା ଆସିବା ସମୟରେ ଲୋକମାନେ କେବେ ହେଲେ ଟିକଟ କାଟି ଯାଆଆସ କରନ୍ତି ନାହିଁ । ଏହା ରାଜ୍ୟର ସମ୍ପତ୍ତି ଏବଂ ଲୋକମାନଙ୍କ ଠାରୁ ସଂଗୃହୀତ ଟିକସ ତଥା ଶିଳ୍ପ କ୍ଷେତ୍ର, ଖଣି କ୍ଷେତ୍ର, ଆମଦାନୀ ଏବଂ ରପ୍ତାନୀ କ୍ଷେତ୍ର ଆଦି ବିଭିନ୍ନ ସୂତ୍ରରୁ ସରକାର ପାଇଥିବା ପାଣ୍ଠିରେ ଏସବୁ ହୁଏ । ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଗରିବ ଲୋକମାନଙ୍କ ଉଦେ୍ଦଶ୍ୟରେ ପ୍ରଣୟନ କରାଯାଇଥିବା କୌଣସି ଯୋଜନାକୁ ମାଗଣା ବୋଲି କୁହାଯାଇପାରିବ ନାହିଁ । ଗରିବ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଗୁଡ଼ିକ ସେମାନଙ୍କ ସାମାଜିକ ଏବଂ ଆର୍ଥôକ ବିକାଶ ପାଇଁ ଜରୁରୀ ବୋଲି ମନେ କରିବା ପରେ ସରକାର ସେମାନଙ୍କ ନିମିତ୍ତ ଯୋଜନା ପ୍ରଣୟନ କରିଛନ୍ତି । ତାହା ବାସଗୃହ ହେଉ କିମ୍ବା ଶୌଚାଳୟ ହେଉ କିମ୍ବା ରାସନ କାର୍ଡ୍ ମାଧ୍ୟମରେ ଖାଦ୍ୟଶସ୍ୟ ଯୋଗାଇ ଦେବା ହେଉ, ନହେଲେ ତ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଭଳି କୌଣସି ଆର୍ଥôକ ପ୍ରୋତ୍ସାହନ ହେଉ, ଏଗୁଡ଼ିକ ନିର୍ଦ୍ଦିଷ୍ଟ ବର୍ଗର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ, ସମସ୍ତଙ୍କ ପାଇଁ ନୁହେଁ । ଯେଉଁ ଯୋଜନା ଯେଉଁ ବର୍ଗ ପାଇଁ ଉଦ୍ଧିଷ୍ଟ ତାର ଉପଯୁକ୍ତ କାର୍ଯ୍ୟକାରୀତା ଏବଂ ସେଥିରେ କୌଣସି ପ୍ରକାରର ବେନିୟମ ଯେଭଳି ନହୁଏ, ତାକୁ ମଧ୍ୟ ଦେଖିବା ସରକାରଙ୍କର କର୍ତ୍ତବ୍ୟ ।
ଆମ ଦେଶରେ ସରକାର ହେଉଛନ୍ତି ୱେଲ୍ଫେୟାର୍ ଷ୍ଟେଟ୍ର ଜନମଙ୍ଗଳକାରୀ ସରକାର । ରାତିରେ ରାସ୍ତାରେ ଆଲୁଅ ଜଳାଇବା ବ୍ୟବସ୍ଥା ଠାରୁ ଆରମ୍ଭ କରି ରାସ୍ତା ପରିଷ୍କାର କରି ମରାମତି କରିବା, ଘରୁ ଅଳିଆ ସଂଗ୍ରହ କରିବା ଇତ୍ୟାଦି ସବୁକିଛି କରୁଛନ୍ତି । ସେସବୁ ବାବଦରେ ଯେତିକି ଖର୍ଚ୍ଚ ହୁଏ, ହୋଲ୍ଡିଂ ଟ୍ୟାକ୍ସ ବାବଦରେ ଆଦାୟ ହେଉଥିବା ପାଣ୍ଠି ତାହା ତୁଳନାରେ କିଛି ନୁହେଁ । କିନ୍ତୁ ଏସବୁ କ୍ଷେତ୍ରରେ କେହି କେବେହେଲେ କହନ୍ତି ନାହିଁ ଯେ ରାସ୍ତାରେ ମାଗଣା ଯାଉଛୁ, ରାସ୍ତାରେ ଜଳୁଥିବା ବିଜୁଳିବତୀକୁ ମାଗଣା ବ୍ୟବହାର କରୁଛୁ ଇତ୍ୟାଦି । ରାଷ୍ଟ୍ରର ପ୍ରତ୍ୟେକ ନାଗରିକ ରାଷ୍ଟ୍ର ପକ୍ଷରୁ ଅନେକ ସେବା ଉପଭୋଗ କରନ୍ତି ଯେଉଁଥିପାଇଁ ସେମାନଙ୍କୁ କୌଣସି ପଇସା ଦେବାକୁ ପଡ଼େ ନାହିଁ । ଜନମଙ୍ଗଳ ରାଷ୍ଟ୍ରରେ ଏହିସବୁ କାର୍ଯ୍ୟ ଓ ସେବା ଗୁଡ଼ିକ ରାଷ୍ଟ୍ର ସମସ୍ତଙ୍କ ପାଇଁ ଯୋଗାଇ ଦିଏ । ଏହାର ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ବିଭିନ୍ନ ସୂତ୍ରରୁ ଆସିଥିବା ଅର୍ଥରେ ହୁଏ । ଏସବୁକୁ ବିଚାର ନକରି ନିଜ ପାଇଁ ଘର ଖଣ୍ଡିଏ କରିପାରୁନଥିବା ଗରିବ, ନିଜ ପାଇଁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିପାରୁନଥିବା ଗରିବ ଏବଂ ଅନ୍ୟାନ୍ୟ ଯୋଜନାର ହିତାଧିକାରୀ ଗରିବମାନଙ୍କୁ କିଛି ବ୍ୟକ୍ତି ମାଗଣାଖିଆ ବୋଲି କହି ପରିହାସ କରିବା ରାଷ୍ଟ୍ର ସମ୍ପର୍କିତ ଅଜ୍ଞତାର ସୂଚକ । ସରକାର ସମସ୍ତ ନାଗରିକମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ତେଣୁ ଏ ଦୃଷ୍ଟିରୁ ଗରିବମାନଙ୍କୁ ଉପହାସ କରିବା ଏକ ଅମାନବୀୟ କାର୍ଯ୍ୟ ।