ଦେଉଳି ମଠରୁ ଶ୍ରୀକ୍ଷେତ୍ର ଗଲା ଅଣସର ଫଳ ଭାର

 କାକଟପୁର : ଦେବସ୍ନାନ ପୂର୍ଣ୍ଣିମାରେ ସୁନା କୂଅରୁ ସହସ୍ର କଳସୀ ଜଳରେ ସ୍ନାନ କରି ଜ୍ୱର ହୋଇଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଓ ଚେର ମୂଳି ଔଷଧ ରେ ସାମାନ୍ୟ ସୁସ୍ଥ ହେବାପରେ ଫଳ ମୂଳ ସେବା ଲାଗିଥାଏ । ଏହି ସେବାରେ ପ୍ରାଚୀ କ୍ଷେତ୍ର ମା’ ମଙ୍ଗଳାଙ୍କ ପୀଠର ଅନବସର ଫଳ ଭାର ଏକ ନିଆରା ପରମ୍ପରା । ପୁରାଣ ବର୍ଣିତ ପବିତ୍ର ପ୍ରାଚୀନଦୀ ହେଉଛି ଜଗନ୍ନାଥ କ୍ଷେତ୍ରର କ୍ଷେତ୍ର ନଦୀ । ପ୍ରାଚୀ ତଟରେ ଥିବା ମଠ ଆଶ୍ରମ ଓ ମନ୍ଦିର ଗୁଡିକ ସହିତ ଶ୍ରୀମନ୍ଦିରର ଅନେକ ସେବା ଜଡିତ । ସ୍ନାନପୂର୍ଣିମାରେ ମହାସ୍ନାନ ସାରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜର ହେଇଛ । ଏହି ଅବସରରେ ପ୍ରାଚୀ ତଟ ବନଜାଗ ଲୀଳାସ୍ଥଳୀ ଓ ଜଗନ୍ନାଥଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଦେଉଳି ମଠରୁ ଅଣବସର ସେବା ନିମିତ୍ତ ତିନିଟି ଫଳ ଭାର ଶଗଡ଼ ପୁରୀ ଅଭିମୁଖେ ଯାଇଛି । ଖୋଳତାଳ ସଂକୀର୍ତ୍ତନର ତାଳେ ତାଳେ ଗାଁ ଗାଁ ଦେଇ ବିଭିନ୍ନ ଦେବ ପୀଠ ସ୍ପର୍ଶ କରି ସାଜସଜ୍ଜା ହୋଇଥିବା ଶଗଡ଼ ବଳଦ ଓ ଭକ୍ତ ମାନେ ପୁରୀ ଅଭିମୁଖେ ପଦଯାତ୍ରା କରି ଯାଇଛନ୍ତି । ମଠ ବାଡ଼ି ତଥା ଭକ୍ତ ମାନଙ୍କ ପ୍ରଦତ୍ତ ବିଭିନ୍ନ ସୁସ୍ୱାଦୁ ଫଳ, ତୁଳସୀ ଓ ପଦ୍ମଫୁଲ ମାଳ ମହାପ୍ରଭୁଙ୍କ ସେବା ପାଇଁ ଶ୍ରୀକ୍ଷେତ୍ର ଯାଇଛ । ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦର ଦାୟିତ୍ୱରେ ଚାଲି ଆସୁଥିବା ଏହି ପଦଯାତ୍ରା ଅଣସର ସପ୍ତମୀରେ ଦେଉଳି ମଠରୁ ବାହାରି ନବମୀ ଦିନ ଶ୍ରୀକ୍ଷେତ୍ରରେ ପହଂଚିବା ପୂର୍ବକ ଶ୍ରୀମନ୍ଦିର ପରିସରରେ ଥିବା ନୃସିଂହ ଚକଡାରେ ଫଳ ପୁଷ୍ପ ଆଦି ଶ୍ରୀଜୀଉମାନଙ୍କ ଉଦେ୍ଦଶ୍ୟରେ ଅର୍ପଣ କରାଯିବ ।