ଚଳଚ୍ଚିତ୍ର 'ରାମାୟଣ'ର ବଜେଟ୍ କୋଟି କୋଟି ଟଙ୍କା : ପ୍ରଥମ ଥର ପାଇଁ ହେବ AIର ବ୍ୟବହାର
ବହୁ ଚର୍ଚ୍ଚିତ ଆଗାମୀ ଚଳଚ୍ଚିତ୍ର 'ରାମାୟଣ'କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମଟି କେବଳ ଏହାର ବିଶାଳ ବଜେଟ୍ ପାଇଁ ନୁହେଁ, ବରଂ ପ୍ରଥମ ଥର ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏଆଇର ବ୍ୟବହାରକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛି । ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ରଟି ଦୁଇଟି ଭାଗରେ ମୁକ୍ତିଲାଭ କରିବ । ଏହାର ମିଳିତ ବଜେଟକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ସାମ୍ନାକୁ ଆସୁଛି । କିଛି ରିପୋର୍ଟରେ ଏହାର ବଜେଟ୍ ୧୬୦୦ କୋଟି ଟଙ୍କା ବୋଲି କୁହାଯାଉଥିବା ବେଳେ, ଅନ୍ୟ କେତେକ ପ୍ରମୁଖ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଦୁଇ-ଭାଗ ବିଶିଷ୍ଟ ଚଳଚ୍ଚିତ୍ରର ବଜେଟ୍ ୪୦୦୦ କୋଟି ଟଙ୍କା (ପ୍ରାୟ ୫୦୦ ମିଲିୟନ୍ ଡଲାର) ଅତିକ୍ରମ କରିପାରେ । ଯଦି ଏହା ସତ ହୁଏ, ତେବେ ଏହା ଭାରତୀୟ ସିନେମା ଇତିହାସର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ହେବ । ଏହି ଚଳଚ୍ଚିତ୍ରର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର । ଭାରତୀୟ ସିନେମାରେ ପ୍ରଥମ ଥର ପାଇଁ ଆଞ୍ଚଳିକ ଭାଷାଗୁଡ଼ିକରେ ସହଜ ଡବିଂ ପାଇଁ 'AI ଡବିଂ' ଟେକ୍ନୋଲୋଜିର ବ୍ୟବହାର କରାଯିବ । ଏହା ବ୍ୟତୀତ, ଫିଲ୍ମରେ ବିଶ୍ୱସ୍ତରୀୟ ଭିଜୁଆଲ୍ ଇଫେକ୍ଟସ୍ ଦେଖିବାକୁ ମିଳିବ ବୋଲି ଜଣାପଡିଛି ।
ଏହି ପୌରାଣିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ରରେ ବଲିଉଡର ଜଣାଶୁଣା କଳାକାରମାନେ ଅଭିନୟ କରୁଛନ୍ତି । ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ, ସାଇ ପଲ୍ଲବୀ ସୀତାଙ୍କ ଭୂମିକାରେ ଏବଂ 'କେଜିଏଫ୍' ଫେମ୍ ୟଶ୍ ରାବଣ ଭୂମିକାରେ ଅଭିନୟ କରିବେ । ଏହା ସହିତ ସନ୍ନି ଦେଓଲ୍ ହନୁମାନଙ୍କ ଭୂମିକାରେ ଅଭିନୟ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଫିଲ୍ମର ସଙ୍ଗୀତ ପାଇଁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହାନ୍ସ ଜିମର୍ ଏବଂ ଏ.ଆର୍. ରେହମାନ୍ ଏକାଠି କାମ କରୁଛନ୍ତି । ଚଳଚ୍ଚିତ୍ରର ପ୍ରଥମ ଭାଗ ୨୦୨୬ ଦୀପାବଳିରେ ଏବଂ ଦ୍ୱିତୀୟ ଭାଗ ୨୦୨୭ର ଦୀପାବଳିରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି ।