ଦେଶରେ ଶିକ୍ଷାର ସ୍ଥିତି
ସୌଭାଗ୍ୟ ରଂଜନ ମହାନ୍ତି : ସଂପ୍ରତି ଦେଶରେ ସରକାରୀ ବିଦ୍ୟାଳୟଗୁଡିକର ପାଠପଢା ପରିବେଶ ଅତ୍ୟନ୍ତ ଚିନ୍ତାଜନକ । ସରକାରୀ ବିଦ୍ୟାଳୟରେ କେଉଁଠି ଗୋଟିଏ କକ୍ଷରେ ୩ଟି ଶ୍ରେଣୀ ଚାଲିଛି ତ କେଉଁଠି ପିଲା ନାହାଁନ୍ତି । ଶିକ୍ଷକ ଅଭାବ ସରକାରୀ ବିଦ୍ୟାଳୟଗୁଡିକରେ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିବାବେଳେ ଅଷ୍ଟମ ଶ୍ରେଣୀ ପିଲା ତୃତୀୟ ଶ୍ରେଣୀ ଗଣିତ କରିପାରୁନାହାଁନ୍ତି । ନିକଟରେ ଜାତିସଂଘ ଓ ଅସର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଥିଲା । ଉଲ୍ଳେ୍ଖଯୋଗ୍ୟ ଯେ, ଦେଶରେ ଶିକ୍ଷାର ବିକାଶ ଲାଗି କେନ୍ଦ୍ର ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନ କରିଛନ୍ତି । ଜାତୀୟ ଶିକ୍ଷାନୀତିରେ ଥିବା ତ୍ରିଭାଷୀ ପ୍ରସଙ୍ଗକୁ ନେଇ ଏବେ କେତେକ ରାଜ୍ୟରେ ବିରୋଧ ମୁଣ୍ଡ ଟେକିଛି । ଏହା ସତ୍ତେ୍ୱ୍ୱ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ୨.୦ ଗ୍ରେଡିଂ ଢାଂଚା ଏବେ ଶିକ୍ଷାର ବିକାଶ ନେଇ କେତେକ ସୁଖଦ ଖବର ଆଣିଛି । ୨୦୧୭-୧୮ ରୁ ୨୦୨୨-୨୩ ମଧ୍ୟରେ ଉଚ୍ଚ ର୍ୟାଙ୍କିଙ୍ଗ ଏବଂ ନିମ୍ନ ର୍ୟାଙ୍କିଙ୍ଗରେ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରୀ ବିଦ୍ୟାଳୟଗୁଡିକର ସଫଳତା ନେଇଥିବା ତାରତମ୍ୟ ୫୧ ପ୍ରତିଶତରୁ ୪୨ପ୍ରତିଶତକୁ ହ୍ରାସ ପାଇଛି ।
ଏହା ନିଃସନ୍ଦେହ ଯେ, ଏହା ଏକ ଆଖିଦୃଷ୍ଟିଆ ସଫଳତା ବୋଲି କୁହାଯାଇପାରେ । କିନ୍ତୁ ଦୁର୍ଭାଗ୍ୟର କାରଣ ଏହା ଯେ, କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଂଚଳ କୌଣସି ଟପ୍ ଗ୍ରେଡ ଦକ୍ଷ, ଉତ୍କର୍ଷ, ଉତ୍ତମ ଓ ଅତି ଉତ୍ତମ ହାସଲ କରିପାରନାହାଁନ୍ତି । ସେମାନେ ‘ପ୍ରଚେଷ୍ଟା’ ଏବଂ ‘ଆକାଂକ୍ଷୀ’ ସ୍ତରରେ ରହିଯାଇଛନ୍ତି । ଏପରିକି କେନ୍ଦ୍ରଶାସିତ ଅଂଚଳ ଚଣ୍ଡିଗଡ, ଯେ କି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକ ମଧ୍ୟରେ ୧୦୦୦ରୁ ସର୍ବାଧିକ ସ୍କୋର କରିଥିବା ସତ୍ତେ୍ୱ୍ୱ ଏବେ କେବଳ ପ୍ରଚେଷ୍ଟା ଲେବୁଲ-୧ ସ୍ତରରେ ପ୍ରବେଶ କରିବାକୁ ସମର୍ଥ ହୋଇଛି । ପୂର୍ବରୁ ଚଣ୍ଡିଗଡ ପ୍ରଚେଷ୍ଟା ଲେବୁଲ-୨ସ୍ତରରେ ଥିଲା । ନିକଟରେ ୬ଟି କ୍ଷେତ୍ର ତଥା ଶିକ୍ଷା ଫଳାଫଳ, ସୁବିଧା ସୁଯୋଗ, ଭିତ୍ତିଭୂମି, ସମାନତା ପ୍ରଶାସନିକ ପ୍ରକ୍ରିୟା ଏବଂ ଶିକ୍ଷକ ତାଲିମ ଉପରେ ଦେଶବ୍ୟାପୀ ହୋଇଥିବା ପିଜିଆଇ ପରୀକ୍ଷାରେ କେରଳ ହେଉଛି ଏକମାତ୍ର ରାଜ୍ୟ ଯେ କି, ଶିକ୍ଷକ, ପ୍ରଶିକ୍ଷଣ ଓ ତାଲିମରେ କେବଳ ଦକ୍ଷ ସ୍ତରରେ ପହଁଚିବାକୁ ସମର୍ଥ ହୋଇଥିବାବେଳେ ଅନ୍ୟ କୌଣସି କ୍ଷେତ୍ରରେ ଉତ୍ତମ ଫଳାଫଳ ପ୍ରଦର୍ଶନ କରିପାରିନାହିଁ । କହିବା ବାହୁଲ୍ୟ ଯେ, ଏହି କ୍ଷେତ୍ରଗୁଡିକରେ ସଫଳତା ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକ ମଧ୍ୟରେ କେରଳ ମଧ୍ୟମ ସ୍ତରରେ ରହିବାକୁ ସକ୍ଷମ ହୋଇଛି । ର୍ୟାଙ୍କିଙ୍ଗର ସବା ତଳ ସ୍ତରରେ ପାଂଚଟି ରାଜ୍ୟ ତଥା ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ ଏବଂ ବିହାର ରହିଥିବାବେଳେ ର୍ୟାଙ୍କିଙ୍ଗର ଉପର ତଥା ଉଚ୍ଚ ସ୍ତରରେ ଚଣ୍ଡିଗଡ, ପଞ୍ଜାବ, ଦିଲ୍ଲୀ, ଗୁଜରାଟ ଓ ଓଡିଶା ରହିଛି । ଓଡିଶା ସମାନତା କ୍ଷେତ୍ରରେ ଜାତି, ଲିଙ୍କ ଓ ଆଂଚଳିକ କ୍ଷେତ୍ରରେ ଥିବା ତାରତମ୍ୟକୁ ହ୍ରାସ କରିବାରେ ଉଲ୍ଳେଖନୀୟ ସଫଳତା ହାସଲ କରିଛି ।
ମୋ:୭୯୭୮୬୬୬୪୦୩