ଓଡ଼ିଆଙ୍କ ପ୍ରାଣର ପ୍ରାଣ ଶ୍ରୀଜଗନ୍ନାଥ

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର :
ଶ୍ରୀ ଜଗନ୍ନାଥ ତତ୍ତ୍ୱ ଓ ସଂସ୍କୃତ ଆଧାରିତ ପ୍ରବଚନ ପ୍ରଦାନ ନିମିତ୍ତ ମୁଁ ସ୍କନ୍ଦପୁରାଣ, ଉକ୍ରଳଖଣ୍ଡ, ପୁରୁଷୋତ୍ତମ ମହାତ୍ମ୍ୟ, ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ପ୍ରଭୃତି ଶାସ୍ତ୍ର ସମୂହ ଉପରେ ନିର୍ଭର କରିଥାଏ  । ଏହି ଶାସ୍ତ୍ରଗୁଡିକ ପଞ୍ଚଦଶ ଶତାବ୍ଦୀ ପରେ ରଚିତ  । ମୋ ମନରେ ପ୍ରଶ୍ନ ଉଠିଲା, କଣ ଶ୍ରୀଜଗନ୍ନାଥ ଉପାସନା ପଞ୍ଚଦଶ ଶତାବ୍ଦୀ ପୂର୍ବରୁ ହେଉନଥିଲା  । ଆଉ ଗୋଟିଏ କଥା ଲକ୍ଷ୍ୟ କଲି, କୋଲକତାର ଭବାନୀପୁର ପାର୍କ ବା ଖିଦୀରୀପୁର ଶ୍ରୀଜଗନ୍ନାଥ ମନ୍ଦିର, ଖଡ୍ଗପୁର, ମେଦିନୀପୁର, ବାଙ୍କୁଡା, ପୁରୁଲିଆ ପ୍ରଭୃତି ସ୍ଥାନରେ ପ୍ରବଚନ ଦେଲାବେଳେ ଯେତିକି ଶ୍ରୋତାଙ୍କର ଭିଡ଼ ହେଉଛି, ଓଡ଼ିଶାରେ କୋ÷ଣସି ସ୍ଥାନରେ ପ୍ରବଚନ ହେଲେ ସେତିକି ଶ୍ରୋତା ହେଉନାହାନ୍ତି  । ଏହା ସତ୍ୟ ଯେ, ନୀଳାଚଳଧାମରେ ଅନାଦିକାଳରୁ ଶ୍ରୀଜଗନ୍ନାଥ ଦାରବୀଲୀଳା ସଂରଚନା କରିଛନ୍ତି  । ଶ୍ରୀଜଗନ୍ନାଥ ହିଁ ଓଡ଼ିଆ ଜାତିର ପ୍ରାତଃ ସ୍ମରଣୀୟ ଆରାଧ୍ୟ ଦେବତା ଓ ପ୍ରାଣ ପ୍ରାଣ କଳାଠାକୁର  । ଓଡ଼ିଶାର ଧର୍ମ, ସଂସ୍କୃତି, ଇତିହାସ, ଶିଳ୍ପ, ଭାସ୍କର୍ଯ୍ୟ, ନୃତ୍ୟ, ସଙ୍ଗୀତ ତଥା ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନର ପ୍ରାଣକେନ୍ଦ୍ର  । ଯୁଗେ ଯୁଗେ ଓଡ଼ିଆ ଜାତି ସର୍ବଶକ୍ତିମାନ ବଳୀୟାରଭୁଜ ଶ୍ରୀଜଗନ୍ନାଥଙ୍କ ଅଭୟପ୍ରଦ ସୁରକ୍ଷା ବଳୟରେ ରହି ନିଜ ଜୀବନକୁ ଧନ୍ୟ କରିପାରିଛି  । ଓଡ଼ିଆ ଜାତି ଜନ୍ମଠାରୁ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଜୀବନର ପ୍ରତିଟି ସ୍ତରରେ ଶ୍ରୀଜଗନ୍ନାଥଙ୍କ ସ୍ମରଣ, ମନନ ଓ ଭଜନରେ ମନୋନିବେଶ କରି ପରିଶେଷରେ ତାଙ୍କରି ନିର୍ମାଲ୍ୟ କଣିକାକୁ ଆଶ୍ରା କରିଥାଏ  । ଏହି ଚେତନା ଓଡ଼ିଆଙ୍କ ହୃଦୟରେ ସୃଷ୍ଟି କରିବା ନିମିତ୍ତ ଶ୍ରୀଜଗନ୍ନାଥଙ୍କ ଓଡ଼ିଆଙ୍କ ପ୍ରାଣର ପ୍ରାଣ ରୂପେ ପ୍ରତିବାଦନ କରିବା ନିମିତ୍ତ ପ୍ରବଚନରେ ବ୍ରତୀ ହେଲି  ।
ଶ୍ରୀଜଗନ୍ନାଥଙ୍କ ଠାରେ ଓଡ଼ିଆଙ୍କର ଅତୁଟ ଭକ୍ତି  । ସେ ହିଁ ଓଡ଼ିଆଙ୍କ ଇଷ୍ଟ, ବନ୍ଧୁ, ସହୋଦର, ପିତା, ମାତା, ଗୁରୁ, ମନ, ଆତ୍ମା ଓ ପ୍ରାଣ  । ଜୀବଦ୍ଦଶାରେ ଅନ୍ତତଃ ଥରୁଟିଏ ପୁରସ୍ତମ ଯାଇ ଗରୁଡ ଥମ୍ବକୁ କୁଣ୍ଢାଇ ଧରି ଶ୍ରୀଜଗନ୍ନାଥଙ୍କ ମୁଖାରବିନ୍ଦ ଦର୍ଶନ ନିମିତ୍ତ ସକଳ ଓଡ଼ିଆ ବ୍ୟାକୁଳ  । ବଡଦାଣ୍ଡରେ ଠିଆ ହୋଇ ବଡଦେଉଳର ନୀଳଚକ୍ର ଉପରେ ଫର ଫର ହୋଇ ଉଡୁଥିବା ପତିତପାବନ  ବାନା ଦର୍ଶନ ନକଲେ ଓଡ଼ିଆଙ୍କୁ ଚତୁର୍ଦ୍ଦିଗ ଅନ୍ଧକାର ଦିଶେ  । ଆନନ୍ଦ ବଜାରରେ ମହାପ୍ରସାଦ ସେବା ନକଲେ ଓଡ଼ିଆଙ୍କ ପ୍ରାଣର କ୍ଷୁଧା ମେଣ୍ଟେ ନାହିଁ  । ଶ୍ରୀଜଗନ୍ନାଥଙ୍କ ରଥ ଦଉଡି ନଟାଣିଲେ ପ୍ରତ୍ୟେକ ଓଡ଼ିଆ ନିଜକୁ ଅଭାଗା କହିଥାନ୍ତି  । ପ୍ରତ୍ୟେକ ଓଡ଼ିଆଙ୍କର ଏକାନ୍ତ ଇଛା, ଜୀବନର ଅନ୍ତିମ ମୁହୂର୍ତ୍ତରେ ତା ତୁଣ୍ଡରେ ନିର୍ମାଲ୍ୟ କଣିକାଏ ପ୍ରିୟ ପରିଜନ ଦେବେ, ସେଇଥିରେ ତା’ର ମୁକ୍ତି  । ଏହି କାରଣରୁ ଓଡ଼ିଆଙ୍କ ଘରେ ନିର୍ମାଲ୍ୟ ସାଇତା ହୋଇ ରଖାଯାଇଥାଏ  । ଅଗଣିତ ଓଡ଼ିଆଙ୍କର ବିଶ୍ୱାସ, ପୁରୀ ସ୍ୱର୍ଗଦ୍ୱାରରେ ସେମାନଙ୍କର ଶବଦାହ କରାଗଲେ ଆତ୍ମା ସ୍ୱର୍ଗର୍ଧାମ ଯାତ୍ରା କରିବ  । ଅନ୍ତ୍ୟେଷ୍ଟିକ୍ରିୟା ପରେ ବ୍ରାହ୍ମଣଙ୍କୁ ମହାପ୍ରସାଦ ସେବା କରାଇଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଓଡ଼ିଆଙ୍କର ଦୃଢ ବିଶ୍ୱାସ ରହିଛି  । ବିଭିନ୍ନ ତୀର୍ଥରେ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିର ବାଇଶି ପାହାଚରେ ପିଣ୍ଡଦାନ ଓଡ଼ିଆଙ୍କର ଏକ ପରମ୍ପରା  । ଦୀପାବଳୀରେ ବାଇଶି ପାହାଚରେ ପୟାଶ୍ରାଦ୍ଧ ସଂପନ୍ନ ପୂର୍ବକ ଓଡ଼ିଆଏ ଉଚ୍ଚସ୍ୱରରେ ଆବୃତ୍ତି କରିଥାନ୍ତି:-
ଆବୃତ୍ତି କରିଥାନ୍ତି :- ବଡବଡୁଆ ହୋ ! ଅନ୍ଧାରରେ ଆସି ଆଲୁଅରେ ଯାଅ
ଗଙ୍ଗାଯାଅ, ଗୟାଯାଅ, ଶ୍ରୀ ପୁରୁଷୋତ୍ତମ ଯାଅ, ମହାପ୍ରସାଦ ପାଅ
ବାଇଶି ପାହାଚରେ ଗଡି ଗଡି ଅମୃତ ଦୃଷ୍ଟିରେ ଚାହିଁଥାଅ ।
ପୁରୀରେ ପୟାଶ୍ରାଦ୍ଧ ନକରି ଗାଁରେ କଲେ ମଧ୍ୟ ଓଡ଼ିଆଏ ଏହି ପଦଟି ବୋଲିଥା’ନ୍ତି  । ଓଡ଼ିଆ ଚେତନାରେ ବାଇଶି ପାହାଚ ହିଁ ପିତୃପୁରୁଷଙ୍କ ପରମନିବାସ ସ୍ଥଳୀ  । ସେହିଠାରେ ରହି ସେମାନେ ଉତ୍ତରପୁରୁଷଙ୍କ ପ୍ରତି ଅମୃତ ଦୃଷ୍ଟି ନିକ୍ଷେପ କରିଥାନ୍ତି  । ଜନ୍ମ, ଜୀବନ ଓ ମୃତୁ୍ୟରେ ହିଁ ଶ୍ରୀଜଗନ୍ନାଥ ହିଁ ଓଡ଼ିଆଙ୍କର ଗତି, ମୁକ୍ତି ଓ ଭୁକ୍ତିଦାତା  ।
ଓଡ଼ିଆଙ୍କ ହୃଦୟରେ ଶ୍ରୀଜଗନ୍ନାଥଙ୍କ ନିମିତ୍ତ ଏକ ଅନ୍ତର୍ମୁଖୀ ଭକ୍ତି ଓ ଶ୍ରଦ୍ଧା ସର୍ବଦା ଜାଗ୍ରତ ରହିଆସିଛି  । ସେମାନଙ୍କ ଦୃଷ୍ଟିରେ ସେ ପତିତପାବନ, ଦୀନବନ୍ଧୁ, ଦୁଃଖବନ୍ଧୁ, ଆର୍ତ୍ତତ୍ରାଣ, ଅନାଥର ନାଥ, ଅଶରଣ ଶରଣ, ବଳୀୟାରଭୁଜ ଓ ମହାବାହୁ  । ତାଙ୍କ କରୁଣା ବିନା ଭବସାଗରରୁ ଉଦ୍ଧାର ପାଇବା ସହଜ ନୁହେଁ  । ପ୍ରତ୍ୟେକଟି ଓଡ଼ିଆ ଜନ୍ମଠାରୁ ଉପନୟନ, ବିବାହ, ମାଙ୍ଗଳିକ କାର୍ଯ୍ୟ, ଗୃହ ପ୍ରତିଷ୍ଠା ଓ ପରିଶେଷରେ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କୁ ଆଶ୍ରୟ କରି ଆସୁଛନ୍ତି  । ସକଳ ଭୋଗ, ଐଶ୍ୱର୍ଯ୍ୟ ଓ ଦୁଃଖଯାତନାରେ ଶ୍ରୀଜଗନ୍ନାଥ ହିଁ ଓଡ଼ିଆଙ୍କ ଭରସା  । ଓଡ଼ିଆମାନେ ବିବାହ ବନ୍ଧନରେ ଆବଦ୍ଧ ହେବାର ସ୍ୱୀକୃତି ପର୍ବ ନିର୍ବନ୍ଧରେ ଶ୍ରୀଜଗନ୍ନାଥଙ୍କୁ ସାକ୍ଷୀ ରଖି ମହାର୍ଘ ସମର୍ପଣ ପୂର୍ବକ ମହାପ୍ରସାଦ ସେବନ କରିଥାନ୍ତି  । ଅଗଣିତ ଓଡ଼ିଆ ସେମାନଙ୍କ ସନ୍ତାନ ସନ୍ତତିଙ୍କୁ ଶ୍ରୀଜଗନ୍ନାଥଙ୍କ ବାଇଶି ପାହାଚରେ ଗଡାଇଦେଇ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥାନ୍ତି  । ପିଲାମାନଙ୍କ ମଙ୍ଗଳ ନିମିତ୍ତ ଶ୍ରୀମନ୍ଦିରରେ ବାନା ଚଢାଇବା ଓଡ଼ିଆଙ୍କ ସହଜାତ ପ୍ରବୃତ୍ତି  । ବିବାହ ଓ ବ୍ରତ ଇତ୍ୟାଦି ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ନିମନ୍ତ୍ରଣ କରିବା ଓଡ଼ିଆଙ୍କର ଏକ ଭବ୍ୟ ପରମ୍ପରା  । ପ୍ରତ୍ୟେକ ଶୁଭକର୍ମରେ ଶ୍ରୀଜଗନ୍ନାଥଙ୍କ ପୂଜା କରିବା ଓଡ଼ିଆଙ୍କ ପାରମ୍ପରିକ ସ୍ୱଭାବ  । ସଂକ୍ଷେପରେ ଉଲ୍ଲେଖ କଲେ ଓଡ଼ିଆଙ୍କ ଜନଜୀବନ, ସାମାଜିକ ପରମ୍ପରା, ରାଜନୀତି, ଅର୍ଥନୀତି, ଧର୍ମନୀତି ଓ ଆଧ୍ୟାତ୍ମିକ ଚେତନା ଶ୍ରୀଜଗନ୍ନାଥଙ୍କ ଅଦୃଶ୍ୟ ଇଙ୍ଗିତରେ ପରିଚାଳିତ  । ଜଗନ୍ନାଥ ଦେଶ କହିଲେ ଓଡ଼ିଆକୁ ହିଁ ବୁଝାଇଥାଏ  । ଓଡ଼ିଆଙ୍କ  ଚେତନାରେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଯେଉଁ କାହାଣୀ, କିମ୍ବଦନ୍ତୀ, ଲୋକୋକ୍ତି, ଢଗଢମାଳି ଓ ପ୍ରବଚନ ସୃଷ୍ଟି ହୋଇଛି, ତାହା ବିଶ୍ୱବାସୀଙ୍କୁ ବିସ୍ମାୟାଭିଭୂତ କରିଛି  । ଓଡ଼ିଆମାନେ ଯୁଗେ ଯୁଗେ ଶ୍ରୀଜଗନ୍ନାଥଙ୍କୁ କଲ୍ୟାଣକାରକ ଚିନ୍ତା କରି ଆସିଛନ୍ତି  । ସେମାନେ ସଭାସମିତି, ସାହିତ୍ୟସଭା, ନୃତ୍ୟ, ସଙ୍ଗୀତ, ଅଭିନୟ ପ୍ରତ୍ୟେକ କାର୍ଯ୍ୟରେ ଶୁଭ ମନାସି ପ୍ରଥମେ ଶ୍ରୀଜଗନ୍ନାଥଙ୍କୁ ବନ୍ଦନା କରିଥାନ୍ତି  । ମହନୀୟତା ହେଉଛି, ସକଳ କାର୍ଯ୍ୟ ଆରମ୍ଭରେ ଓଡ଼ିଆମାନେ ତିଥି, ବାର, ନକ୍ଷତ୍ର, ଯୋଗ, ଲଗ୍ନ, ମୁହୂର୍ତ୍ତ ଓ ଜାତଳ ବିଚାର ନକରି ସର୍ବମଙ୍ଗଳ ଜଗନ୍ନାଥ ଉଚ୍ଚାରଣ ପୂର୍ବକ କାର୍ଯ୍ୟନିର୍ବାହ କରିଥାନ୍ତି  ।
ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ଗେହ୍ଲାପୁଅ  । ଓଡ଼ିଆ କବିକଣ୍ଠରେ ଜଗନ୍ନାଥ ଓଡ଼ିଶାର ଗେହ୍ଲାପୁଅ, ସୁନାଥାଳିଆ, ମାନ, ଧନ, ପରିଚୟ ସବୁକିଛି  ।
ଓଡ଼ିଆର ଗେହ୍ଲାପୁଅ ତ କାଳିଆ, ଓଡ଼ିଆର କୁଡିଆରେ ସୁନାଥାଳିଆ  ।
ଓଡ଼ିଆଣୀ ମାଉସୀର ପୋଡ଼ପିଠା ପ୍ରିୟତୋର, କାଳିଆରେ କନିଆ ଝୁରେ ତତେ ସାରା ଦୁନିଆ  ।
ଓଡ଼ିଆର ମାନ ତୁହି, ଓଡ଼ିଆର ଧନ ତୁହି, ଓଡିଶାକୁ କଲୁ ସ୍ୱର୍ଗ, ଏଇତ ଓଡ଼ିଆଭାଗ୍ୟ  ।
ଜଗନ୍ନାଥ ଦେଶେ ଘର, ପରିଚୟ ଓଡ଼ିଆର, କାଳିଆରେ କାଳିଆ ଓଡ଼ିଆର ରଖିଲୁ ନାଁ  ।
ତାଙ୍କ ଶ୍ରୀବତ୍ସ ଖଣ୍ଡଶାଳ ମନ୍ଦିର ହେଉଛି ଓଡ଼ିଆଙ୍କ ବଡଦେଉଳ, ତାଙ୍କ ଦାଣ୍ଡ ବଡଦାଣ୍ଡ, ତାଙ୍କ ବାନା ପତିତପାବନ ବାନା, ତାଙ୍କ ପ୍ରସାଦ ମହାପ୍ରସାଦ, ତାଙ୍କ ସମୁଦ୍ର ହେଉଛି ମହାତୀର୍ଥ ମହୋଦଧି, ସେହିଁ ଓଡ଼ିଆଙ୍କ ବଡଠାକୁର  । ସେ କେବଳ ଶ୍ରୀମନ୍ଦିରରେ ସୀମାବଦ୍ଧ ନୁହନ୍ତି, ମୁଖ୍ୟ ସ୍ଥାନମାନଙ୍କରେ ପ୍ରତିଷ୍ଠିତ ମନ୍ଦିର, ପ୍ରତି ଗ୍ରାମ  ଓ ଭାଗବତ ଟୁଙ୍ଗି, ପ୍ରତିଟି ପରିବାରର ଠାକୁର ଘରେ ପୂଜିତ ହୁଅନ୍ତି  । ଉକ୍ରଳମଣି ଗୋପବନ୍ଧୁଙ୍କ ଭାଷାରେ ସେହିଁ ଉକ୍ରଳର ନେତା ଏବଂ ଭାରତର ପ୍ରତ୍ୟେକ ବୃକ୍ଷରେ ବିରାଜିତ  ।
ଉକ୍ରଳେ ନେତାର ନାହିଁ ପ୍ରୟୋଜନ, ଉକ୍ରଳର ନେତା ସ୍ୱୟଂ ନାରାୟଣ  ।
ଭାରତର ସବୁ ବୃକ୍ଷ କଳ୍ପବଟ, ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ  ।
ଓଡ଼ିଆମାନେ ଅତି ସ୍ନେହରେ ଶ୍ରୀଜଗନ୍ନାଥଙ୍କୁ ବାମନ ନାମରେ ପୂଜା କରନ୍ତି, ଦୋଳାରେ ଦୋଳଗୋବିନ୍ଦ ଭାବରେ ଚାଚେରୀ ବୁଲାନ୍ତି ଓ ଚାପରେ ମଧୁସୂଦନ ଭାବରେ ଚନ୍ଦନଚାପ ଖେଳାନ୍ତି  । ଓଡ଼ିଆଙ୍କର ବିଶ୍ୱାସ ଜଗନ୍ନାଥଙ୍କ ଏହି ତିନିରୂପ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଯାଏ  । ଶାସ୍ତ୍ରରେ ଉଲ୍ଲେଖ ରହିଛି:-
ଦୋଳାୟାଂ ଦୋଳଗୋବିନ୍ଦଂ ଚାପେଷୁ ମଧୁସୂଦନମ୍,
ରଥେ ତୁ ବାମନଂ ଦୃଷ୍ଟା୍ୱ ପୁନର୍ଜନ୍ମ ନ ବିଦ୍ୟତେ  ।
ଓଡ଼ିଆମାନେ ସେମାନଙ୍କର ପ୍ରାଣପ୍ରିୟ ପ୍ରଭୁ ବାମନଙ୍କ ସହିତ ମଙ୍ଗଳମୟ ଦଧି ଶବ୍ଦ ସଂଯୋଗ କରି ଜଗନ୍ନାଥଙ୍କୁ ଦଧିବାମନ ନାମରେ ଏକାନ୍ତ ଭାବରେ ପୂଜା କରନ୍ତି  । ଗୋ÷ରବର କଥା, ବାମନଙ୍କ ସ୍ୱନକ୍ଷତ୍ର ତିଥି ସୁନିଆଁ ଠାରୁ ଓଡ଼ିଆଙ୍କ ନବବର୍ଷ ଆରମ୍ଭ ହୁଏ  । ସେହି ତିଥିରେ ଓଡ଼ିଆ ଜାତିର ପ୍ରତିନିଧି ଗଜପତି ମହାରାଜା ଶ୍ରୀଜଗନ୍ନାଥଙ୍କୁ ସ୍ୱର୍ଣ୍ଣମୁଦ୍ରା ଭେଟି ଦେଇ ନୂତନ ଅଙ୍କ ପ୍ରଚଳନ କରାନ୍ତି  ।
ଓଡ଼ିଆଙ୍କ ରାଜନୈତିକ ଜୀବନରେ ଶ୍ରୀଜଗନ୍ନାଥ ହିଁ ଉକ୍ରଳର ସାର୍ବଭୋ÷ମ ସମ୍ରାଟ  । ଓଡ଼ିଶାର ରାଜା ବିଶାଳ ଓଡ଼ିଶା ସାମ୍ରାଜ୍ୟକୁ ଶ୍ରୀଜଗନ୍ନାଥଙ୍କ ପାଦତଳେ ସମର୍ପିଦେଇ ନିଜକୁ ରାଉତ ଭାବେ ଘୋଷଣା କରିଥିଲେ  । ସେହିଦିନ ଠାରୁ ଶ୍ରୀଜଗନ୍ନାଥ ରାଜାଙ୍କର ରାଜା ବା ରାଜାଧିରାଜ ଭାବରେ ଓଡ଼ିଆଙ୍କ ସେବା ପୂଜା ଗ୍ରହଣ କରି ଆସୁଛନ୍ତି  । ଓଡ଼ିଆ ଜାତି ତାଙ୍କୁ ମଣିମା, ମହାବାହୁ, ମହାପ୍ରଭୁ, ରାଜରାଜ, ରାଜାଧିରାଜ ପ୍ରଭୃତି ବହୁ ନାମରେ ସମ୍ବୋଧନ କରି କୃତ୍ୟକୃତ୍ୱ ହୋଇଛି  । ପ୍ରଭାତ ଅବକାଶ ଠାରୁ ଜୟମଙ୍ଗଳ ଆଳତି, ତଡ଼ପଲାଗି, ମଇଲମ, ଗୋପାଳବଲ୍ଲଭ, ରାଜଭୋଗ, କୋଠଭୋଗ, ସକାଳଧୂପ, ମଧ୍ୟାହ୍ନ ଧୂପ, ଭୋଗମଣ୍ଡପ, ଟେରାପଣା, ସନ୍ଧ୍ୟା ଆଳତି,  ସନ୍ଧ୍ୟାଧୂପ, ରାତିଧୂପ, ବଡସିଂହାର ଓ ପହଡ ପର୍ଯ୍ୟନ୍ତ ତିନିଧୂପ ଓ ପାଞ୍ଚଅବକାଶ ରୀତିନୀତିରେ ସେ ରାଜକୀୟ ସେବା ପାଇ ଆସୁଛନ୍ତି  । ସକଳ ଓଡ଼ିଆ ଛତିଶାପାଟକ ସେବକ ଭାବରେ ତାଙ୍କ ଖଟଣୀ ସେବକ  । ଦୈନନ୍ଦିନ ପରିଚର୍ଯ୍ୟାରେ ଛପନଭୋଗ ଲାଗି କରାଯାଇ ଓଡ଼ିଆଙ୍କ ପିଠା, ମିଠା, ମଣ୍ଡା, ସରୁଅନ୍ନ, ବଗଡା ଅନ୍ନ, ପଖାଳ, ଗଇଁଠା, ବେଶର, ଶାଗ, ଅମାଲୁ, କାକରା, ଖଇରଚୂଳ, ଆରିଶା, ଖେଚେଡି, ଘୃତାନ୍ନ , ସାକର ଓ ନାନାଦି ବ୍ୟଞ୍ଜନ ଭୋଗଭୁକ୍ତ ହୋଇଛି  । ରାଜକୀୟ ପରିପାଟୀରେ ସେ ସେବା ପାଇଲେ ମଧ୍ୟ ସାଧାରଣଙ୍କ ଠାରୁ ଦୂରେଇ ଯାଇନାହାନ୍ତି  । ଓଡ଼ିଆଙ୍କର ସେ ଏକାନ୍ତ ଆପଣାର, ଅତିପି୍ରୟ ଓ ପ୍ରାଣୀର ପ୍ରାଣ  । ତାଙ୍କ ବାହୁ ଛାୟାତଳେ ସକଳ ଓଡ଼ିଆ ସୁରକ୍ଷିତ  । ଓଡ଼ିଆଏ ନିର୍ଭୟରେ ଗାଆନ୍ତି  ।
‘ଡର କାହାକୁ, ଭୟ କାହାକୁ, ଠାକୁର ଅଛନ୍ତି ଚଉବାହାକୁ  ।”
ଓଡ଼ିଆ ଚେତନାରେ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତପିତା ଓ ମହାଲକ୍ଷ୍ମୀ ହେଉଛନ୍ତି ଜଗତମାତା  । ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ଲକ୍ଷ୍ମୀକ୍ଷେତ୍ର ବା ଶ୍ରୀକ୍ଷେତ୍ର ଭାବରେ ଭୁବନବିଦିତ  । ଜଗଜ୍ଜନନୀ ମହାଲକ୍ଷ୍ମୀ ଓଡ଼ିଆ ପରମ୍ପରାରେ ଶ୍ରୀମନ୍ଦିରରେ ଓଡ଼ିଆ ଘରର କୂଳବଧୂ ରୂପେ ସୁନାଖଡିକାରେ ମହାପ୍ରସାଦ ରନ୍ଧନ କରିଥାନ୍ତି, ସୁଆର ନିମିତ୍ତ ମାତ୍ର  । କୃଷି ପ୍ରଧାନ ଓଡ଼ିଶା ଭୂଖଣ୍ଡରେ ମହାଲକ୍ଷ୍ମୀଙ୍କର ଶ୍ରେଷ୍ଠ ପର୍ବ ମାଣବସା ଗୁରୁବାର ଶ୍ରେଷ୍ଠ ମାସ ମାର୍ଗଶିରରେ ଘରେ ଘରେ ପାଳନ କରାଯାଏ  । କୃପାମୟୀ ମହାଲକ୍ଷ୍ମୀ ପଡିଦାନ କରିବାର ମହାଭିପ୍ରାୟରେ ଜାତି ବର୍ଣ୍ଣର ପ୍ରାଚୀର ଉଠାଇ ଦେଇ ପ୍ରାଚୁର୍ଯ୍ୟ ପରିବେଷ୍ଟିତ ଶ୍ରୀମନ୍ଦିରରୁ ଦୀନହୀନ ଅକିଞ୍ଚନ ଶ୍ରୀୟା ଚାଣ୍ଡାଳୁଣୀର ପୂଜା ଆସ୍ଥାନକୁ ଓହ୍ଲାଇ ଆସି ‘ଶ୍ରୀୟା’ ନାମରେ ବିଶ୍ୱ ବନ୍ଦନୀୟା ହୋଇଛନ୍ତି  । ଓଡିଆ ପରମ୍ପରାରେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ବାର ମାସରେ ତେର ପର୍ବର ଭିଆଣ ହୋଇଛି  । ବୈଶାଖର ରୋ÷ଦ୍ରତାପରେ ନରେନ୍ଦ୍ରରେ ଚନ୍ଦନ, ଜ୍ୟେଷ୍ଠରେ ସ୍ନାନ ଯାତ୍ରା, ଆଷାଢରେ ଶ୍ରୀଗୁଣ୍ଡିଚା, ଶ୍ରାବଣରେ ଚିତାଲାଗି ଓ ଶ୍ରାବଣ ପୂର୍ଣ୍ଣିମୀରେ ବଳଭଦ୍ର ଜନ୍ମ, ଭାଦ୍ରବରେ ରାହୁରେଖାଲାଗି, ଜନ୍ମାଷ୍ଟମୀ, ନନେ୍ଦାତ୍ସବ, ବଣଭୋଜି, ବକାସୁର ବଧ ଓ କାଳୀୟଦଳନ, ଆଶ୍ୱିନରେ ଦୁର୍ଗୋତ୍ସବ ଓ ଶାକ୍ତଗୁଣ୍ଡିଚା, ତଥା ଦୁ୍ୟତକ୍ରୀଡା, କାର୍ତ୍ତିକରେ ରାଇ ଦାମୋଦର ବ୍ରତ, ରାଜବେଶ, ଲକ୍ଷ୍ମୀନାରାୟଣ ବେଶ, ରାଧା ଦାମୋଦରବେଶ, ତି୍ରବିକ୍ରମ ବେଶ, ବାଙ୍କଚୂଡ ବେଶ, ଠିଆକିଆ ବେଶ, ମାର୍ଗଶୀରରେ ଦେବ ଦୀପାବଳୀ, ପୋ÷ଷରେ ଦେବାଭିଷେକ, ମାଘରେ ଗଜ ଉଦ୍ଧାରଣ, ଫାଲଗୁନରେ ଦୋଳୋତ୍ସବ ଓ ଚୈତ୍ରରେ ପଣାପର୍ବ  । ଏହି ସବୁ ଯାତ୍ରା ଓ ପର୍ବପର୍ବାଣି ଓଡ଼ିଆ ଜାତିର ନିଜସ୍ୱ  । ଶ୍ରୀଜଗନ୍ନାଥଙ୍କ ମହିମା, ଯଶ, କୀର୍ତ୍ତି ବଖାଣିବାକୁ ଓଡ଼ିଆ କବିଙ୍କ ଲେଖନୀ ଚଳଚଞ୍ଚଳ ହୋଇ ଅଗଣିତ କବିତା, ଭଜନ, ଗୀତା, ଚଉତିଶା, ଛାନ୍ଦ, ଗଳ୍ପ, ଗୀତିନାଟ୍ୟ, ନାଟକ, ଉପନ୍ୟାସ, ପ୍ରବନ୍ଧ, ସନ୍ଦର୍ଭ ପ୍ରଭୃତି ସୃଷ୍ଟ, ଯାହା ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା  କରିଥାଏ  । ଓଡ଼ିଆ ମହାକବି ଜୟଦେବଙ୍କ ଶ୍ରୀ ଗୀତଗୋବିନ୍ଦ ଶୁଣିଲେ ବଡଠାକୁର ପହଡ଼ ଯାଆନ୍ତି  । ମହାବାହୁଙ୍କ କରୁଣାରୁ ବଳରାମ ଦାସ ରାମାୟଣ, ଜଗନ୍ନାଥ ଦାସ ଭାଗବତ, ଅଚୁ୍ୟତାନନ୍ଦ ହରିବଂଶ ରଚନା କରିଛନ୍ତି  । ବର୍ତ୍ତମାନ ମଧ୍ୟ ଅନେକ ଓଡ଼ିଆ ପ୍ରାଜ୍ଞ ଓ ବିଜ୍ଞ ଶ୍ରୀଜଗନ୍ନାଥ ଚେତନାରେ ଲେଖନୀ ଧରିଛନ୍ତି  । ଓଡ଼ିଶାର କୋଣେ ଅନୁକୋଣେ ଶ୍ରୀଜଗନ୍ନାଥଙ୍କ ନାମରେ ଅନେକ ଅନୁଷ୍ଠାନ ପ୍ରତିଷ୍ଠିତ  । ଓଡ଼ିଆ ଜାତୀୟ ଜୀବନର ଚିନ୍ତା ଓ ଚେତନାରେ, ଶୟନେ ସ୍ୱପନେ ଓ ଜାଗରଣେ ଶ୍ରୀଜଗନ୍ନାଥଙ୍କ ସ୍ଥିତି ଅନୁଭୂତ ହୋଇଥାଏ  । ବ୍ରହ୍ମ ବିଚାରରେ ସେ ଅବ୍ୟକ୍ତ, ଅଚିନ୍ତ୍ୟ, ଅଜେ୍ଞୟ ଓ ଅବର୍ଣ୍ଣନୀୟ ହେଲେ ହେଁ ଓଡ଼ିଆଙ୍କ ବିଚାରରେ ସେ ଦେହଧାରୀ ମନୁଷ୍ୟ ସଦୃଶ୍ୟ ଖାଆନ୍ତି, ପିଅନ୍ତି, ଶୁଅନ୍ତି, ଯାତ୍ରା କରନ୍ତି, ଧୂଳିଧୂସରିତ ହୁଅନ୍ତି, ଭକ୍ତଙ୍କ ସାଙ୍ଗରେ ମେଳା ମଉଛବ କରନ୍ତି, ମାନ ଅଭିମାନ ଓ ରାଗରୋଷ କରନ୍ତି, ଥଟ୍ଟା ପରିହାସର ଶରବ୍ୟ ହୁଅନ୍ତି, ମନୋରଞ୍ଜନ କରନ୍ତି, ପଖାଳ ପାଣି ଖାଆନ୍ତି, ପାନ ମସଲା ଖାଆନ୍ତି ଏବଂ ସାଧାରଣ ମଣିଷ ପରି ମୃତୁ୍ୟବରଣ କରନ୍ତି  । ପ୍ରତିଦିନ ସେ ଶଯ୍ୟାତ୍ୟାଗ ମୁଖ ପ୍ରକ୍ଷାଳନ, ଦନ୍ତ ମାର୍ଦ୍ଦନ, ସ୍ନାନ, ପୋଷାକ ପରିଧାନ, ଭୋଜନ ଏବଂ ନିଦ୍ରାଭିଭୂତ ହୁଅନ୍ତି  । ଦାର୍ପଣ ଅବସରରେ ସେ ରାଜରାଜେଶ୍ୱର ବେଶ ଧାରଣ କରନ୍ତି  । ଋତୁଚକ୍ର ପରିବର୍ତ୍ତନରେ ତାଙ୍କ ଭୋଗ, ବେଶ ଓ ଉପଚାର ବଦଳିଯାଏ  ।  ଅନବସର କାଳରେ ତାଙ୍କ ଦର ହୁଏ ତଥା ସେ ପଥି ସେବନ କରନ୍ତି  । ଓଡ଼ିଆମାନେ ତାଙ୍କ ଦୈନନ୍ଦିନ ସେବା ପୂଜା ଓ ପର୍ବପର୍ବାଣିରେ ମାନବୀୟ ଜୀବନଚର୍ଯ୍ୟା ପରିସ୍ପୁଟନ ପୂର୍ବକ ତାଙ୍କ ଲୀଳାରେ ଅଙ୍ଗାଙ୍ଗୀ ଭାବରେ ଜଡିତ ହୋଇଯାଇଛନ୍ତି  । ଓଡ଼ିଆଙ୍କ ଚିନ୍ତା, ଚେତନା, ଚଳଣି, ଚାହାଣୀ, ଭାଷା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ନୃତ୍ୟ, ଭାସ୍କର୍ଯ୍ୟ, ସ୍ଥାପତ୍ୟ, କଳା, ଇତିହାସ, ରାଜନୀତି ପ୍ରତ୍ୟେକଟିର ଆଧାର ହେଉଛନ୍ତି ଶ୍ରୀଜଗନ୍ନାଥ  । ଓଡ଼ିଆ ଜାତି ଶ୍ରୀଜଗନ୍ନାଥଙ୍କୁ ନିଜର ଓ ଅତି ଆପଣାର ବୋଲି ମନେ କରେ ଏବଂ ନିଜ ଭିତରେ ତାଙ୍କୁ ହିଁ ଦେଖେ ଓ ଅନୁଭବ କରେ  । କୋ÷ଣସି ପରିସ୍ଥିତିରେ ଓଡିଶୀମାନେ ଶ୍ରୀଜଗନ୍ନାଥଙ୍କୁ ନିଜ ଠାରୁ ଅଲଗା ବୋଲି ଭାବି ପାରନ୍ତିନି  । ସେହିଁ ଓଡ଼ିଆ ଜାତିର ପ୍ରାଣର ପ୍ରାଣ  ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ, ୮୮୯୫୨୩୦୭୨୨