ବ୍ୟକ୍ତିତ୍ୱର ମାପଦଣ୍ଡ
ଆଜ୍ଞା ନମସ୍କାର,
ଜୀବନରେ କିଏ ପଚାରିବ, କିଏ ନପଚାରିବ ବୋଲି ବେଶୀ ଭାବିଲେ ବଡ଼ ଦହଗଞ୍ଜ । ସଜ, ସୁବିଧା ଦେଖିକି ସମସ୍ତେ ଦିନେ ନା ଦିନେ ନିଜ ବାଟରେ ଚାଲିଯିବେ । କିଏ ପଚାରିଲେ ଭଲକଥା, ନପଚାରିଲେ ଭଲକଥା ବୋଲି ଭାବି ଆଗକୁ ବଢ଼ିଲେ ଜୀବନରେ ବହୁ ଦୁଃଖ ଅନ୍ତତଃ ଊଣା ହେଇଯାଏ ।
ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ଏକୁଟିଆ, ମରିବ ବି ଏକୁଟିଆ । ଜନ୍ମ ଆଉ ମରଣ ଭିତର ସମୟ ତକ ତ ଜୀବନ । ଏ ଜୀବନର ସୁଖ ହେଉ କିମ୍ବା ଦୁଃଖ ହେଉ, କେହି ଭାଗ ବସେଇ ବାଣ୍ଟି ନେଇପାରିବେ ନାହିଁ । ଜଣଙ୍କୁ କଣ ଭଲ ଲାଗେ ବା ଖରାପ ଲାଗେ ତାହା ମୋର ବ୍ୟକ୍ତିଗତ ରୁଚର ବିଷୟ । ସେଇଟା ଅନ୍ୟ ପାଇଁ ମୋ ଭଳି ଅନୁଭୂତିପ୍ରଦ ହେବାର କୌଣସି ନିଶ୍ଚିତତା ନାହିଁ, ଆଦୌ ନାହଁ ।
ନିଜ ଜୀବନରେ ନିିଜେ କିଭଳି ଅବସ୍ଥାରେ ଅଛି ତାହାର ଅନୁଭୂତି ଆଉ ଜଣେ ଗ୍ରହଣ କରି ତାର ଦୁଃଖ ବା ସୁଖରେ ସମଭାଗୀ ହୋଇପାରିବ ନାହିଁ । ମୁହଁ ଖୋଲି ନ କହିବା ପର୍ଯ୍ୟନ୍ତ ବ୍ୟକ୍ତିର ସ୍ଥିତି ସମ୍ପର୍କରେ ଆଉ ଜଣେ ଜାଣିପାରିବ ନାହିଁ । ଦୁଃଖରେ ଥିବା ବ୍ୟକ୍ତି ସବୁବେଳେ ଭାବେ ଯେ ତା'ର ଭଲମନ୍ଦ କେହି ପଚାରୁନାହାନ୍ତି କିମ୍ବା ସୁଖଦୁଃଖରେ କେହି ସମଭାଗୀ ହେଉନାହାନ୍ତି । ଏ କ୍ଷେତ୍ରରେ ଅସଲ ସମସ୍ୟା ହେଉଛି ମୁହଁ ଖୋଲି ନ କହିବା ପର୍ଯ୍ୟନ୍ତ ଜଣେ ଦୁଃଖରେ ଅଛି କି ସୁଖରେ ଅଛି, ଅନ୍ୟଜଣେ ଜାଣିପାରିବ ନାହିଁ । ନିଜ ବିଷୟରେ କିଏ ପଚାରିବ ବା ନ ପଚାରିବ ତାକୁ ନେଇ ଆମେ ବିବ୍ରତ ହୋଇପଡୁ । ଏ କ୍ଷେତ୍ରରେ ଆମକୁ ବୁଝିବାକୁ ହେବ ଯେ ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ଜଣେ ବ୍ୟକ୍ତି । ତା'ପରେ ବୁଝିବାକୁ ପଡ଼ିବ ଯେ ସେ କାହାର ପୁଅ, କାହାର ବାପା, କାହାର ମାଆ, କାହାର ଝିଅ ଇିତ୍ୟାଦି । ବ୍ୟକ୍ତି ଏକ, କିନ୍ତୁ ବ୍ୟକ୍ତିତ୍ୱ ଅନେକ ।
ଜୀବନ ରଙ୍ଗମଞ୍ଚରେ ଏହି ଏକାଙ୍ଗ ନାଟିକା ସମସ୍ତେ କରନ୍ତି । ହେଲେ ସର୍ବୋତ୍ତ ଭାବେ ସମାଜ କୌଣସି ଜଣିଏ ମଣିଷର ଗୋଟିଏ ବ୍ୟକ୍ତିତ୍ୱକୁ ନେଇ ମଣିଷର ମୂଲ୍ୟାୟନ କରେ । ଜଣେ ଭଲଲୋକ କିମ୍ବା ଜଣେ ଖରାପ ଲୋକ, ଦୁଇପଦ କଥାରେ ଆମେ ଯେକୌଣସି ବ୍ୟକ୍ତିି ସମ୍ପର୍କରେ ମନ୍ତବ୍ୟଟିଏ ଖୁବ୍ ସହଜରେ ଦେଇ ପକଉ । ଜଣେ ଭଲଲୋକ ସମାଜ ପାଇଁ ହୁଏତ ଭଲ, କିନ୍ତୁ ନିଜ ସ୍ତ୍ରୀ ପାଇଁ, ନିଜ ସ୍ୱାମୀ ପାଇଁ, ନିଜ ବନ୍ଧୁବାନ୍ଧବଙ୍କ ପାଇଁ, ପରିବେଶ ପାଇଁ ହୁଏତ ଭଲ ହୋଇନପାରେ କିମ୍ବା ଏହାର ବିପରୀତ ବି ହୋଇପାରେ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।