ଶୋଷ ମେଣ୍ଟାଉଛି ଚୁଆ ପାଣି


ପିଇବା ପାଣି ପାଇଁ ଚୁଆ ଭରସା ସ୍ଥିତି କେଉଁ ଉପାନ୍ତ ଅଞ୍ଚଳର ନୁହେଁ,ଅନତି ଦୂରରେ ଥିବା କନ୍ଧମାଳ ଜିଲ୍ଲା ଖଜୁରୀ ପଡ଼ା ବ୍ଳକ ବିଲାବାଡ଼ି ପଞ୍ଚାୟତ ଡୁଗୁଡ଼ା ଗାଁରେ ନଳକୂପ ଅଛି  ହେଲେ ଅକାମୀ ହୋଇ ପଢ଼ିଛି  । ଯାହା ଫଳରେ ଗ୍ରାମବାସୀ ଚୁଆ ଖୋଳି ସେଥିରୁ ବାହାରୁ ଥିବା ପାଣିରେ ଶୋଷ ମେଣ୍ଟାଉଛନ୍ତି । ସଞ୍ଜ ନଇଁବା ପୂର୍ବରୁ ଚୁଆରୁ ପାଣି ଆଣି ଘରେ ନ ରଖିଲେ ସେପଟେ ବାଘ ଭାଲୁ ଭୟ ଘାରୁଛି । ପ୍ରତିଦିନ ପାଣି ପାଇଁ  ଗ୍ରାମବାସୀଙ୍କ ସଂଘର୍ଷ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଖଜୁରୀ ପଡ଼ା ବ୍ଲକ ବିଲକ୍ଷବାଡ଼ି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଡୁଗୁଡ଼ା ଗାଁ ରୁଗୁଡିସାହି ପଞ୍ଚାୟତ ଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଛି । ସ୍ୱାଧୀନତା ପୂର୍ବରୁ ଏହି ଛୋଟିଆ ଗାଁରେ ପ୍ରାୟ ୨୦ରୁ ଅଧିକ ପରିବାର ରହି ଆସୁଛନ୍ତି କିନ୍ତୁ ଚୁଆରୁ ପାଣି ପାଇଁ ଏମାନଙ୍କୁ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼ିବ  । ଗାଁରେ ଯେଉଁ ଗୋଟିଏ ନଳକୂପ ରହିଛି । ପାଣି ପାଇଁ ସରକାରଙ୍କ ପକ୍ଷରୁ ସୋଲାର ଟାଙ୍କି ସହିତ ନଳକୂପକୁ ସଂଯୋଗ କରି ପାଇବା ପାଣି  ବ୍ୟବସ୍ଥା କରାଯାଇଥିଲା ହେଲେ ଆଜକୁ ୧ମାସ ହେବ ଅଚଳ ହୋଇ ରହିଛି । ବର୍ଷ ବର୍ଷ ହେଲା କେବଳ  ନିର୍ବାଚନ ସମୟରେ ଭୋଟ ପାଇଁ ଗାଁରେ ନେତାଙ୍କୁ ଦେଖିବାକୁ ମିଳେ । ସମସ୍ୟା ସମାଧାନର ପ୍ରତିଶ୍ରୁତି ମିଳେ କିନ୍ତୁ ତା'ପରେ ଆଉ କାହାର ଦେଖାନଥାଏ । ସଞ୍ଜ ନଇଁଲେ ବାଘ ଭାଲୁର ଭୟ, ସକାଳ ହେଲେ ପାଣି ଚିନ୍ତାରେ ସେମାନଙ୍କ ଜୀବନ କଟୁଛି ବୋଲି ଗାଁର ଡୁଗୁଡ଼ା ରୁଗୁଡ଼ି ସାହି ଭାନୁମତୀ କହଁର, ସୁଶୀଳା କହଁର, ରଞ୍ଜିତା କହଁର, ଚଞ୍ଚଳା କହଁର,  ମିଥିଳା ନାୟକ, ନୈତି ଯାନୀ, ବିନତୀ ନାୟକ ଓ ସୁଶୀଳା ମଲ୍ଲିକ ପ୍ରମୁଖ କହିଛନ୍ତି । ମହିଳା ମାନେ ଗାଁରୁ ପାଖାପାଖି ୩ଶହ ମିଟର ଦୂରରେ ଥିବା ଚୁଆରେ ସ୍ନାନ, ଶୌଚ ସହ ରୋଷେଇ ଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ସଂଗ୍ରହ କରିଥାନ୍ତି । ଏହି ପାଣି ପିଇବା ଦ୍ୱାରା ଅନେକ ସମୟରେ ଗ୍ରାମବାସୀ ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଛନ୍ତି । ଗ୍ରାମ୍ୟ ଜଳଯୋଗାଣ ପକ୍ଷରୁ ନଳକୂପ ମରାମତି ସମୟରେ ଭିତରେ ଥିବା ପାଣି ମୋଟର  ତଳକୁ ଖସିଯିବାରୁ ମରାମତି କାମ ହୋଇ ପାରିଲାନାହିଁ । ଅତିଶିଘ୍ର ନଳକୂପ ମରାମତି କରାଯିବ ବୋଲି ବିଲାବାଡ଼ି ସରପଞ୍ଚ  ରବୀନ୍ଦ୍ର ଭୁକ୍ତା କହିଛନ୍ତି ଏ ଭଳି ଦୟନୀୟ ସ୍ଥିତିରେ ଦିନ କାଟୁଥିବା ଅଧିବାସୀଙ୍କ ଉପରେ ସରକାର ଓ ପ୍ରଶାସନର ନଜର କେବେ ପଡ଼ିବ ବୋଲି ପ୍ରଶ୍ନ ଉଠୁଛି ।