ପାରାଦୀପ ଟ୍ରଲର ମାଲିକ ସଂଘର ନିର୍ବାଚନ  : ଶ୍ରୀକାନ୍ତ ଓ ଅରବିନ୍ଦ ଯୋଡି ୯ଟି ଆସନ ପୋଛିଲେ

 ପାରାଦୀପ : ପାରାଦୀପ ଟ୍ରଲର ମାଲିକ ସଂଘ (ଓମ୍ଫା) ଓଡିଶା  ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର କର୍ମକର୍ତା ନିର୍ବାଚନ  ବୁଧବାର  ସଂଧ୍ୟାରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଯାଇଛି । ବିଳମ୍ବିତ ରାତିରେ ଘୋଷିତ ନିର୍ବାଚନ ଫଳାଫଳନୁଯାୟୀ ସଭାପତି ପ୍ରାର୍ଥୀ ଶ୍ରୀକାନ୍ତ ପରିଡା ଓ ସାଧାରଣ ସମ୍ପାଦକ ପ୍ରାର୍ଥୀ ଅରବିନ୍ଦ ସ୍ୱାଇଁଁ ନିର୍ବାଚିତ ହୋଇଛନ୍ତି । ବିଗତ ୩ ବର୍ଷ ତଳେ ଅନୁଷ୍ଠିତ ଟ୍ରଲର ମାଲିକ ସଂଘ  (ଓମ୍ଫା)ର  କର୍ମକର୍ତା ନିର୍ବାଚନରେ  ସଭାପତି ପ୍ରାର୍ଥୀ  ଶ୍ରୀକାନ୍ତ ପରିଡା ଓ  ସାଧାରଣ ସମ୍ପାଦକ ପ୍ରାର୍ଥୀ ଅରବିନ୍ଦ ସ୍ୱାଇଁଙ୍କ ଯୋଡି   ସଂଘର ୯ଟି  ପଦବୀରୁ ମାତ୍ର ଗୋଟିଏ ପଦବୀକୁ ବାଦ ଦେଲେ ଅବଶିଷ୍ଟ ୮ଟି ଆସନରେ ବାଜିମାତ କରିଥିବା ବେଳେ ଚଳିତ ନିର୍ବାଚନରେ   କିନ୍ତୁ ଉକ୍ତ ପ୍ୟାନେଲର ୯ଜଣଯାକ ପ୍ରାର୍ଥୀ  ବିଜୟୀ ହେବା   ଘଟଣା  ସଂଘର ନେତୃତ୍ୱ (କର୍ମକର୍ତା) ମାନଙ୍କ ପ୍ରତି  ଟ୍ରଲର ମାଲିକ ମାନଙ୍କର  ଆସ୍ଥା,ଭରସା ଓ ବିଶ୍ୱାସ ଅତୁଟ ଥିବା ପ୍ରମାଣିତ କରିଛି  ।  ତେବେ ଫଳାଫଳ ଘୋଷଣା ହେବା ପରେ ବିଜୟୀ ପ୍ୟାନେଲର  ପ୍ରାର୍ଥୀ ମାନଙ୍କ ସମେତ ସମର୍ଥକ,ଶୁଭେଚ୍ଛୁ  ମାନେ ବାଣ ଫୁଟେଇ, ମିଠା ଖୁଆଖୋଇ ହୋଇ ଖୁସି ମନାଉଥିବା ଦେଖିବାକୁ ମିଳିଥିଲା । ୯ଟି ପଦବୀ ପାଇଁ ଦୁଇଟି ପ୍ୟାନେଲ ପ୍ରାର୍ଥୀ ମାନଙ୍କ ମଧ୍ୟରେ ସଭାପତ୍ି ପ୍ରାର୍ଥୀ  ଶ୍ରୀକାନ୍ତ ପରିଡା  ତାଙ୍କ ପ୍ରତିଦ୍ୱନ୍ଦୀ  ଅମରଜିତ ଜେନାଙ୍କୁ  ୧୬୧ ଖଣ୍ଡ ଭୋଟରେ ହରାଇ ତୃତୀୟ ଥର ପାଇଁ ଟ୍ରଲର ମାଲିକ ସଂଘର ସଭାପତି ହେବାର ସୈାଭାଗ୍ୟ ଲାଭ କରିଛନ୍ତି  । ଚଳିତ ନିର୍ବାଚନରେ  ଶ୍ରୀକାନ୍ତ ପରିଡା  ୩୧୮ ଖଣ୍ଡ ଭୋଟ ପାଇଥିବା ବେଳେ  ଅମରଜିତ ଜେନା ମାତ୍ର  ୧୫୭ ଖଣ୍ଡ ଭୋଟ ପାଇଥିଲେ  । ସେହିଭଳି ସାଧାରଣ ସମ୍ପାଦକ ପ୍ରାର୍ଥୀ  ଅରବିନ୍ଦ ସ୍ୱାଇଁ ତାଙ୍କ ପ୍ରତିଦ୍ୱନ୍ଦୀ ରଶ୍ମୀ ରଞ୍ଜନ ପରିଡା  (ନିଲୁ)ଙ୍କୁ  ୮୧ ଖଣ୍ଡ ଭୋଟରେ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ସଂଘର ସାଧାରଣ ସମ୍ପାଦକ  ପଦବୀ ନିଜ ହତମୁଠାରେ ରଖିବାରେ ସକ୍ଷମ ହୋଇଛନ୍ତି  ।