ଦୟନୀୟ ଅବସ୍ଥାରେ ରାଢୋ ଗ୍ରାମ୍ୟ ରାସ୍ତା
ଭଣ୍ଡାରିପୋଖରୀରୁ ରାଜେନ୍ଦ୍ର ଶତପଥୀ : ବଡବଡ ଗ୍ରାମ ଓ ପଡ଼ାକୁ ଗମନାଗମନ ସୁବିଧା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାର ଯାଏଁ କୋଟିକୋଟି ଟଙ୍କା ବ୍ୟୟ ହେଉଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ସହିତ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଓ ଅନ୍ୟାନ୍ୟ ଯୋଜନାରେ ନୂତନ ରାସ୍ତା ନିର୍ମାଣ ହେଉଥିବା ବେଳେ ଅନେକ ରାସ୍ତାର ପୁନଃରୁଦ୍ଧାର ମଧ୍ୟ ହେଉଛି । ଏହାସତ୍ୱେ ପ୍ରଶାସନିକ ଅପାରଗତା ହେଉ କି ଆଞ୍ଚଳିକ ସ୍ତରରେ ପରସ୍ପର ବିରୋଧାଭାସ ଯୋଗୁ ଆଜି ବି ଗାଁକୁ ଭଲ ରାସ୍ତାଟିଏ ନାହିଁ । ଏମିତିକି ପୁରୁଣା ରାସ୍ତାରେ ୨୦ବର୍ଷ ହେବ ମୋରମ ଗଣ୍ଡିଏ ପଡିପାରୁନାହିଁ । ଯେଉଁଥିପାଇଁ ଗ୍ରାମବାସୀ ମାନେ ଗମନାଗମନ ଅସୁବିଧା ଭୋଗୁଛନ୍ତି ।
ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ବ୍ଲକ୍ ରହଣିଆ ପଞ୍ଚାୟତ ରାଢୋ ଗାଁ ରେ । ୩ଟି ୱାର୍ଡକୁ ନେଇ ପଞ୍ଚାୟତର ଲୋକସଂଖ୍ୟା ପ୍ରାୟ ୨ହଜାରରୁ ଅଧିକ ହେବ । ଗାଁର ରାଢୋ ଛକ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ରାଉତସାହି ଯାଏଁ ସଂଯୋଗ ହୋଇଥିବା ପ୍ରମୁଖ ଗ୍ରାମ୍ୟ ରାସ୍ତାଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଏହି ରାସ୍ତା ସହିତ ତିନିଗୋଟି ସାହିର ଅନ୍ୟ ରାସ୍ତା ମଧ୍ୟ ସଂଯୋଗ ହୋଇଛି । ତେଣୁ ରାତିପାହିଲେ ଗ୍ରାମବାସୀ ସାହି ରାସ୍ତାଦେଇ ପ୍ରମୁଖ ଗ୍ରାମ୍ୟ ରାସ୍ତାକୁ ଆସି ପୂର୍ତ୍ତ ରାସ୍ତା ଦେଇ ବିଭିନ୍ନ ଆଡକୁ ଯାଇଥାନ୍ତି । ଏହି ଗ୍ରାମ୍ୟ ରାସ୍ତାଟି ଗମନାଗମନର ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ, ଦୀର୍ଘ ବର୍ଷ ହେବ ଏହାର ନବୀକରଣ କାର୍ଯ୍ୟ ନହେବା ପରିତାପର ବିଷୟ ପାଲଟିଛି ।
୧୫/୨୦ବର୍ଷ ପୂର୍ବରୁ ପଡ଼ିଥିବା ମୋରମ ଧୀରେ ଧୀରେ ଉଠିଯିବା ସହିତ ଆଉକିଛି ମାଟିରେ ପୋତି ହୋଇଗଲାଣି । ଏବେ ରାସ୍ତା ତମାମ ଖାଲଖମାରେ ଭର୍ତ୍ତି ହୋଇଯାଇଥିବା ବେଳେ ସାଇକେଲ ମୋଟର ସାଇକେଲ ତ ଦୂରର କଥା ଚାଲିଚାଲି ଯିବା ବି କଷ୍ଟକର ହୋଇପଡୁଛି । ରାସ୍ତା ପାର୍ଶ୍ୱକୁ ଲାଗି ସ୍କୁଲ, ଶନିମନ୍ଦିର, ଇଲେକ୍ଟ୍ରି ସବ ଷ୍ଟେସନ ରହିଥିବା ବେଳେ ସକାଳୁ ରାତିଯାଏଁ ରାସ୍ତା ଉପରେ ଗ୍ରାମବାସୀ ମାନେ ଗମନାଗମନ କରିଥାନ୍ତି ।
ଗତ ଦାନା ବାତ୍ୟା ସମୟରେ ମାତ୍ରାଧିକ ବର୍ଷା ହେବାରୁ ରାସ୍ତାଟିର ଅର୍ଦ୍ଧାଧିକ ଭାଗ ବୁଡ଼ିଯାଇଥିଲା । ଫଳରେ ଗ୍ରାମବାସୀ ମାନେ ପ୍ରାୟ ୨୪ଘଣ୍ଟା ଧରି ଜଳବନ୍ଦୀ ହୋଇ ରହିଥିଲେ । ପାଣି କମିବା ପରେ ରାସ୍ତା ଅବସ୍ଥା ଆହୁରି ଶୋଚନୀୟ ହୋଇଯାଇଛି । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଉକ୍ତ ଗ୍ରାମ୍ୟ ରାସ୍ତାଟିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରିବା ପାଇଁ ପୂର୍ବରୁ ବାରମ୍ବାର ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ବୈଠକରେ ଦାବି କରାଯାଇଥିଲେ ସୁଦ୍ଧା ତାହା ବିଫଳ ହୋଇଛି । ଏପଟେ ବ୍ଲକ ପ୍ରଶାସନ ହାତରେ ରହିଥିବା ରାସ୍ତାଟିର ଭାଗ୍ୟ ଆଜି ବି ସୁଦ୍ଧା ଅନ୍ଧାର ମଧ୍ୟରେ ପଡିଛି । ଗାଁ ଲୋକ ପୁଣି ୨୦ବର୍ଷ ପୂର୍ବ ଅବସ୍ଥାକୁ ଫେରିଯାଇ ଅସରାଏ ବର୍ଷା ହେଲେ ପାଣି କାଦୁଅରେ ଗମନାଗମନ କରୁଛନ୍ତି । ଯାହାକି ଶାସନ ବ୍ୟବସ୍ଥାକୁ ଅଟହାସ୍ୟ କରୁଛି । ତେଣୁ ଆଗାମୀ ଦିନରେ ଗ୍ରାମ୍ୟ ରାସ୍ତାଟିର ନବୀକରଣ କାର୍ଯ୍ୟ କରା ନ ଗଲେ ବାଧ୍ୟହୋଇ ଗ୍ରାମବାସୀ ଆନେ୍ଦାଳନ କରିବେ । ତେଣୁ ତୁରନ୍ତ ଏହା ଉପରେ ସାଂସଦ, ବିଧାୟକ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।