ବଢୁଛି ଚୋରା ମଦ କାରବାର  ନିରବଦ୍ରଷ୍ଟା ଅବକାରୀ ବିଭାଗ 

ବୁଗୁଡ଼ାରୁ ଶିବା ଦୋରା :   ବୁଗୁଡ଼ା ସହର ସମେତ ଏହାର ଆଖପାଖ ଅଞ୍ଚଳରେ ଚୋରା ମଦ କାରାବାର ବୃଦ୍ଧି ପାଉଛି । ବୁଗୁଡା ଅବକାରୀ ବିଭାଗ ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଚୋରା କାରାବାର ବହୁଳ ଭାବରେ ଚାଲୁଥିବା ସୂଚନା ମିଳିଛି । ଏପରିକି ବିଭାଗ ପକ୍ଷରୁ ଅନୁମତି ମିଳିଥିବା କିଛି ହାତଗଣତି ଖୁଚୁରା ବିକ୍ରୟ କେନ୍ଦ୍ର ବ୍ୟତୀତ ପାନ ଦୋକାନରୁ ଆରମ୍ଭ କରି ଫାଷ୍ଟଫୁଡ୍ ସେଣ୍ଟର ଏପରିକି କେତେକ ଘରେ ମଧ୍ୟ ବେଆଇନ ଭାବେ ଲୁଚାଛପାରେ ଏହି ଚୋରା ମଦ କାରବାର ଜୋରଦାର ଚାଲିଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ଅବକାରୀ ବିଭାଗ ଏବଂ ମଦ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କାର ଚୋରା ମଦ ବ୍ୟାପାର ବୁଗୁଡ଼ା ସହର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ଚାଲୁ ରହିଛି । ଅନୁମତି ମିଳିନଥିବା ଖୁଚୁରା ବେପାରୀ ଅବକାରୀ ବିଭାଗର କିଛି ଅଧିକାରୀ ଓ ଦଲାଲଙ୍କୁ ହାତ କରି ଏପରି ଅବାଧ ଭାବେ ଚୋରା ମଦ କାରବାର ଚାଲୁ ରଖୁଛନ୍ତି । ମଦୁଆମାନେ ଅନ୍ଧାରିଆ ସ୍ଥାନ କିମ୍ବା ଦୋକାନ କଡରେ ବସି ଖୋଲାଖୋଲି ଭାବେ ମଦ ପିଉଛନ୍ତି  । ଯାହାଦ୍ୱାରା ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଅସ୍ୱଭାବିକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି । ସ୍ଥାନୀୟ ଅଞ୍ଚଳରେମଦୁଆଙ୍କ ପ୍ରାଦୁର୍ଭାବ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ବ୍ୟାଘାତ ସୃଷ୍ଟି କରୁଛି । ଗତ କିଛି ଦିନ ଧରି ସ୍ଥାନୀୟ ବସ୍ଷ୍ଟାଣ୍ଡ ପଛପଟ, ପଶୁ ଚିକିତ୍ସାଳୟ ପରିସର, ବୁଦ୍ଧଖୋଲ ପାଦଦେଶରେ, ସଂସ୍କୃତ ଟୋଲ ପରିସରରେ ଏବଂ ରାସ୍ତା କଡରେ ଥିବା ବିଭିନ୍ନ କଲଭର୍ଟରେ ମଦ୍ୟପମାନେ ବିନା ସଂକୋଚରେ ମଦ୍ୟପାନ କରୁଥିବାର ଦେଖିବାକୁ ମିଳୁଛି । ଏଥିସହ ନିଶା ସେବନ କରି ଯୁବପିଢି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅଭିଯୋଗ ହେଉଛି । ଅବକାରୀ ବିଭାଗର ଅଧିକାରୀମାନେ କେତେବେଳେ କେମିତି ଛୋଟକାଟିଆ ନିଶା ବେପାରୀଙ୍କୁ ଧରୁଥିଲେ ହେଁ ବଡବଡ ବେପାରୀମାନଙ୍କୁ ଧରିବାକୁ ସାହାସ କରି ପାରୁନାହାନ୍ତି । ସେହିପରି ବୁଗୁଡ଼ା ସହରର କେତେକ ସ୍ଥାନରେ ଥିବା ମଦ ଦୋକାନ ସରକାରଙ୍କ ଧାର୍ଯ୍ୟ ସମୟ ଠାରୁ ଅଧିକ ସମୟ ଖୋଲା ରହୁଥିବା ଅଭିଯୋଗ ହେଉଛି । ତେବେ କାହିଁକି ଅବକାରୀ ବିଭାଗର କର୍ମଚାରୀମାନେ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅବକାରୀ ବିଭାଗ ସବୁ ଜାଣିଶୁଣି ନିରବ ରହୁଛି ନା ଅବକାରୀ ବିଭାଗର ଅଧିକାରୀଙ୍କ ଅଜାଣତରେ ଏହା ହେଉଛି ସେ ନେଇ ସାଧାରଣରେ ସନେ୍ଦହ ଉପୁଜିଛି । ଅନ୍ୟପକ୍ଷରେ ଚୋରା ମଦ ବେପାରୀ ଓ ଅବକାରୀ ବିଭାଗ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳରେ ଚୋରା ମଦ କାରବାର ଜୋରସୋରରେ ଚାଲିଥିବା ନେଇ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।