ଧାନ ବିକ୍ରି କରି ନ ପାରି ଚାଷୀ ହନ୍ତସନ୍ତ
ବୈଶିଙ୍ଗା: ରାଜ୍ୟର ନୂଆ ବିଜେପି ସରକାର ଗଠନ ପରେ ଖରିଫ୍ ଧାନ ମୂଲ୍ୟ ୩୧୦୦ ଟଙ୍କାରେ କିଣା ଯିବା ପାଇଁ ଘୋଷଣା କରିଥିଲେ । ହେଲେ ସାରା ରାଜ୍ୟରେ ଧାନ କିଣାରେ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଚାଷୀ ହନ୍ତସନ୍ତ ହେଉଥିବାର ଦେଖାଦେଇଛି । ଟୋକନ୍ରେ ଧାନ କିଣା ହୋଇ ପାରୁନାହିଁ । ସରକାର କହିଲେ ମଣ୍ଡିକୁ ମନ୍ତ୍ରୀ ଜଗିବେ ମାତ୍ର ବିଧାୟକଙ୍କ ପାଦ ପଡ଼ୁନାହିଁ । ବୈଶିଙ୍ଗା ଲ୍ୟାମ୍ପସରେ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି । ଦୈନିକ ୧୨୦୦ କ୍ୱିଣ୍ଟାଲ କିଣା ଯିବାର ନିୟମ କରାଯାଇଥିଲା ବେଳେ କିଣା ଯାଉଛି ୩୦୦ ଶହରୁ ୪୦୦ କ୍ୱିଣ୍ଟାଲ ଧାନ । ବହୁ ଚାଷୀ ଟ୍ରାକ୍ଟର ବା ଟ୍ରକ୍ ଯୋଗେ ଧାନ ଆଣି ପୁଣି ବାଧ୍ୟ ହୋଇ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ । ରାତି ପାହିଲେ ମକର ପର୍ବ । ମୟୂରଭଞ୍ଜରେ ମକର ପର୍ବ ଏକ ନିଆରା । ଏକ ସପ୍ତାହ ଧରି ମକର ପାଇଁ ଚାଷୀ ମସଗୁଲ ହୋଇ ଯାଇଥାଏ । କୁତୁମୀ ଏବଂ ଆଦିବାସୀ ସମ୍ପ୍ରଦାୟରେ ଟୁସୁ ପର୍ବ, ଦାମୋଦର ଯାତ୍ରା, ବିଭିନ୍ନ ଗ୍ରାମରେ ପର୍ବ ଆଦି ପାଳନ କରାଯାଇଥାଏ । ମାତ୍ର ଚାଷୀଟିଏ ଧାନ ବିକ୍ରୀ କରି ନ ପାରି କିପରି ହୀନସ୍ତା ହେଉଛନ୍ତି ତାହା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଯଥାଶୀଘ୍ର ଏହି ତୃଟି ପୂର୍ଣ୍ଣ ଧାନ କିଣା ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।