ଧାନକିଣାକୁ ନେଇ ଅଚଳାବସ୍ଥା: ରାସ୍ତା ଉପରେ ଧାନବସ୍ତା ରଖି ଚାଷୀଙ୍କ ବିକ୍ଷୋଭ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଧାନ କିଣାନେଇ ଦୀର୍ଘ ୫ ଦିନ ଧରି ଅଚଳାବସ୍ଥା ଲାଗି ରହିଛି । ମିଲର ଓ ପ୍ରଶାସନର ଟଣାଓଟରା ଭିତରେ ବିଚରା ଚାଷୀ ବଳିପଡିଛି । ମିଲର କେବଳ ଏଫଏକୁ୍ୟ ମାନର ଧାନ ଉଠାଇବାକୁ ଅଡିବସିଥିବା ବେଳେ ସରକାର କଟନୀଛଟନୀ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଅଦିନିଆ ବର୍ଷା ସହ ହାତୀ ଉପଦ୍ରବରେ ଜିଲ୍ଲାରେ ବହୁ ଧାନ ନଷ୍ଟ ହୋଇଯାଇଛି । ଚାଷୀ ଯାହାକିଛି ଧାନ ପାଇଥିଲା ତାକୁ ବିକି ଧାର କରଜ ଶୁଝୁବା ପାଇଁ ମଣ୍ଡି ଉପରେ ନିର୍ଭର କରି ଶେଷରେ ହତାଶ ହୋଇପଡିଛି । ୫ଦିନ ହେବ ଏପରି ଅନିଶ୍ଚିତତା ମଧ୍ୟରେ ମଣ୍ଡିଗୁଡିକ ଖୋଲାପଡି ଥିବାବେଳେ କେବେ କେବେ ମିଲର ଧାନ କିଣିବାକୁ ନେଇ ଦ୍ୱନ୍ଦ ଭିତରେ ଜିଲ୍ଲାର ଚାଷୀ ଠିଆ ହୋଇଛି । ଆଜି ଜିଲ୍ଲା ସଦର ବ୍ଲକ ବେଲଟିକିରି ମଣ୍ଡିର ୫ ଟି ପଂଚାୟତର ଚାଷୀମାନେ ଉତ୍ତେଜିତ ହୋଇ ସକାଳୁ ରାସ୍ତା ଉପରେ ଧାନବସ୍ତା ରଖି ରାସ୍ତାରୋକ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଢେଙ୍କାନାଳ-କପିଳାସ ରାସ୍ତା ବନ୍ଦ ରହି ଉଭୟପଟେ ଶହଶହ ଗାଡିମଟର ଅଟକି ରହିଥିଲା ।
ତେବେ ଜିଲ୍ଲାରେ ଦୀର୍ଘ ୫ ଦିନ ହେବ ଜିଲ୍ଲାରେ ଧାନକିଣା ବନ୍ଦ ରହିଛି । ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ ଆଜି ଚନ୍ଦ୍ରଶେଖର ଆଂଚଳିକ ବିକାଶ ପରିଷଦ ପକ୍ଷରୁ ବେଲଟିକିରି ସେବା ସମବାୟ ସମିତିର ଚାଷୀମାନେ ଆନେ୍ଦାଳନକୁ ଓହ୍ଲାଇଥିଲେ । ଚଳିତବର୍ଷ ବିଳମ୍ବରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଜାନୁୟାରୀ ଶେଷହେଲାଣି ହେଲେ ଅଦ୍ୟାବଧି ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିପାରିନାହାଁନ୍ତି । ଏଫଏକୁ୍ୟ ମାନକୁ ପ୍ରଶାସନ ଓ ମିଲିରଙ୍କ ଟଣାଓଟରାରେ ଗତ ଶୁକ୍ରବାର ଠାରୁ ଜିଲ୍ଲାରେ ଧାନକିଣା ବନ୍ଦରହିଛି । ଯେଉଁଥିପାଇଁ ଚାଷୀସମାଜର ମୁଣ୍ଡବ୍ୟଥା ଆରମ୍ଭ ହୋଇଥିଲା । ଦୀର୍ଘ ୫ ଦିନ ଧରି ଧାନକିଣା ବନ୍ଦ ହେବା ପରେ ନିରୁପାୟ ହୋଇ ଆଜି ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ଶହଶହ ସଂଖ୍ୟାରେ ଚାଷୀ ଆଜି ଢେଙ୍କାନାଳ-କପିଳାସର କାଇମାଟି ତାରିଣୀ ଛକ ଠାରେ ରାସ୍ତାଉପରେ ଧାନବସ୍ତା ରଖି ଆନେ୍ଦାଳନ ଜାରିରଖିଥିଲେ । ଖବର ପାଇ ସଦର ବିଡିଓ ରାହୁଳ ମଣ୍ଡଳ, ଅତିରିକ୍ତ ତହସିଲଦାର ମଦନମୋହନ ଜେନା ଓ ପ୍ରଦୁ୍ୟମ୍ନ କୁମାର ବେଉରିଆ, ସଦର ଏମଆଇ ନସିମା ବେଗମ ପହଂଚି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଚାଷୀମାନେ ନିଜ ଜିଦରେ ଅଟଳ ରହିଥିଲେ । ପରେ ଜିଲ୍ଲା ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡା ପହଂଚି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ । ଆସନ୍ତାକାଲି ଠାରୁ ଚାଷୀ ଓ ମିଲରଙ୍କ ସହମତିରେ ଧାନ କିଣାଯିବ । ଚାଷୀମାନଙ୍କର ଥିବା ଅନ୍ୟାନ ଦାବି ପ୍ରତି ଦୃଷ୍ଟି ଦିଆଯାଇ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।