ଧାର ଟଙ୍କା ମାଗିବାରୁ ହତ୍ୟା ଧମକ; ବ୍ୟବସାୟୀ ଗିରଫ

ଭୁବନେଶ୍ୱର, ୨୦ା୧ : ସମ୍ପର୍କ ଯୋଡି ପରେ ବ୍ୟବସାୟ ବାବଦକୁ ଧାର ଆକାରରେ ୩ ଲକ୍ଷ ୫୦ ହଜାର ଟଙ୍କା ନେଇ ପରେ ଟଙ୍କା ମାଗିବାରୁ ଅଭିଯୋଗକାରୀଙ୍କୁ ହତ୍ୟା ଧମକ । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ରଡ ଓ ସିମେଣ୍ଟ ବ୍ୟବସାୟୀଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ହେଲେ, ଭରତପୁର ଜିଏ କଲୋନୀରେ ରହୁଥିବା କେନ୍ଦ୍ରପଡ଼ା ଜିଲ୍ଲାର ବସନ୍ତ କୁମାର ବେହେରା । ଆଜି କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ବସନ୍ତ କୁମାର ବେହେରାଙ୍କ ବରମୁଣ୍ଡା ଅଞ୍ଚଳରେ ଏକ ଛଡ଼ ଓ ସିମେଣ୍ଟ ଦୋକାନ ରହିଛି । ଅଭିଯୋଗକାରୀ ରଶ୍ମୀରଞ୍ଜନ ସମୟ ସମୟରେ ବ୍ୟବସାୟିକ କାରଣ ନେଇ ଅଭିଯୁକ୍ତଙ୍କ ସହିତ ସାକ୍ଷାତ କରନ୍ତି । ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ଗତ ୨୦୨୩ ମଇ ମାସ ୨୦ ତାରିଖରେ ବ୍ୟବସାୟ ବାବଦକୁ ୩ ଲକ୍ଷ ୫୦ ହଜାର ଟଙ୍କା ଅଭିଯୋଗକାରୀଙ୍କ ଠାରୁ ନେଇଥିଲେ ଓ ଗତ ଅଗଷ୍ଟ ୨୦୨୩ ୩୧ ତାରିଖ ପୂର୍ବରୁ ଟଙ୍କା ଫେରାଇବାକୁ କହି ଏକ ଚୁକ୍ତି ମଧ୍ୟ କରିଥିଲେ ।  ଏହା ଭିତରେ ଅନେକ ବର୍ଷ ହୋଇଯାଇଥିଲେ ମଧ୍ୟ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ଟଙ୍କା ଫେରସ୍ତ କରିନଥିଲେ । ଫଳରେ ଅଭିଯୋଗକାରୀ ତାଙ୍କ ବନ୍ଧୁଙ୍କ ସହ ଅଭିଯୁକ୍ତଙ୍କ ନିକଟକୁ ଯାଇ ଟଙ୍କା ଫେରସ୍ତ କରିବାକୁ କହିଥିଲେ । ହେଲେ ଅଭିଯୁକ୍ତ ଟଙ୍କା ଫେରସ୍ତ କରିବା ବଦଳରେ ଓଲୋଟି ରାଗିଯାଇ ଟଙ୍କା ଦେବାକୁ ମନା କରିଥିଲେ ଏବଂ ହତ୍ୟା ଧମକ ଦେଇ ଗାଳି ଗୁଳଜ କରି ଧମକ ଦେଇଥିଲେ । ଏନେଇ ଅଭିଯୋଗକାରୀ ଭରତପୁର ଥାନାକୁ ଯାଇ ଗତ ୧୨.୧୨.୨୦୨୪ରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ସେମାନଙ୍କ କଥା ଶୁଣିନଥିଲା । ଏନେଇ ଅଭିଯୋଗକାରୀ ଥାନାକୁ ବାରମ୍ବାର ଦୌଡ଼ିବା ପରେ ଆଜି ଅଭିଯୁକ୍ତଙ୍କୁ ଥାନାରେ ନୂତନ ଭାବେ ଯୋଗଦେଇଥିବା ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ଘଟଣାକୁ ଗୁରୁତ୍ୱ ଭାବେ ନେଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।