ଯୁବତୀଙ୍କୁ ଆକ୍ରମଣ ସହ ଅସଦାଚରଣ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୨୦ା୧ : ସାମାନ୍ୟ ବ୍ଳୁଟୁଥ୍ ଡିଭାଇସକୁ ନେଇ ଜଣେ ଯୁବତୀଙ୍କୁ ଘରୁ ଡାକି ଆକ୍ରମଣ କରିବା ସହ ଲୋକଙ୍କ ସାମ୍ନାରେ ଅସଦାଚରଣ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ଭଦ୍ରକ ଜିଲ୍ଲାର ରବିନ୍ଦ୍ର ପ୍ରଧାନ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ନିମ୍ନୋକ୍ତ ଅଭିଯୁକ୍ତ ରବିନ୍ଦ୍ର ପେଷାରେ ଜଣେ ଅଟୋ ଡ୍ରାଇଭର ହୋଇଥିବା ବେଳେ, ଅଭିଯୋଗକାରିଣୀ ଡୁମୁଡୁମା ଅଞ୍ଚଳରେ ଜଣେ ଘରୋଇ ସେବିକା ଭାବେ କାମ କରନ୍ତି । ଅଭିଯୋଗକାରିଣୀ ଅଭିଯୁକ୍ତର ଦୂର ସମ୍ପର୍କୀୟ ହୋଇଥିବାରୁ ଅଭିଯୁକ୍ତ ଜଣକ ଭୁବନେଶ୍ୱରକୁ ଆସିବା ପରେ ସେ ଅନେକ ସମୟରେ ତାଙ୍କୁ ସେଠାକୁ ସାକ୍ଷାତ କରିଆସୁଥିଲା । ଏହି ଘଟଣା ପୂର୍ବରୁ ଅଭିଯୁକ୍ତ ଏକ ବ୍ଲୁଟୁଥ୍ ଅଡ଼ିଓ ଡିଭାଇସ୍କୁ ଅଭିଯୋଗକାରିଣୀଙ୍କୁ ଦେଇଥିଲା । ପରେ ଗତ ୧୯ ତାରିଖ ଦିନ ଅଭିଯୋଗକାରିଣୀ ତାଙ୍କ କାର୍ଯ୍ୟରେ ଥିବା ବେଳେ, କୌଣସି କାରଣକୁ ନେଇ ଅଭିଯୁକ୍ତ ଜଣକ ସେଠାରେ ପହଞ୍ଚିଥିଲା ଓ ଅଭିଯୋଗକାରିଣୀଙ୍କୁ ଘର ବାହାରକୁ ଡାକିଥିଲା । ପରେ ଅଭିଯୋଗକାରିଣୀ ବାହାରକୁ ଆସିବା ପରେ ଅଭିଯୁକ୍ତ ଜଣକ ତାଙ୍କୁ ଦୁର୍ବ୍ୟବହାର ଦେଖାଇଥିଲା ଓ ତାଙ୍କ ବେକରୁ ବଳପୂର୍ବକ ବ୍ଲୁଟୁଥ୍କୁ ଟାଣି ନେଇଥିଲା । ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ଜଣକ ରାଗରେ ଅଭିଯୋଗକାରିଣୀଙ୍କୁ ଗାଳି ଗୁଲଜ କରି ତାଙ୍କର ମୋବାଇଲ ଫୋନ ଟିକୁ ଭାଙ୍ଗି ଦେଇଥିଲା ଓ ଟଣା ଓଟରା କରିବା ସହ ଧମକ ଦେଇ ସାଧାରଣରେ ତାଙ୍କୁ ଆକ୍ରମଣ କରି ଅସଦାଚରଣ କରିଥିଲା । ଏନେଇ ଅଭିଯୋଗକାରିଣୀ ଜଣଙ୍କ ଖଣ୍ଡଗିରି ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ଅପରାଧୀକ ଯାଞ୍ଚ ବେଳେ ଜଣାପଡ଼ିଛି ଅଭିଯୁକ୍ତ ନାମରେ ପୂର୍ବରୁ ଭଦ୍ରକ ରୁରାଲ ଥାନାରେ ୨ଟି ଅପରାଧୀକ ମାମଲା ରହିଥିବା ତଦନ୍ତରୁ ଜଣାପଡ଼ିଛି ।