ନାବାଳିକା କୁକର୍ମକାରୀ ଅଭିଯୁକ୍ତକୁ ସଜ୍ଜା
ଭୁବନେଶ୍ୱର, ୬ା୯ : ଆଜି ଭୁବନେଶ୍ୱର ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ (ପୋକସୋ)ର ଆଡହକ ଆଡିସନାଲ ସେସନ ଜଜ ସରୋଜ କୁମାର ସାହୁ ବାଲିପାଟଣା ଥାନା ଅଞ୍ଚଳରେ ୨୦୨୧ ମସିହାରେ ଘଟିଯାଇଥିବା ଏକ କୁକର୍ମ ମାମଲାର ବିଚାର କରି ଅଭିଯୁକ୍ତ ମଙ୍ଗୁଳି ଚରଣ ମଲ୍ଲିକକୁ ସଜ୍ଜା ଶୁଣାଇଛନ୍ତି ।
ସୂଚନା ଯୋଗ୍ୟଯେ, ଗତ ୨୦୨୧ ମସିହା ଅକ୍ଟୋବର ମାସ ୩୧ ତାରିଖ ସକାଳ ୮ଟା ୩୦ ସମୟରେ ଅଭିଯୋଗକାରୀଙ୍କ କିଛି କୁକୁଡା ଅଭିଯୁକ୍ତ ପଡୋଶୀ ମଙ୍ଗୁଳି ଘର ବାରିପଟେ ବୁଲାବୁଲି କରୁଥିଲେ । ଏହା ଦେଖି ଅଭିଯୋଗକାରୀଙ୍କ ୧୧ ବର୍ଷର ନାବାଳିକା କନ୍ୟା ଉକ୍ତ କୁକୁଡା ଗୁଡ଼ିକୁ ଘରକୁ ଫେରାଇ ଆଣିବା ଲାଗି ଅଭିଯୁକ୍ତର ବାରିକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ମଙ୍ଗୁଳି ପୀଡ଼ିତାଙ୍କୁ ତାଙ୍କ ଘର ଭିତରକୁ ଡାକିନେଇ ଜୋରଜବରଜସ୍ତି ଅସଦାଚରଣ କରିବା ସହ ଧରା ଧମକା କରି ତାଙ୍କୁ କୁକର୍ମ କରିଥିଲେ । ଏହି ସମୟରେ ନାବାଳିକା ଜଣଙ୍କ ପାଟି କରିବାରୁ ଅଭିଯୁକ୍ତ ତାଙ୍କୁ ବାହାରକୁ ବାହାର କରିଦେଇଥିଲା । ଏନେଇ ନାବାଳିକା ଜଣଙ୍କ ଘରେ ଘଟଣା ବିଷୟରେ ଜଣାଇବା ପରେ ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ଥାନା କେସ ନମ୍ବର ୨୮୯/୨୦୨୧, ଦଫା ୩୫୪(ଏ), ୩୨୩, ୫୦୬ ଓ ଦଫା-୮ ପୋକସୋ ଆଇନରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହାର ତଦନ୍ତ ଦାୟିତ୍ୱ ଏସଆଇ ପୁଷ୍ପଲତା ରାଉତରାୟଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ, ସେ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଅଭିଯୋଗର ୨ ଦିନ ଭିତରେ ଗିରଫ କରି କୋର୍ଟ ଚାଲାଣ କରିବା ସହ ସଠିକ ସମୟ ପୂର୍ବରୁ ଅଭିଯୁକ୍ତ ବିରୋଦ୍ଧରେ କୋର୍ଟରେ ଚାର୍ଜ ସିଟ୍ ଦାଖଲ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି ଅଦାଲତ ୯ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଅଭିଯୁକ୍ତ ମଙ୍ଗୁଳିକୁ ଦଫା- ୩୫୪(ଏ) ଆଧାରରେ ୧ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ କ୍ଷେତ୍ରରେ ୧ ମାସ ଅଧିକ କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରୋସିକୁ୍ୟଟର ରାଜୀବ ସାସମଲ ଓ ଅତିରିକ୍ତ ପବ୍ଲିକ୍ ପ୍ରୋସିକୁ୍ୟଟର ବଳରାମ ଦେଓ ପ୍ରମୁଖ ପରିଚାଳନା କରିଥିଲେ ।