ଧାରଣାରେ ଅମଲା, ସେବାକାର୍ଯ୍ୟ ଠପ୍

ବୁଗୁଡା: ୧୦ ଦଫା ଦାବି ନେଇ ରାଜ୍ୟ ଅମଲା ସଂଘ ଗତ ୧୧ ତାରିଖ ଦିନଠୁ କାର୍ଯ୍ୟବନ୍ଦ ଆନେ୍ଦାଳନ ଚଳାଇ ଆସୁଥିବା ବେଳେ ବୁଗୁଡା ତହସିଲ କାର୍ଯ୍ୟାଳୟର ୧୦, ଆଇସିଡିଏସ କାର୍ଯ୍ୟାଳୟର ୨ ଓ ବ୍ଲକ କାର୍ଯ୍ୟାଳୟର ୩ ଜଣ ଅମଲା ବ୍ରହ୍ମପୁର ସବକଲେକ୍ଟର ଅଫିସ୍ ପ୍ରାଙ୍ଗଣରେ ସଂଘର ଅନ୍ୟାନ୍ୟ ଅମଲାଙ୍କ ସହିତ ଧାରଣା ଦେଇ ଆସୁଛନ୍ତି । ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସଂଘ ଚେତାବନୀ ଦେଇଛି । ରାଜସ୍ୱ ଅମଲାଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଯୋଗୁଁ ବିଭାଗୀୟ କାମ ଏକ ପ୍ରକାର ଅଚଳ ହୋଇପଡିଛି । ସୂଚନାଯୋଗ୍ୟ, ମୂଳ ଦରମା ଓ ଆରଏସପି -୨୦୧୭ ନିୟମ ଅନୁଯାୟୀ ଲେବେଲ -୯କୁ ବୃଦ୍ଧି କରିବା, ନୂତନ ପଦ ସୃଷ୍ଟି ଓ ପଦବୀ ପୁନଃଗଠନ, ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରିବା, କର୍ମଚାରୀଙ୍କ ମୃତୁ୍ୟ ହେଲେ ପରିବାରର ଜଣକୁ ନିଯୁକ୍ତି ଦେବା, ରାଜସ୍ୱ ଅମଲାଙ୍କୁ ଶତ ପ୍ରତିଶତ ପଦୋନ୍ନତି ଓ ପୁରାତନ ପେନସନ ପ୍ରଦାନ କରିବା ଦାବିରେ ଏହି ଆନେ୍ଦାଳନ ଜାରି ରହିଛି । ତେବେ ଗତ ୮ ତାରିଖରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ଅମଲାମାନେ ତହସିଲଦାରଙ୍କୁ ଏ ନେଇ ଏକ ଦରଖାସ୍ତ ଦେଇ ୧୧ ତାରିଖରୁ ଆନେ୍ଦାଳନରେ ସାମିଲ ହୋଇଥିବାରୁ ତହସିଲ କାର୍ଯ୍ୟାଳୟରେ ଲୋକଙ୍କ କାମ ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ କାର୍ଯ୍ୟାଳୟ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଛି ।