ଯୁବକଙ୍କୁ ହତ୍ୟା କଲେ ନକ୍ସଲ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେରରେ ନକ୍ସଲମାନେ ପୁଣି ଥରେ ନିଜର ସ୍ଥିତି ଜାହିର କରି ପୁଲିସସୂଚନାଦାତା ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ଏବଂ ସରପଞ୍ଚଙ୍କ ସମେତ ଅନେକ ଲୋକଙ୍କୁ ଧମକ ଦେଇଛନ୍ତି । ସୂଚନା ଅନୁଯାୟୀ, ଛତିଶଗଡର କାଙ୍କେର ଜିଲ୍ଲାର ବିଣାଗୁଣ୍ଡା ଗ୍ରାମରେ ନକ୍ସଲମାନେ ନିଜର ଉପସ୍ଥିତି ଜାହିର କରିବା ସହ ପୁଲିସ ଇନଫର୍ମର ନାମରେ ମନୀଷ ନରେତି ନାମକ ଯୁବକଙ୍କୁ ହତ୍ୟା କରିଛନ୍ତି । ତେବେ ଏହି ଅଞ୍ଚଳରେ ଗତ ୧୬ ଏପ୍ରିଲ ୨୦୨୪ରେ ୨୯ ଜଣ ନକ୍ସଲ ପୁଲିସଗୁଳିରେ ନିହତ ହୋଇଥିବାବେଳେ ଏହି ଏନ୍କାଉଣ୍ଟର ପାଇଁ ମନୀଷ ନରେତିଙ୍କୁ ଦାୟୀ କରିବା ସହ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଘଟଣା ସ୍ଥଳରେ ଏକ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି । ଏହା ସହ ସରପଞ୍ଚ ରାମଜୀ ଧୁର୍ଭା, ଡିଆରଜି ଜବାନ ଏବଂ ସ୍ଥାନୀୟ ପୁଲିସ ଅଧିକାରୀ ଓ ଅନେକ ଲୋକଙ୍କ ନାମ ଉକ୍ତ ପୋଷ୍ଟରରେ ଉଲ୍ଲେଖ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ଅଞ୍ଚଳରେ ପୁଲିସ ପକ୍ଷରୁ ତଦନ୍ତ ଅରମ୍ଭ କରାଯିବା ସହ ତଲାସି ଅଭିଯାନକୁ ବଢାଇ ଦିଆଯାଇଛି ।