ଶିଶୁ ବିକାଶ ଯୋଜନାର ବିକଳ ଚିତ୍ର ; ୧୧ ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ କୋଠା
ବୁଗୁଡ଼ା : ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୩ଟି ୱାର୍ଡରେ ଥିବା ମୋଟ ୧୮ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୧୧ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ କୋଠା ନଥିବା ଜଣା ପଡିଛି । ଯାହାଫଳରେ କେଉଁଠି ଭଡାଘରେ ତ, ଅନ୍ୟ କେଉଁଠି ଗ୍ରାମ କୋଠଘରେ ଓ ସ୍କୁଲ କୋଠାରେ ସେହି ଅଙ୍ଗନବାଡି କେନ୍ଦ୍ରଗୁଡିକ ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି । ବୁଗୁଡା ଏନ୍ଏସିର ୧୧ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ଯୋଗୁଁ କୋମଳମତି ଶିଶୁମାନଙ୍କ ପାଠପଢ଼ାରେ ନାନା ସମସ୍ୟା ସୃଷ୍ଟି ହେବା ସହ କେନ୍ଦ୍ରଗୁଡିକୁ ଆସୁଥିବା ଚାଉଳ, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ରଖିବା ଲାଗି କର୍ମୀମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।
ବୁଗୁଡା ଏନ୍ଏସିର କାଞ୍ଜିଆପଲ୍ଲୀ, ମୋଚିସାହି, ବ୍ଲକ୍ କଲୋନୀ, ତଳଓଡିଆ ସାହି, କାଦପଡା ଓ ଗୋଲାସାହିର ଦୁଇଟି କେନ୍ଦ୍ର ଆଦି ୭ଟି କେନ୍ଦ୍ରର ନିଜସ୍ୱ କୋଠାଘର ରହିଥିବାବେଳେ ରଘୁନାଥ ସାହି କେନ୍ଦ୍ରର ନିର୍ମିତ ନିଜସ୍ୱ କୋଠାଘର ଉଦ୍ଘାଟିତ ହୋଇଥିଲେ ସୁଦ୍ଧା ସେଠାକୁ ଯିବା ପାଇଁ ସୁଗମ ପଥ ନଥିବାରୁ ତାହା କାର୍ଯ୍ୟକ୍ଷମ ହୋଇ ନ ପାରି ପଡିରହିଛି । ଏବଂ ପୁରୁଣା ବାଲିପିଣ୍ଡି ସାହି ଅଙ୍ଗନବାଡି କେନ୍ଦ୍ରର ନବ ନିର୍ମିତ ନିଜସ୍ୱ କୋଠାଘର ଜଳ ଯୋଗାଣର ଅବ୍ୟବସ୍ଥା ଯୋଗୁଁ କାମରେ ଲାଗୁନାହିଁ । ଅନ୍ୟପକ୍ଷରେ ବୀରଧନଞ୍ଜୟପୁର, କୃଷ୍ଣଶରଣପୁର ଓ ନେଳିଆବନ୍ଧ ସାହି ଆଦି ୩ଟି ଅଙ୍ଗନବାଡି କେନ୍ଦ୍ରର କୋଠାଘର ଦୀର୍ଘ ବର୍ଷ ହେଲା ଅଧପନ୍ତରିଆ ହୋଇ ପଡିରହିଛି । ସେହିପରି ଶକ୍ତି ନଗର, ତେଲି ସାହି ଓ ଖଦାଳ ସାହି ଆଦି ୩ଟି କେନ୍ଦ୍ରର ନିଜସ୍ୱ କୋଠାଘର ନିର୍ମାଣ ପାଇଁ ସଂପୃକ୍ତ ୱାର୍ଡ ଗୁଡିକରେ କୌଣସି ସରକାରୀ ଜାଗା ମିଳୁନଥିବାରୁ ବାଧ୍ୟ ହୋଇ ଅଙ୍ଗନବାଡି କର୍ମଚାରୀଙ୍କ ଘରେ କିମ୍ବା ଅନ୍ୟ କେଉଁଠାରେ କାମଚଳା କେନ୍ଦ୍ର ଖୋଲା ଯାଇଛି । କେବଳ ଏତିକି ନୁହେଁ, ଗୋଲାମୁଣ୍ଡୁଳା, ନୂଆଁସାହି ଓ କୁମ୍ଭାର ସାହି ଆଦି ୩ଟି କେନ୍ଦ୍ରର କୋଠାଘର ପାଇଁ ଜାଗା ଚିହ୍ନଟ ହୋଇଥିଲେ ସୁଦ୍ଧା ପ୍ରଶାସନିକ ଅବହେଳା ଏବଂରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ । ତେବେ ବୁଗୁଡା ଏନ୍ଏସି ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରର ଏଭଳି ବିକଳ ଚିତ୍ରକୁ ନେଇ ସାଧାରଣରେ ପ୍ରଶାସନିକ ଉଦାସୀନତା ଓ ଜନପ୍ରତିନିଧିଙ୍କ ଅପାରଗତାକୁ ଦାୟୀ କରାଯାଉଥିବାବେଳେ ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣଣେ ଦାବି ହେଉଛି ।