ଯାତ୍ରୀବାହୀ ଟ୍ରେନରେ ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ
ବ୍ୟାସନଗର : ଟ୍ରେନ ଯାତ୍ରୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ ଉପରେ ରେଳ ବିଭାଗ ଗୁରୁତ୍ୱାରୋପ କରୁଛି । ରେଳବାଇ ପକ୍ଷରୁ ସଂରକ୍ଷିତ ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥାଏ । କିନ୍ତୁ ଅଂସରକ୍ଷିତ ବା ସାଧାରଣ ବଗିରେ ଯାଉଥିବା ଯାତ୍ରୀ ଟ୍ରେନରେ ଫେରି କରି ବିକ୍ରି କରୁଥିବା ଖାଦ୍ୟ ଖାଇଥାନ୍ତି । ସେ ଲୋକାଲ ହେଉ କି ଏକ୍ସପ୍ରେସ ଟ୍ରେନ୍ ଯାତ୍ରୀ ବହୁ ସମୟରେ ଅପମିଶ୍ରିତ ଖାଦ୍ୟ ଖାଉଥିବାର ହେଉଛି ଅଭିଯୋଗ । ଫେରି କରି ବିଭିନ୍ନ ପ୍ରକାରର ଖାଦ୍ୟ ବିକ୍ରି କରୁଥିବା ବେପାରୀ ଖାଦ୍ୟ ବିକ୍ରି ସହ ଯାତ୍ରୀମାନଙ୍କ ଉପରେ ଦୌରାତ୍ମ୍୍ୟ କରୁଥିବାର ବହୁ ଅଭିଯୋଗ ହେଉଛି । ଏବାବଦରେ ବହୁ ବାର ରେଲବାଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେଲେ ମଧ୍ୟ ଶୁଣି ନ ଶୁଣିଲା ପରି ଅଭିନୟ କରନ୍ତି । ଟ୍ରେନ୍ ଭିତରେ ଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ଦେବାପାଇଁ ଆଇଆରସିଟିସି ଦ୍ୱାରା ପଞ୍ଜିକୃତ ଭେଣ୍ଡର ନିୟୋଜିତ ହୋଇଥାନ୍ତି । କିନ୍ତୁ ବିନା ପଞ୍ଜୀକରଣରେ ବହୁତ୍ ଲୋକେ ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବାର ଦେଖା ଦେଇଥାଏ । ଯଦି କୌଣସି ଯାତ୍ରୀ ଖାଦ୍ୟର ମାନ ଉପରେ ପ୍ରଶ୍ନ କରନ୍ତି ତେବେ ତାଙ୍କୁ ନାଲି ଆଖି ଦେଖେଇବାକୁ ପଛାଇନଥାନ୍ତି । ବରା, ସିଙ୍ଗଡା, ଆଳୁଚପ ଓ ଜଲପି ଭଳି ଜଳଖିଆ ସବୁକୁ ନିମ୍ନମାନର ଅପମିଶ୍ରିତ ତେଲର ଛାଣି ପ୍ରସ୍ତୁତ କରିଥାନ୍ତି । ଏପରିକି ଅସ୍ୱାସ୍ଥ୍ୟକର ପରିବେଶରେ ଏହି ଖାଦ୍ୟ ସବୁ ପ୍ରସ୍ତୁତ ହେଉଥିବା ଦେଖାଯାଇଥାଏ । ବିକ୍ରି ନ ହେଇ ରହିଯାଉଥିବା ବାସୀ ଖାଦ୍ୟକୁ ପୁଣି ତା ପରଦିନ ଛାଣି ବିକ୍ରି କରିଥାନ୍ତି । ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ । ବାରମଜା, ସୋଲା, ମଟରକୁ ଦୂଷିତ ପାଣିରେ ସିଝାଇ ତାକୁ ଚଟପଟି ବନାଇ ଯାତ୍ରୀଙ୍କୁ ଦେଇଥାନ୍ତି । ଯାହା ପାଟିକୁ ସୁଆଦିଆ ଲାଗିଥାଏ ସତ ତାହା କିନ୍ତୁ ଦେହ ପକ୍ଷେ କ୍ଷତି ସାବ୍ୟସ୍ତ ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଖାଦ୍ୟ ଅତି ନିମ୍ନମାନର କିନ୍ତୁ ଚଢ଼ା ରେଟ୍ରେ ପଇସା ନେଇଥାନ୍ତି । ଖରାଦିନେ ହେଉ କି ଶୀତ ଦିନେ ଟ୍ରେନ୍ ଭିତରେ ଯାତ୍ରୀଙ୍କ ପାଣିର ଆବଶ୍ୟକତା ବହୁତ୍ ଦେଖାଦିଏ । ଏହାର ସୁଯୋଗ ନେଇ ବିନା ଆଇଏସଓ ମାର୍କା ବାଲା ଓ ନିମ୍ନମାନର ପାଣି ବୋତଲ ବିକ୍ରି କରିଥାନ୍ତି । ରେଲବାଇ ପୁଲିସ ହେଉ କିମ୍ବା ସୁରକ୍ଷା ଅଧିକାରୀ ମୋଟାଅଙ୍କର ମାସିକିଆ ନେଇ ଏପରି କାର୍ଯ୍ୟକୁ ଆଖି ବୁଜିଦେଇଛନ୍ତି । ଯାଜପୁର ରୋଡ଼ ରେଳଷ୍ଟେସନରୁ ବହୁ ବେପାରୀ ଗୋଟେ ପଟେ କଟକ ତ ଅନ୍ୟପଟେ ଭଦ୍ରକ ପର୍ଯ୍ୟନ୍ତ ବିଭିନ୍ନ ଡ଼୍ରେନରେ ଯାଇ ବେପାର କରିଥାନ୍ତି । ଏବିଷୟରେ ଆରପିଏଫ୍ ଅଧିକାରୀ କ୍ଷୀର ସାଗର ଭଞ୍ଜକୁ ପଚାରିବାରୁ ଟ୍ରେନ୍ ଭିତରେ ଆଇଆରସିଟିସି ପକ୍ଷରୁ ଖାଦ୍ୟ ଓ ପାଣି ବିକ୍ରି କରିବାର ବ୍ୟବସ୍ଥା ରହିଛି । କିନ୍ତୁ ଏପରି ଅଭିଯୋଗ ମୋ’ନଜରରେ ଆସିନି । ନିଶ୍ଚିତ ଏହା ଉପରେ ପଦକ୍ଷେପ ନେବେ ବୋଲି କହିଥିଲେ ।