ପାଣି ପାଇଁ ଡହଳ ବିକଳ : ଗୋଟିଏ କୂଅକୁ ଭରସା ସତୁରି ପରିବାର

 କାଳିଆପାଣି :  ଭୀଷଣ ଖରାକୁ ଅସହ୍ୟ ଗୁଳୁଗୁଳି । ଏହାରି ଭିତରେ ପିଇବା ପାଣିର ଅଭାବ କେତେ କଷ୍ଟଦାୟକ ତାହା ସହଜରେ ଅନୁମେୟ । ଏମିତି ଏକ କଷ୍ଟ ଦାୟକ ଦୃଶ୍ୟ ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଁଷୋଳ ପଞ୍ଚାୟତର ମହୁଲଖାଲ ମୁଣ୍ଡା ସାହିରେ । ଏଠାରେ ପିଇବା ପାଣି ପାଇଁ ଗାଁର ମହିଳାମାନେ ସକାଳୁ ଲମ୍ବା ଲାଇନରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଗୋଟିଏ ଖୋଲା କୂଅକୁ ଭରସା ଏମାନଙ୍କ ପାଇଁ । କୁଅର ଗଭୀରତା ପ୍ରାୟ ୫୦ଫୁଟ ହୋଇଥିବା ବେଳେ ଗୋଟିଏ ବାଲତି ପାଣି କାଢ଼ିବାକୁ ଢେର କସରତ କରିବାକୁ ପଡୁଛି ବୋଲି ଗାଁର ମହିଳାମାନେ କହିଛନ୍ତି । ଗାଁ ନିକଟରେ କୌଣସି ପ୍ରାକୃତିକ ଜଳଉତ୍ସ ନଥିବାରୁ ସମସ୍ତେ ଏହି କୂଅଟି ଉପରେ ନିର୍ଭର କରି ଚଳିବାକୁ ବାଧ୍ୟ ହୋଇଛନ୍ତି । ୨ଟି ନଳ କୂଅ ରହିଥିଲେହେଁ ତାହା ଅଚଳ ଅବସ୍ଥାରେ ପଡି ରହିଛି । ସରକାରୀ ପିଇବା ପାଇପ ପାଣିର ବ୍ୟବସ୍ଥା ରହିଛି ହେଲେ ସେଥିରୁ ଟୋପାଏ ହେଲେ ପାଣି ଆସୁଥିବାର ଦେଖିବାକୁ ମିଳିନାହିଁ । ଦୁଇଟି ଅଚଳ ସୋଲାର ପମ୍ପ ମଧ୍ୟରୁ ଗୋଟିଏର ସୋଲାର ସେଟ ଗୁଡିକ ସମ୍ପୂର୍ଣ ଚୋରି ହୋଇଯାଇଥିବା ବେଳେ ଅନ୍ୟଟି କାମ ଚଳା ଅବସ୍ଥାରେ ରହିଛି । ଏବଂ ତାହା ଏତେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ । ତେଣେ ଗାଁର ମହିଳାମାନେ ଅଭିଯୋଗ କରିଛନ୍ତି ଯେ ନିକଟରେ ଥିବା କମ୍ପାନୀ ପ୍ରାକୃତିକ ଜଳ ଉତ୍ସକୁ ନଷ୍ଟକରି ଭୁତଳ ଜଳକୁ ଏତେ ଗଭୀରତା ମଧ୍ୟକୁ ନେଇଛନ୍ତି ଯେ ଗାଁ ଗଣ୍ଡାର ନାଳ, ପୋଖରୀ, ଝରଣା ଏବଂ କୂଅ ଗୁଡିକ ଶୁଷ୍କ ଅବସ୍ଥାରେ ପଡ଼ିରହିଛି । ଗାଁ ନିକଟରେ କମ୍ପାନୀ ଖଣି ଖାଦାନ ଖୋଲିବାରୁ ଏମାନଙ୍କର ପିଇବା ପାଣିର ସମସ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି । ଅତି ମୂଲ୍ୟବାନ କ୍ରୋମାଇଟ ପଥର ଖୋଳିବା ଆଳରେ ହଜାର ହଜାର ଫୁଟ ଗଭୀରତା ହୋଇଥିବା ଖଣି ଗୁଡିକ ଆଖପାଖ ଗାଁ ଗଣ୍ଡାର ପ୍ରାକୃତିକ ଜଳ ସମ୍ପଦକୁ ନଷ୍ଟ କରି ଦେଇଥିବାରୁ ଏହି ଶଙ୍କଟ ଉତ୍ପନ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାଇ ଖଣି ଖାଦାନରୁ କମ୍ପାନୀ ମାଲାମାଲ ହୋଇଥିବା ବେଳେ ଗାଁ ଲୋକଙ୍କ ଅବସ୍ଥା ବେହାଲ ।